ଡାକ୍ତର ଦମ୍ପତିଙ୍କ ନାବାଳିକା ଝିଅକୁ ହୁକା ବାର ଡେଟ୍‌ ପରେ ଦୁଷ୍କର୍ମ ଓ ଭୟଙ୍କର ନିର୍ଯାତନା

ନିର୍ଯାତନା ଓ ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକା ଜଣଙ୍କ ଉତ୍ତର ପ୍ରଦେଶର ଜଣେ ଡାକ୍ତର ଦମ୍ପତିଙ୍କ ଝିଅ। ତାଙ୍କ ସହ ଇନଷ୍ଟାଗ୍ରାମରେ ବନ୍ଧୁତା କରି ପ୍ରେମ ଜାଲରେ ଫସାଇଥିବା ଯୁବକକୁ ମଧ୍ୟ କାନପୁରରୁ ପୁଲିସ୍‌ ଗିରଫ କରିଛି।

ଗିରଫ ଅଭିଯୁକ୍ତ ସହ ପୁଲିସ୍‌

  • Published: Monday, 06 March 2023
  • , Updated: 06 March 2023, 09:22 PM IST

ହୁକା ବାରରେ ଜଣେ ନାବାଳିକାଙ୍କୁ ଥଣ୍ଡାପାନୀୟରେ ନିଶା ମିଶାଇ ଦୁଷ୍କର୍ମ କରାଯାଇଛି। ଦୁଷ୍କର୍ମ ସହ ତାଙ୍କୁ ବ୍ଲାକମେଲିଂ କରାଯାଇଛି। ଖାଲି ସେତିକି ନୁହେଁ, ତାଙ୍କୁ ଭୟଙ୍କର ନିର୍ଯାତନା ମଧ୍ୟ ଦିଆଯାଇଛି। ଏପରି ନିର୍ଯାତନା ଓ ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକା ଜଣଙ୍କ ଉତ୍ତର ପ୍ରଦେଶର ଜଣେ ଡାକ୍ତର ଦମ୍ପତିଙ୍କ ଝିଅ। ତାଙ୍କ ସହ ଇନଷ୍ଟାଗ୍ରାମରେ ବନ୍ଧୁତା କରି ପ୍ରେମ ଜାଲରେ ଫସାଇଥିବା ଯୁବକଙ୍କୁ ମଧ୍ୟ କାନପୁରରୁ ପୁଲିସ୍‌ ଗିରଫ କରିଛି।

ପୀଡ଼ିତାଙ୍କ ବାପା ହିଁ ପ୍ରଥମେ କାନପୁରର ବିନୟ ଠାକୁର ଓ ଅନ୍ୟ ୭ ଜଣଙ୍କ ବିରୋଧରେ ଅଭିଯୋଗ କରିଥିଲେ। ବିନୟ ଠାକୁର ଫୋନ କରି ନାବାଳିକାଙ୍କୁ ମାର୍ଚ୍ଚ ୪ରେ କରାହି ଠାରେ ଥିବା ଏମଜି କାଫେକୁ ଡାକିଥିଲା। ସେଠାରେ ଉଭୟ ହୁକା ଟାଣିଥିଲେ। ଏହି ସମୟରେ ବିନୟ ବେଶ ଚତୁରତାର ସହ ନାବାଳିକାଙ୍କ ପାନୀୟରେ ନିଶା ମିଶାଇ ଦେଇଥିଲା। ଏହାପରେ ସେଠାରୁ ତାଙ୍କୁ ନେଇ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ କରିବା ପରେ ତାଙ୍କୁ ଆଉ ଗୋଟିଏ ସ୍ଥାନକୁ ନେଇ ଯାଇଥିଲା। ସେଠାରେ ଆଉ ୭ ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ ବୋଲି ଅଭିଯୋଗ ହୋଇଛି।

ଦୁଷ୍କର୍ମକୁ ନାବାଳିକା ଜଣଙ୍କ ବିରୋଧ କରିବା ବେଳେ ତାଙ୍କୁ ଅଭିଯୁକ୍ତମାନେ ପ୍ରବଳ ମାଡ଼ ମାରିଥିଲେ। ମାଡ଼ ମାରିବାର ଦାଗ ପୀଡ଼ିତାଙ୍କ ପୂରା ଶରୀରରେ ମଧ୍ୟ ରହିଛି। ତେବେ କୌଶଳକ୍ରମେ ସେମାନଙ୍କୁ କବଳରୁ ପୀଡ଼ତା ଜଣଙ୍କ ଖସି ଆସିଥିଲେ ଓ ଏହାପରେ ପୂରା ଘଟଣା ପରିବାର ଲୋକଙ୍କୁ କହିଥିଲେ। ଝିଅଠାରୁ ସବୁ କଥା ଶୁଣିବା ପରେ ତାଙ୍କ ବାପା ପୁଲିସ୍‌ରେ ଅଭିଯୋଗ କରିଥିଲେ। ପୁଲିସ ଏବେ ବିନୟ ଠାକୁରକୁ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଛି।

ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଅଭିଯୁକ୍ତଙ୍କ ମାଡ଼ରେ ପୀଡ଼ିତାଙ୍କ ବେକ ଓ କପାଳରେ ଅନେକ କ୍ଷତଚିହ୍ନ ରହିଛି। ବିନୟ ଠାକୁର ପୀଡ଼ିତାଙ୍କ ଗୋଟିଏ ଅଶ୍ଳୀଳ ଭିଡିଓ ତିଆରି କରିବା ସହ ବେଶ କିଛି ଦିନ ହେଲା ତାଙ୍କୁ ବ୍ଲାକମେଲ କରୁଥିଲା। ଏହି ଭିଡିଓକୁ ଭାଇରାଲ କରିଦେବାର ଧମକ ମଧ୍ୟ ଦେଉଥିଲା।

ଏହାପୂର୍ବରୁ ବିନୟ ଠାକୁର ନିଜ ନାଁକୁ ଝିଅଟିର ଛାତିରେ ଛୁରୀ ଦ୍ୱାରା ଲେଖିଥିଲା। ଏହାଦ୍ୱାରା ସେ ଆଉ କାହାକୁ ବାହା ହୋଇପାରିବେ ନାହିଁ ବୋଲି ସେ ଆଶା କରିଥିଲା। ଖାଲି ସେତିକି ନୁହେଁ, ସେ ଲାଇଟର ଦ୍ୱାରା ଡରାଉଥିଲା ଓ ଝିଅଟିର ଚୁଟିକୁ ମଧ୍ୟ ପୋଡ଼ି ଦେଇଥିବା ମଧ୍ୟ ଜଣାପଡ଼ିଛି।

ପୀଡ଼ିତା ଜଣଙ୍କ ରାଜସ୍ଥାନର କୋଟାରେ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ। ବିନୟ ତାଙ୍କ ପିଛା କରି ସେଠାରେ ମଧ୍ୟ ପହଞ୍ଚି ଯାଇଥିଲା। ସେଠାରେ ଗୋଟିଏ ହୋଟେଲ ରୁମରେ ସେ ତାଙ୍କୁ ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି।

Related story