/odisha-reporter/media/media_files/2026/01/07/sc-2026-01-07-14-39-17.jpg)
ବୁଲା କୁକୁର
ବୁଲା କୁକୁର ପ୍ରସଙ୍ଗରେ ବୁଧବାର ଶୁଣାଣି ଜାରି ରଖିଛନ୍ତି ସୁପ୍ରିମକୋର୍ଟ। କେବଳ ବୁଲା କୁକୁରଙ୍କ ଉପରେ ଯୁକ୍ତି ପର୍ଯ୍ୟବେସିତ ହେବାରୁ ସୁପ୍ରିମକୋର୍ଟ( Supreme Court) ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟ ପଶୁମାନଙ୍କ ଜୀବନ କଥା କ’ଣ? କୁକୁଡ଼ା ଓ ଛେଳିମାନଙ୍କ କଥା କ’ଣ? ସେମାନଙ୍କର କ’ଣ ଜୀବନ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ବୁଲା କୁକୁର ପ୍ରେମୀଙ୍କ ଆବେଦନର ଶୁଣାଣି ବେଳେ ପ୍ରଶ୍ନ କରିଛନ୍ତି।
ଶୁଶାଣି ବେଳେ ଜଣେ ଆବେଦନକାରୀ କୋର୍ଟଙ୍କ ଆଗରେ ଉପସ୍ଥିତ ରହି ଗୋଟିଏ ଫଟୋ ଦେଖାଇଥିଲେ। ଜଣେ ୯୦ ବର୍ଷୀୟ ବ୍ୟକ୍ତିଙ୍କୁ ବୁଲା କୁକୁର କେଉଁ ଭଳି ଆକ୍ରମଣ କରିଥିଲେ ଓ ପରବର୍ତ୍ତୀ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା କଥା ସେ କୋର୍ଟଙ୍କୁ ଜଣାଇଥିଲେ। ଆବେଦନକାରୀ କହିଛନ୍ତି, “ଦେଖନ୍ତୁ, ବୁଲା କୁକୁର ଆକ୍ରମଣ କଲେ ଏମିତି ହୋଇଥାଏ।” କୋର୍ଟ ତାଙ୍କୁ ଅଟକାଇବା ସହ ଫଟୋ ଦେଖାଇବାର ଆବଶ୍ୟକତା ନଥିବା କହିଛନ୍ତି।
ପୀଡ଼ିତମାନଙ୍କ ଓକିଲ କୋର୍ଟଙ୍କୁ କହିଛନ୍ତି ଯେ “ବୁଲା କୁକୁରମାନଙ୍କ ଯୋଗୁ ଲୋକମାନେ ଅନେକ ସମସ୍ୟାର ସମାଧାନ ହେଉଛନ୍ତି। ମାନବାଧିକାରକୁ ସୁରକ୍ଷିତ କରାଯିବା ଦରକାର।” ଅନ୍ତର୍ଜାତୀୟ ସ୍ତରରେ ଥିବା ନିୟମର ଉଦାହରଣ ଦେଇ ଓକିଲ କହିଥଲେ ଯେ ଜାପାନ ଓ ଆମେରିକାରେ ଏମିତି ବ୍ୟବସ୍ଥା ରହିଛି ଯେଉଠି ପରିତ୍ୟକ୍ତ କୁକୁରମାନଙ୍କୁ ଆଶ୍ରୟ ସ୍ଥଳରେ ରଖାଯାଏ।
କେହି ସେମାନଙ୍କୁ ଗ୍ରହଣ ନ କଲେ ଇଚ୍ଛାମୃତ୍ୟୁର ବ୍ୟବସ୍ଥା ହୁଏ। ଏହି କାରଣ ପାଇଁ ଜାପାନରେ କୌଣସି ପ୍ରକାରର ବୁଲା କୁକୁର ସମସ୍ୟା ନାହିଁ। ୧୯୫୦ରୁ ସେଠାରେ କେହି ବି ଜଳାନ୍ତକ ରୋଗରେ ପ୍ରାଣ ହରାଇ ନାହାନ୍ତି ବୋଲି ସେ କହିଛନ୍ତି।
ଏହାପୂର୍ବରୁ ଜଣେ ପଶୁ ଅଧିକାର କର୍ମୀ କୋର୍ଟକୁ କହିଥିଲେ ଯେ “ଆମେ ସବୁ ବୁଲା କୁକୁରଙ୍କୁ ଆଶ୍ରୟ ସ୍ଥଳରେ ଭର୍ତ୍ତି କରିବା କଥା କହୁଛେ। ଯଦି କୁକୁରମାନେ ଗାଏବ ହୋଇଯିବେ, ତା’ହେଲେ ଆମେ ଅଳିଆ ଆବର୍ଜନା ଓ ମାଙ୍କଡ଼ମାନଙ୍କର କ’ଣ କରିବା?”
ଗତବର୍ଷ ନୋଏଡାରେ ଜଣେ ୮ ବର୍ଷୀୟ ଝିଅକୁ ବୁଲା କୁକୁର ପଲ ଭୟଙ୍କର ଢଙ୍ଗରେ ଆକ୍ରମଣ କରିଥିଲେ। ତାଙ୍କ ବାପା ମଧ୍ୟ କୋର୍ଟ ଆଗରେ ହାଜର ହୋଇଥିଲେ। ସେ କହିଛନ୍ତି ଯେ ଗତବର୍ଷ ଆଉ ଜଣେ ୮ ବର୍ଷୀୟ ପିଲା ବୁଲା କୁକୁର ଆକ୍ରମଣରେ ପ୍ରାଣ ହରାଇଥିଲା।
ବୁଲା କୁକୁରଙ୍କ ପାଦୁର୍ଭାବ ବଢ଼ି ଚାଲିଥିଲେ ହେଁ ନୋଏଡା ଅଧିକାରୀମାନେ କୌଣସି ପଦକ୍ଷେପ ନେଇ ନଥିଲେ। ଆବାସିକ କଲ୍ୟାଣ ସଂଘଗୁଡ଼ିକ ମଧ୍ୟ ସେମାନଙ୍କ ସୋସାଇଟୀକୁ ନୋ ଡଗ୍ ଜୋନ ଭାବେ ଘୋଷଣା କରିବା କଥା।
ବରିଷ୍ଠ ଆଇନଜୀବୀ କପିଲ ସିବଲ କହିଛନ୍ତି, “ଆମେ ଏଠାରେ କୁକୁର ପ୍ରେମୀ ଓ ପରିବେଶ ପ୍ରେମୀ ଭାବେ ଉପସ୍ଥିତ ରହିଛୁ।” ଏହା ଶୁଣି କୋର୍ଟ ପଚାରିଛନ୍ତି ଯେ “ଅନ୍ୟ ପଶୁମାନଙ୍କ ଜୀବନ କ’ଥା କ’ଣ? କୁକୁଡ଼ା ଓ ଛେଳିମାନଙ୍କ କଥା କ’ଣ? କ’ଣ ସେମାନଙ୍କ ଜୀବନ ନାହିଁ?”
ଜବାବରେ ସିବଲ କହିଛନ୍ତି, “ମୁଁ କୁକୁଡ଼ା ଖାଇବା ଛାଡ଼ି ଦେଇଛି। କାରଣ ସେମାନଙ୍କୁ ଅତ୍ୟନ୍ତ ଅମାନୁଷିକ ଭାବେ ବନ୍ଦୀ ଶାଳାରେ ରଖାଯାଉଛି। ଆଉ ଗୋଟିଏ ପକ୍ଷ ହେଲା, ଯଦି ଗୋଟିଏ ବାଘ ମଣିଷ ଖିଆ, ତା’ହେଲେ ଆମେ ସମସ୍ତ ବାଘଙ୍କୁ ମଣିଷ ଖିଆ କହି ହତ୍ୟା କରିପାରିବା ନାହିଁ।
ପୂରା ବିଶ୍ୱରେ କାବୁ, ବନ୍ଧ୍ୟାକରଣ, ଟିକାକରଣ ଓ ସେମାନଙ୍କୁ ରିଲିଜ କରାଯିବା ନିୟମକୁ ପାଳନ କରାଯାଉଛି। ଏଥିଯୋଗୁ ସହରରେ କୁକୁର ସଂଖ୍ୟା ହ୍ରାସ ହୋଇଛି। ଭାରତରେ ଅଳିଆ ଆବର୍ଜନା ଚାରିଆଡ଼େ ଫିଙ୍ଗା ଯାଉଥିବା ବେଳେ ବସ୍ତି ଗଢ଼ି ଉଠୁଛି। ଏପରି ସ୍ଥିତିରେ ବୁଲା କୁକୁରଙ୍କୁ ହଟାଇବା ସମସ୍ୟା ସୃଷ୍ଟି କରିବ। ଆଶ୍ରୟ ସ୍ଥଳରେ ବୁଲା କୁକୁରଙ୍କୁ ରଖିଲେ ପୌର ପାଳିକା କର୍ତ୍ତୃପକ୍ଷଙ୍କ ଉପରେ ଆର୍ଥିକ ବୋଝ ମଧ୍ୟ ବଢ଼ିବ।”
କୋର୍ଟ ଆହୁରି କହିଛନ୍ତି, “ଆମ ପୂର୍ବ ରାୟ ସଂଶୋଧିତ ହୋଇଛି। ରାସ୍ତା ନୁହେଁ, ବିଭିନ୍ନ ପ୍ରତିଷ୍ଠାନ ରହିଥିବା ଅଞ୍ଚଳରେ ଆମେ ବୁଲା କୁକୁରଙ୍କୁ ବାରଣ କରିଛୁ। ହସ୍ପିଟାଲ, କୋର୍ଟ ଓ ସ୍କୁଲ ପରିସରରେ ଆପଣମାନେ କାହିଁକି ବୁଲା କୁକୁର ଚାହୁଁଛନ୍ତି? ବିଭିନ୍ନ ପ୍ରତିଷ୍ଠାନ ଥିବା ଅଞ୍ଚଳରୁ ବୁଲା କୁକୁରଙ୍କୁ ହଟାଇବାରେ ଅସୁବିଧା କ’ଣ?”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
