Advertisment

ଅନଲାଇନ୍‌ରେ ଫିଲ୍ମ ରେଟିଂ କରିବା ବେଳେ ଡାକ୍ତର ହରାଇଲେ ୧.୯ କୋଟି

ଠକେଇର ଶିକାର ଡାକ୍ତର ଜଣକ ୪୩ ବର୍ଷିୟ ମହାରାଷ୍ଟ୍ର ଭିରାର ଅନ୍ତର୍ଗତ ଗୋକୁଲ ଅଞ୍ଚଳରେ ରୁହନ୍ତି।

author-image
Niranjan Mishra
representational image

representational image

ଅନଲାଇନ୍‌ରେ ଫିଲ୍ମ ରେଟିଂ କରିବା ବେଳେ ଡାକ୍ତର ହରାଇଲେ ୧.୯ କୋଟି। ଠକେଇର ଶିକାର ଡାକ୍ତର ଜଣକ ୪୩ ବର୍ଷିୟ ମହାରାଷ୍ଟ୍ର ଭିରାର ଅନ୍ତର୍ଗତ ଗୋକୁଲ ଅଞ୍ଚଳରେ ରୁହନ୍ତି। ଇନ୍‌କମଟ୍ୟାକ୍ସ ରେଡ୍ ଧମକକୁ ଡରି ଡାକ୍ତର ଜଣକ ଏବାବଦରେ ୮ ଲକ୍ଷ ଟଙ୍କା ମଧ୍ୟ ୩ଟି କିସ୍ତିରେ ଦେଇଛନ୍ତି। ଚଳିତ ବର୍ଷ ଜାନୁଆରୀ ୨ ତାରିଖରେ ସେ ତାଙ୍କ ଟେଲିଗ୍ରାମ ଆପ୍‌ରେ ଏକ ବାର୍ତ୍ତା ଆସିଥିବା ଦେଖିବାକୁ ପାଇଥିଲେ। ଅନ୍‌ଲାଇନ୍‌ରେ ଫିଲ୍ମ ରେଟିଂ କଲେ ସେ ଏଥିରୁ ଟଙ୍କା ରୋଜଗାର କରିପାରିବେ ବୋଲି ଉଲ୍ଲେଖ ଥିଲା। ଜଣେ ମହିଳା ଏହି ବାର୍ତ୍ତା ପଠାଇଥିଲେ।

Advertisment

ସେ ଟଙ୍କା ଲୋଭରେ ପଡ଼ି ମହିଳା ଜଣକ ପଠାଇଥିବା ଲିଙ୍କ ଖୋଲିଥିଲେ। ଲିଙ୍କରେ ଆସିଥିବା ନିର୍ଦ୍ଦେଶ ମୁତାବକ ଏକ ଆକାଉଣ୍ଟ ଖୋଲି ତାଙ୍କ ବ୍ୟାଙ୍କ ବିବରଣୀ ଦେଇଥିଲେ। ପରେ ସେ ୨୮ଟି ଅନ୍‌ଲାଇନ୍‌ ଫିଲ୍ମ ଟିକେଟ ରେଟିଂ କରିବା ପାଇଁ ଲିଙ୍କ୍ ପାଇଥିଲେ। ଡାକ୍ତର ଜଣକ ସମସ୍ତ ଫିଲ୍ମକୁ ୫ ଷ୍ଟାର ରେଟିଂ କରିବା ପରେ ୮୩୦ ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଥିବା ଦେଖିବାକୁ ପାଇଥିଲେ।

ପରଦିନ ସେ ଅଧିକ ରୋଜଗାର ଆଶା‌ରେ ଉକ୍ତ ମହିଳାଙ୍କ କହିବା ମୁତାବକ ୯ ହଜାର ୯୦୦ ଟଙ୍କାକୁ ଏକ ଅଜଣା ବ୍ୟାଙ୍କ ଆକାଉଣ୍ଟକୁ ପଠାଇ ଥିଲେ। ଯାହାପରେ ସେ ୩୧ ଲକ୍ଷ ଟଙ୍କା କମିଶନ ପାଇଥିବା ତାଙ୍କ ଅନ୍‌ଲାଇନ୍ ଟିକେଟ୍‌ ରେଟିଂ ଆକାଉଣ୍ଟରେ ଦେଖାଇଥିଲା। ପରେ ସେ ଏହି ଟଙ୍କା ପାଇବାକୁ ଏକ ଅନୁରୋଧ ସମ୍ପୃକ୍ତ ସଂସ୍ଥାକୁ ପଠାଇଥିଲେ।

Advertisment

ବାର୍ତ୍ତା ପାଇବା ପରେ ଠକେଇ ସଂସ୍ଥା ପ୍ରଥମେ ୧୫ ଲକ୍ଷ ଟଙ୍କା ଡିପୋଜିଟ୍ କରିବାକୁ କହିଥିଲା। ପରେ ଡାକ୍ତରଙ୍କୁ ନିକଟକୁ ୧.୯୬ କୋଟି ଟଙ୍କା କମିଶନ ପାଇବାକୁ ଥିବା ବାର୍ତ୍ତା ଆସିଲା। ଏହି କମିଶନ ଅର୍ଥ ପାଇବା ଲୋଭରେ ଡାକ୍ତର ଜଣକ ପ୍ରାୟ ୧.୯ କୋଟି ଟଙ୍କା ଠକଙ୍କ ବ୍ୟାଙ୍କ ଆକାଣ୍ଟରେ ଡିପୋଜିଟ୍ କରିଥିଲେ। ହେଲେ କୌଣସି କମିଶନ ନପାଇ ଶେଷରେ ନିରାଶ ହୋଇ ଜୁନ୍ ୨୫ରେ ପୁଲିସର ଦ୍ୱାରସ୍ଥ ହୋଇଥିଲେ।

Mumbai Online Fraud Scam