/odisha-reporter/media/media_files/2025/11/17/shaeen-2025-11-17-15-52-10.jpg)
ଡାକ୍ତର ଶାହୀନ
ଦିଲ୍ଲୀର ଲାଲକିଲ୍ଲା ବିସ୍ଫୋରଣ(Blast In Delhi)ର ତଦନ୍ତ ଚାଲିଥିବା ବେଳେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଫରିଦାବାଦରୁ ବିସ୍ଫୋରକ ଜବତ ଓ ଲାଲକିଲ୍ଲା ବିସ୍ଫୋରଣ ଘଟଣାରେ ଗିରଫ ଡାକ୍ତର ଶାହୀନ ଗୋଟିଏ ବଡ଼ ଆତଙ୍କୀ ନେଟୱର୍କର ଅଂଶବିଶେଷ ଥିଲା। ସେ ନିଜର ସହଯୋଗୀଙ୍କ ମଧ୍ୟରେ ମାଡାମ ସର୍ଜନ ଭାବେ ବେଶ ଜଣାଶୁଣା।
ଡାକ୍ତର ଶାହୀନର ଫୋନରୁ ମିଳିଥିବା ହ୍ୱାଟସଆପ ମେସେଜ ଆତଙ୍କୀ ନେଟୱର୍କର ଆଭ୍ୟନ୍ତରୀଣ ଯୋଗାଯୋଗର ଭିତିରି କଥାର ପର୍ଦ୍ଦାଫାସ କରିଛି। ଗ୍ରୁପର ସଦସ୍ୟମାନେ ପରସ୍ପର ସହ କୋଡ ଭାଷାରେ କଥା ହେଉଥିଲେ ଓ ଡାକ୍ତର ଶାହୀନ ନିଜର ମୋବାଇଲରେ ମାଡାମ ଏକ୍ସ ଓ ମାଡାମ ଜେଡ୍ ନାଁରେ ଦୁଇଟି ନମ୍ବରକୁ ସେଭ କରିଛି। ଏହି ଦୁଇ ମହିଳାଙ୍କ ସେ ନିୟମିତ କଥା ହେଉଥିବା ଯାଞ୍ଚରୁ ସ୍ପଷ୍ଟ ହୋଇଛି।
ମେସେଜରୁ ଜଣାପଡ଼ିଛି ଯେ ଡାକ୍ତର ଶାହୀନ ପାଖକୁ ନିୟମିତ ଭାବେ କଲ ଓ ଟେକ୍ସଟ ଏହି ଦୁଇ ନମ୍ବରରୁ ଆସୁଥିଲା। କିନ୍ତୁ ଦୁଇଟି ଯାକ ନମ୍ବରରେ ଡିସପ୍ଲେ ଫଟୋ ନାହିଁ। ମେସେଜରେ ଅନେକ ଥର ମେଡିସିନ ଶବ୍ଦର ବ୍ୟବହାର କରାଯାଇଛି। ସମ୍ଭବତଃ ସେମାନେ ବିସ୍ଫୋରକ ପାଇଁ ମେଡିସିନକୁ କୋଡ ଶବ୍ଦ ଭାବେ ବ୍ୟବହାର କରୁଥିବା ତଦନ୍ତକାରୀ ଏଜେନ୍ସିଗୁଡ଼ିକ ଅନୁମାନ କରୁଛନ୍ତି।
ଗୋଟିଏ ମେସେଜରେ ମାଡାମ ଏକ୍ସ ଲେଖିଥିଲା, “ଅପରେସନ ପାଇଁ ମେଡିସିନର ଅଭାବ ନ ରହିବା ଜରୁରୀ।” ଏଜେନ୍ସିଗୁଡ଼ିକ ଅନୁମାନ କରୁଛନ୍ତି ଯେ ଅପରେସନର ଅର୍ଥ ଆତଙ୍କବାଦୀ ଆକ୍ରମଣ। ମାଡାମ ଜେଡ ଏକଦା ମେସେଜ କରିଥିଲା ଯେ “ମାଡାମ ସର୍ଜନ, ଦୟା କରି ଅପରେସନ ହମଦରଦକୁ ଅଧିକ ଗୁରୁତ୍ୱ ଦିଅନ୍ତୁ।” ସଂଗଠନ ପାଇଁ ମହିଳା ଆତଙ୍କବାଦୀଙ୍କ ନିଯୁକ୍ତି ପ୍ରସଙ୍ଗରେ ଅପରେସନ ହମଦରଦର ବ୍ୟବହାର ହୋଇଥିଲା।
ଭାରତୀୟ ସେନାର ଅପରେସନ ସିନ୍ଦୂର ପରେ ଜୈଶ-ଇ-ମହମ୍ମଦ ତା’ର ଗୋଟିଏ ମହିଳା ୟୁନିଟ ଗଠନ କରିଛି। ଜୈଶ ମୁଖିଆ ମସୁଦ ଆଝାରର ଭଉଣୀ ସାଦିୟା ଏହାର ନେତୃତ୍ୱ ନେଉଛି। ସଂଗଠନର ଭାରତ ଶାଖାର ମୁଖ୍ୟ ଭାବେ କାମ କରୁଥିଲା ଡାକ୍ତର ଶାହୀନ। ତେଣୁ ସଂଗଠନ ପାଇଁ ତା’କୁ ମହିଳାଙ୍କୁ ଯୋଗାଡ଼ କରିବାକୁ ମେସେଜ କରାଯାଇଥିଲା।
ଲକ୍ଷ୍ନୌ ଅନ୍ତର୍ଗତ ଲାଲ ବାଗର ମୂଳବାସିନ୍ଦା ହେଉଛି ଶାହୀନ ସୟିଦ। ଜୈଶର ଫରିଦାବାଦ ଟେରର ମଡ୍ୟୁଲ ପର୍ଦ୍ଦାଫାସ ହେବା ପରେ ତା’କୁ ଗିରଫ କରାଯାଇଥିଲା। ତା’ କାରରୁ ରେଡ ବେଳେ ଆସଲ୍ଟ ରାଇଫଲ ମିଳିଥିଲା। ଅଲ ଫଲାହ ବିଶ୍ୱବିଦ୍ୟାଳୟରେ ଡାକ୍ତର ଭାବେ କାମ କରେ ଶାହୀନ। କଶ୍ମିରୀ ଡାକ୍ତର ମୁଜାମିଲ ଶକୀଲ ଓରଫ ମୁସାଇବର ଘନିଷ୍ଠ ସହଯୋଗୀ ଭାବେ ସେ ପରିଚିତ।
ମୁଜାମିଲର ଦୁଇଟି ଭଡ଼ା ଘରୁ ରେଡ ପରେ ୨୯୦୦ କେଜିର ବିସ୍ଫୋରକ ମିଳିଥିଲା। ଏହାପରେ ତା’କୁ ଗିରଫ କରାଯାଇଥିଲା। ତା’ ଲିଙ୍କରେ ପୁଲିସ ଶାହୀନକୁ ମଧ୍ୟ ବାନ୍ଧିଛି। ଜମ୍ମୁ-କଶ୍ମୀରର ପୁଲୱାମା ଅନ୍ତର୍ଗତ କୌଲର ମୂଳବାସିନ୍ଦା ମୁଜାମିଲ ଧୌଜ ସ୍ଥିତ ଅଲ ଫଲାହ ବିଶ୍ୱବିଦ୍ୟାଳୟର ବରିଷ୍ଠ ଡାକ୍ତର ଭାବେ କାମ କରୁଥିଲା।
ଶ୍ରୀନଗରରେ ଜୈଶ ସମର୍ଥନରେ ମୋଷ୍ଟର ମାରି ଗିରଫ ହୋଇଥିବା ଡାକ୍ତର ଆଦିଲ ଅହମଦ ରାଥେର ଠାରୁ ତଥ୍ୟ ହାସଲ କରି ପୁଲିସ୍ ମୁଜାମିଲ ପାଖରେ ପହଞ୍ଚିଥିଲା। ଏହାପରେ ତା’ ଠିକଣାରୁ ଏତେ ପରିମାଣର ବିସ୍ଫୋରକ ମିଳିଥିଲା। ଯାଞ୍ଚ ବେଳେ ଗୋଟିଏ କାରରୁ ଆସଲ୍ଟ ରାଇଫଲ, ପିସ୍ତଲ ଓ ଗୁଳିଗୋଳା ଜବତ ହୋଇଥିଲା। ଉକ୍ତ କାରଟି ଥିଲା ଶାହୀନର।
ଆଦିଲ, ମୁଜାମିଲ ଓ ଶାହୀନ ଗିରଫ ହେବା ପରେ ସେମାନଙ୍କ ସହଯୋଗୀ ମହମ୍ମଦ ଉମର ପୂରା ଡରି ଯାଇଥିଲା। ସେ ମଧ୍ୟ ଶାହୀନ ଓ ମୁଜାମିଲ ଭଳି ଅଲ ଫଲାହ ହସ୍ପିଟାଲରେ ଡାକ୍ତର ଭାବେ କାମ କରୁଥିଲା।
ବିସ୍ଫୋରକ ସହ ସହଯୋଗୀମାନେ ଗିରଫ ହେବାରୁ ଉମର ଆତଙ୍କିତ ଅବସ୍ଥାରେ ଫରିଦାବାଦ ଛାଡ଼ି ଦେଇଥିଲା। ଏହାପରେ ସେ ବଳକା ବିସ୍ଫୋରକ ଦ୍ୱାରା ଯୋଜନା ଅନୁସାରେ ଲାଲକିଲ୍ଲା ନିକଟରେ ବିସ୍ଫୋରଣ( Delhi Blast) କରିଥିଲା ବୋଲି ପୁଲିସ୍ ଜାଣିବାକୁ ପାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
