Advertisment

ମାଟିରେ ମିଶିଲା ଗାଁ, କୁକୁର ପାଇଁ ବଞ୍ଚିଗଲା ୬୭ ଜୀବନ

କୁକୁର ପାଇଁ ବଞ୍ଚି ଯାଇଛି ୨୦ ପରିବାରର ୬୭ ଜଣଙ୍କ ଜୀବନ। ପୂରା ଗାଁ ମାଟିରେ ମିଶି ଯାଇଥିଲେ ହେଁ କେହି ବି ପ୍ରାଣ ହରାଇ ନାହାନ୍ତି।

author-image
Hemant Lenka
Dog

Dog

ରାତି ପ୍ରାୟ ୧୨ଟା। ବାହାରେ ଢୁଢୁ ବର୍ଷା ହେଉଥିବା ବେଳେ ଲୋକମାନେ ନିଜ ନିଜ ଘରେ ଶୋଇଥିଲେ। କିନ୍ତୁ ସେମାନଙ୍କୁ ଜଣା ନଥିଲା ଯେ ବଡ଼ ବିପଦ ସେମାନଙ୍କ ଆଡ଼କୁ ମାଡ଼ି ଆସୁଛି। କିନ୍ତୁ ଏହି ବିପଦରୁ ଲୋକଙ୍କୁ ବେଶ ଫିଲ୍ମ ଷ୍ଟାଇଲରେ ବଞ୍ଚାଇ ଦେଇଛି ଗୋଟିଏ କୁକୁର। ଏହାକୁ ପଢ଼ି ଆପଣ ଭାବୁଥିବେ, ଏହା କୌଣସି ଫିଲ୍ମର କାହାଣୀ। କିନ୍ତୁ ବାସ୍ତବ ଜୀବନରେ ଏମିତି ନାଟକୀୟ ଘଟଣା ଘଟିଛି।

Advertisment

କୁକୁର ପାଇଁ ବଞ୍ଚି ଯାଇଛି ୨୦ ପରିବାରର ୬୭ ଜଣଙ୍କ ଜୀବନ। ପୂରା ଗାଁ ମାଟିରେ ମିଶି ଯାଇଥିଲେ ହେଁ କେହି ବି ପ୍ରାଣ ହରାଇ ନାହାନ୍ତି। ଏବେ ସାରା ଦେଶରେ ମୌସୁମୀ ସକ୍ରିୟ ଥିବା ବେଳେ ହିମାଚଳ ପ୍ରଦେଶରେ ଲଗାଣ ବର୍ଷା ସମେତ ଭୂସ୍ଖଳନ, ଅଚାନକ ବନ୍ୟା ଓ ବାଦଲ ଫଟା ବର୍ଷା ସାଂଘାତିକ ସ୍ଥିତି ସୃଷ୍ଟି କରିଛି।

କିନ୍ତୁ ରାଜ୍ୟର ମଣ୍ଡି ଜିଲ୍ଲାର ଗୋଟିଏ ଗାଁର ଲୋକମାନେ ବଡ଼ ବିପର୍ଯ୍ୟୟରୁ ବର୍ତ୍ତି ଯାଇଛନ୍ତି। କୁକୁରର ସତର୍କତା ଯୋଗୁ ୨୦ ପରିବାରର ୬୭ ଜଣ ଲୋକ ସମୟପୂର୍ବରୁ ବଡ଼ ଅଘଟଣରୁ ରକ୍ଷା ପାଇ ଯାଇଛନ୍ତି। ଜୁନ ୩୦ର ଘଟଣା। ରାତି ପ୍ରାୟ ୧୨ରୁ ୧ ହେବ। ମଣ୍ଡି ଅନ୍ତର୍ଗତ ଧର୍ମପୁର ଅଞ୍ଚଳରେ ଥିବା ସିୟାତି ଗାଁ ଓ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଆରମ୍ଭ ହୋଇ ଯାଇଥିଲା। ବର୍ଷାକୁ ଦେଖି ଲୋକମାନେ ନିଜ ନିଜ ଘର ଭିତରେ ଶୋଇ ପଡ଼ିଥିଲେ। କିନ୍ତୁ କିଛି ସମୟ ପରେ ପୂରା ଗାଁ ଧ୍ୱଂସ ହୋଇଯାଇଥିଲା। ହେଲେ ଏଠାରେ ରହୁଥିବା ଲୋକଙ୍କ ଜୀବନ ହାନୀ ହୋଇନି।

Advertisment
Rainଗାଁର ଦୃଶ୍ୟ

ଏପରି ଚତ୍ମକାର କେମିତି ହେଲା ସେ ସମ୍ପର୍କରେ ଗାଁରେ ରହୁଥିବା ନରେନ୍ଦ୍ର ନାମକ ବ୍ୟକ୍ତି ସମସ୍ତଙ୍କୁ ଜଣାଇଛନ୍ତି। ତାଙ୍କ କହିବା କଥା ଯେ ଘରର ଦ୍ୱିତୀୟ ମହଲାରେ ଶୋଇଥିବା କୁକୁରଟି ଜୋରରେ ଭୋକିବା ଆରମ୍ଭ କରିଥିଲା। ମଧ୍ୟରାତ୍ର ବେଳକୁ ବର୍ଷା ବଢ଼ିବା ସହ କୁକୁରର ଭୋକିବା ଶୈଳୀ ମଧ୍ୟ ବଦଳିବା ସହ ଏହାକୁ ଶୁଣିଲେ ବେଶ ଭୟ ଲାଗୁଥିଲା।

ନରେନ୍ଦ୍ର କହିଛନ୍ତି, “କୁକୁରଟି ଭୟଙ୍କର ଢଙ୍ଗରେ ଭୋକୁ ଥିବାରୁ ମୁଁ ନିଦରୁ ଉଠିଥିଲି। ମୁଁ ସିଧା ତା’ ପାଖରେ ପହଞ୍ଚିଥିଲି। ଏହି ସମୟରେ କୁକୁରଟି ଉପରକୁ ଚାହିଁ ଭୋକୁଥିଲା। ମୁଁ ଉପରକୁ ଚାହିଁଲା ବେଳକୁ ଦେଖିବାକୁ ପାଇଥିଲି ଯେ ଘରର କାନ୍ଥରେ ଗୋଟିଏ ବଡ଼ ଫାଟ ଚିହ୍ନ ରହିଛି। ପାଣି ସେହି ଫାଟ ଦେଇ ପଶିବାରେ ଲାଗିଛି। ମୁଁ ତୁରନ୍ତ କୁକୁର ସହ ତଳକୁ ଦୌଡ଼ି ଥିଲି ଓ ସମସ୍ତଙ୍କୁ ଡାକ ପକାଇଥିଲି।”

ନରେନ୍ଦ୍ର ନିଜ ଘର ଲୋକଙ୍କ ବ୍ୟତୀତ ଗାଁର ଅନ୍ୟମାନଙ୍କୁ ମଧ୍ୟ ଡାକ ପକାଇଥିଲେ। ସମସ୍ତେ ମିଳିତ ଭାବେ ସୁରକ୍ଷିତ ସ୍ଥାନକୁ ଯିବାକୁ ନିଷ୍ପତ୍ତି ନେଇଥିଲେ। ବର୍ଷାର ବେଗ ବଢ଼ୁଥିବା ବେଳେ ଗାଁ ଲୋକମାନେ ସବୁ କିଛି ଛାଡ଼ି ଜୀବନ ବିକଳରେ ଆଶ୍ରୟ ସ୍ଥଳକୁ ଚାଲି ଯାଇଥିଲେ। ସେମାନେ ଆଶ୍ରୟ ସ୍ଥଳରେ ପହଞ୍ଚିବା କ୍ଷଣି ଗାଁରେ ହୋଇଥିଲା ଭୟଙ୍କର ଭୂସ୍ଖଳନ। ଆଉ ଭୂସ୍ଖଳନରେ ଗାଁର ୪ରୁ ୫ଟି ଘରକୁ ଛାଡ଼ି ଦେଲେ ବାକି ସବୁ କିଛି ମାଟିରେ ମିଶି ଯାଇଛି।

ଏବେ ଗାଁ ଲୋକମାନେ ନୈନା ଦେବୀ ମନ୍ଦିର ପକ୍ଷରୁ ତିଆରି କରାଯାଇଥିବା ଆଶ୍ରୟ ସ୍ଥଳରେ ୭ ଦିନ ହେଲା ଜୀବନ କାଟୁଛନ୍ତି। ସେହିପରି ବିପର୍ଯ୍ୟୟକୁ ଦେଖି ଗାଁର କିଛି ଲୋକଙ୍କ ରକ୍ତଚାପ ବଢ଼ି ଯାଇଛି। ଗାଁ ଲୋକ ସବୁ କିଛି ହରାଇଥିଲେ ହେଁ ସରକାର ସେମାନଙ୍କୁ ୧୦ ହଜାର ଟଙ୍କା ଲେଖାଏ ସହାୟତା କରିଛନ୍ତି।

Floodଆଶ୍ରୟ ସ୍ଥଳରେ ଗାଁ ଲୋକ

ଅନ୍ୟପକ୍ଷରେ ଜୁନ ୨୦ରୁ ମୌସୁମୀ ଜନିତ ଅଘଟଣ ପାଇଁ ହିମାଚଳ ପ୍ରଦେଶରେ ୭୮ ଜଣ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ଲଗାଣ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି।

Monsoon Himachal Pradesh Dog