/odisha-reporter/media/post_attachments/uploadimage/library/16_9/16_9_0/Dog_1756287368.jpg)
Dog
ପଞ୍ଜାବର ପଟିଆଲାରେ ଥିବା ଗୋଟିଏ ହସ୍ପିଟାଲରୁ ଆସିଥିବା ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି। ଏଠାରେ ଗୋଟିଏ ବୁଲା କୁକୁର ଜଣେ ନବଜାତର ମୁଣ୍ଡକୁ ପାଟିରେ ଧରି ବୁଲୁଥିବା ଦୃଶ୍ୟ ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ମେଡିକାଲ ସୁପରିନଟେଡେଣ୍ଟ କହିଛନ୍ତି ଯେ ହସ୍ପିଟାଲର ସମସ୍ତ ନବଜାତ ସୁରକ୍ଷିତ ରହିଛନ୍ତି ଓ ବାହାରୁ କେହି ସମ୍ଭବତଃ ମୃତ ନିବଜାତକୁ ହସ୍ପିଟାଲ ଭିତରୁ ଫିଙ୍ଗି ଥିବା ଜଣାପଡ଼ୁଛି।
ମଙ୍ଗଳବାର ସନ୍ଧ୍ୟା ୫.୩୦ରେ ଗୋଟିଏ ବୁଲା କୁକୁର ପାଟିରେ ନବଜାତର ମୁଣ୍ଡକୁ ଧରି ରାଜିନ୍ଦର ହସ୍ପିଟାଲର ୱାର୍ଡ ନମ୍ବର ୪ ନିକଟରେ ବୁଲୁଥିବା ଦେଖିବାକୁ ମିଳିଥିଲା। ଏହାକୁ ପ୍ରଥମେ ସାଧାରଣ ଲୋକ ଓ କର୍ମଚାରୀ ଦେଖିଥିଲେ। ଏହାପରେ କୁକୁର ମୁହଁରୁ ନବଜାତର ମୁଣ୍ଡକୁ ଉଦ୍ଧାର କରାଯାଇଥିଲା। କିନ୍ତୁ ବୁଲା କୁକୁର ମୁହଁରେ ନବଜାତର ମୁଣ୍ଡ ଦେଖି ସମସ୍ତେ ଚକିତ ହୋଇଯାଇଥିଲେ।
ଏହି ଘଟଣାରେ ପଞ୍ଜାବ ସ୍ୱାସ୍ଥ୍ୟମନ୍ତ୍ରୀ ବଲବୀର ସିଂହ ହସ୍ପିଟାଲ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପୁଲିସ୍କୁ ସବୁ ଦିଗରୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ କହିବା କଥା ଯେ କୁକୁର ପାଟିରେ ଥିବା ମୁଣ୍ଡକୁ ଜବତ କରି ଫରେନ୍ସିକ ଲ୍ୟାବକୁ ପଠାଯାଇଛି ଓ ରାଜ୍ୟ ସରକାର ମାମଲାକୁ ବେଶ ଗୁରୁତ୍ୱର ସହ ନେଇଛନ୍ତି।
ହସ୍ପିଟାଲର ସୁପରିନଟେଣ୍ଡେଣ୍ଟ ଡାକ୍ତର ବଶାଲ ଚୋପ୍ରା ଦାଖଲ କରିଥିବା ପ୍ରାଥମିକ ରିପୋର୍ଟରେ କହିଛନ୍ତି ଯେ ହସ୍ପିଟାଲରେ ଜନ୍ମିତ ସମସ୍ତ ନବଜାତ ୱାର୍ଡରେ ରହିଛନ୍ତି। କେହି ବି ନିଖୋଜ ନାହାନ୍ତି।
ନିକଟରେ ୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା ଓ ମୃତଦେହକୁ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। କେହି ସମ୍ଭବତଃ ମୃତଦେହକୁ ବାହାରୁ ହସ୍ପିଟାଲ ଭିତରକୁ ଫିଙ୍ଗିଛି ବୋଲି ସେ ସୂଚନା ଦେଇଛନ୍ତି। ତଥାପି ପୁଲିସ୍ ଘଟଣାର ତଦନ୍ତ ଜାରି ରଖିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
