Advertisment

Bus Accident: ଆନ୍ଧ୍ରରେ ବସ୍‌ ଜଳିଯିବା ଘଟଣା; ଡ୍ରାଇଭର ଗିରଫ, କ’ଣ ଥିଲା ଭୁଲ୍‌

ଏହି ବସ୍‌ଟି ଯେଉଁ ଟ୍ରାଭେଲ କମ୍ପାନୀ ମାଲିକାନାରେ ଥିଲା, ତାକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି। ବସ୍‌ଟିକୁ ବେଆଇନ ଭାବେ ଏକ ସ୍ଲିପର କୋଚ୍‌ରେ ପରିଣତ କରାଯାଇଥିଲା। ଏହାର ପୁନଃ-ପଞ୍ଜୀକରଣ ମଧ୍ୟ ସନ୍ଦେହ ଘେରକୁ ଆସିଛି।

author-image
Jitendra Garnayak
Bus

ଦୁର୍ଘଟଣାଗ୍ରସ୍ତ ବସ୍‌

ଆନ୍ଧ୍ର ପ୍ରଦେଶ କରନୁଲ ଡବଲ୍‌-ଡେକର ବସ୍ ଦୁର୍ଘଟଣାରେ ଗିରଫ ହୋଇଛନ୍ତି ଡ୍ରାଇଭର ମିରିୟାଲା ଲକ୍ଷ୍ମୟା। ଠକେଇ କରି ଡ୍ରାଇଭିଂ ଲାଇସେନ୍ସ ହାତେଇବା ଓ ଗାଡ଼ି ଚଲାଇବା ବେଳେ ଅବହେଳା କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ପୁଲିସ। 

Advertisment

ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଛି ଯେ, ଦୁର୍ଘଟଣାଗ୍ରସ୍ତ ଡବଲ୍-ଡେକର ବସ୍‌ର ଡ୍ରାଇଭର ମିରିୟାଲା ଲକ୍ଷ୍ମୟା ୫ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛନ୍ତି। କିନ୍ତୁ ସେ ଜାଲ୍ ସାର୍ଟିଫିକେଟ୍ ଦେଖାଇ ଭାରିଯାନ ଚଲାଇବା ପାଇଁ ଲାଇସେନ୍ସ ପାଇଛନ୍ତି। ସେ ୧୦ମ ଯାଏ ପଢ଼ିଥିବା ନେଇ ଜାଲ୍ ସାର୍ଟିଫିକେଟ୍ ଦାଖଲ କରିଥିଲେ। ନିୟମ ଅନୁଯାୟୀ, ପରିବହନ ଗାଡ଼ି ଚଲାଇବା ପାଇଁ ଲାଇସେନ୍ସ ପାଇବାକୁ ହେଲେ ଜଣେ ବ୍ୟକ୍ତି ଅତିକମ୍‌ରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିବା ଆବଶ୍ୟକ। 

କରନୁଲ ପୁଲିସ ମୁଖ୍ୟ ବିକ୍ରାନ୍ତ ପାଟିଲ କହିଛନ୍ତି ଯେ ବାଇକ୍‌ଟି ରାଜପଥ ଉପରେ ପଡ଼ିଥିବା ବେଳେ ଦୁଇଟି ବସ୍‌ ଏହାକୁ ଠିକ୍‌ ଭାବେ ଅତିକ୍ରମ କରିଥିଲେ। କିନ୍ତୁ ମିରିୟାଲା ଲକ୍ଷ୍ମୟା ବାଇକ୍‌ ଉପରେ ବସ୍‌ଟିକୁ ଚଢ଼ାଇ ଦେଇଥିଲେ। ବାଇକ୍ ଚଲାଉଥିବା ଯୁବକ ମଦ ପିଇଥିଲେ। ନିଶାଗ୍ରସ୍ତ ଯୋଗୁ ଭାରସାମ୍ୟ ହରାଇ ସେ ବାଇକ୍‌କୁ ନେଇ ଡିଭାଇଡରରେ ପିଟି ଦେଇଥିଲେ। ଏ ପର୍ଯ୍ୟନ୍ତ ତାଙ୍କର ଭୁଲ୍‌। କିନ୍ତୁ ତା’ପରେ ଘଟିଥିବା ଘଟଣା ପାଇଁ ବସ୍ ଡ୍ରାଇଭର ଦାୟୀ। କାରଣ ସେ ରାସ୍ତାରେ ପଡ଼ିଥିବା ବାଇକ୍‌କୁ ଦେଖି ନଥିଲେ। ଏହା ତାଙ୍କର ଅବହେଳା। 

Advertisment

ସେହିପରି ଏହି ବସ୍‌ଟି ଯେଉଁ ଟ୍ରାଭେଲ କମ୍ପାନୀ ମାଲିକାନାରେ ଥିଲା, ତାକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି। ବସ୍‌ଟିକୁ ବେଆଇନ ଭାବେ ଏକ ସ୍ଲିପର କୋଚ୍‌ରେ ପରିଣତ କରାଯାଇଥିଲା। ଏହାର ପୁନଃ-ପଞ୍ଜୀକରଣ ମଧ୍ୟ ସନ୍ଦେହ ଘେରକୁ ଆସିଛି। ବସ୍‌ଟିରେ ସୁରକ୍ଷା ଦିଗ ପ୍ରତି ଦୃଷ୍ଟି ଦିଆଯାଇ ନଥିଲା ବୋଲି ଅଳ୍ପକେ ରକ୍ଷା ପାଇଯାଇଥିବା ଯାତ୍ରୀମାନେ କହିଛନ୍ତି। ବସ୍‌ରେ ନିଆଁ ଲାଗିବା ପରେ କାଚ ଝରକା ଭାଙ୍ଗିବା ପାଇଁ ଭିତରେ ହାତୁଡ଼ିଟିଏ ମଧ୍ୟ ନଥିଲା ବୋଲି ଅଭିଯୋଗ ହୋଇଛି। 

କେମିତି ଘଟିଲା ଘଟଣା?

ବାଇକ୍‌ରେ ଦୁଇ ଜଣ ବସିଥିଲେ। ଇରି ସ୍ୱାମୀ ଓ ଶିବ ଶଙ୍କର। ଶିବ ଶଙ୍କର ବାଇକ୍ ଚଲାଉଥିଲେ। ଦୁହେଁ ମଦ ପିଇଥିଲେ। ସେମାନେ ଏକ ଢାବାରେ ଖାଇବା ପରେ ମଦ ପିଇଥିଲେ। ରାତି ପ୍ରାୟ ୨ଟା ବେଳେ ସେମାନେ ସେଠାରୁ ଘର ଅଭିମୁଖେ ଯାଉଥିଲେ।

ଇରି ସ୍ୱାମୀଙ୍କୁ ତାଙ୍କ ଘରେ ଛାଡ଼ିବା ପରେ ଶିବ ଶଙ୍କର ନିଜ ଘରକୁ ଯାଇଥା’ନ୍ତେ। ବାଟରେ ସେମାନେ ଏକ ପେଟ୍ରୋଲ ପମ୍ପରେ ଅଟକି ଥିଲେ। ସେ ସମୟର ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଛି। ସେଥିରେ ମଦ ପିଇଥିବା ଶିବ ଶଙ୍କର ଟଳମଳ ହେଉଥିଲେ। ତାଙ୍କର ନିଜ ଉପରେ ଆଦୌ ନିୟନ୍ତ୍ରଣ ନଥିଲା। ତଥାପି ସେ ବାଇକ୍‌ ଚଲାଉଥିଲେ।  

ପେଟ୍ରୋଲ ଟାଙ୍କିରୁ କିଛି ବାଟ ଯିବା ପରେ ବାଇକ୍‌ଟି ଭାରସାମ୍ୟ ହରାଇ ଏକ ଡିଭାଡରରେ ପିଟି ହୋଇଥିଲା। ଶିବ ଶଙ୍କର ଛିଟିକି ରାସ୍ତା ମଝିରେ ପଡ଼ିଥିଲେ। ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଇରି ସ୍ୱାମୀ ଆହତ ହୋଇଥିଲେ। ତାଙ୍କର ହୋସ୍ ଥିଲା। ଶିବ ଶଙ୍କରଙ୍କ ମୃତ୍ୟୁ ହୋଇସାରିଥିବା ଜାଣି ସେ ତାଙ୍କୁ ରାସ୍ତାକଡ଼କୁ ଟାଣି ନେଇଥିଲେ। କିନ୍ତୁ ବାଇକ୍‌ଟିକୁ ରାସ୍ତା ଉପରୁ ହଟାଇ ପାରି ନଥିଲେ। ଡବଲ୍‌-ଡେକର ବସ୍‌ଟି ବାଇକ ଉପରେ ଚଢ଼ିଯାଇଥିଲା। ବାଇକ୍‌ଟିକୁ ଏହା କିଛି ବାଟ ଘୋଷାଡ଼ି ନେଇଥିଲା। ଏହା ପରେ ବିସ୍ଫୋରଣ ହୋଇଥିଲା ଓ ବସ୍‌ଟିରେ ନିଆଁ ଲାଗିଯାଇଥିଲା। ଏଥିରେ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବାକି ଯାତ୍ରୀମାନେ ବାହାରି ଆସିଥିଲେ। 

ତଦନ୍ତରୁ ଜଣାପଡ଼ିଛି ଯେ ବସ୍‌ରେ ଏକ ପେଟିରେ ୪୬ ଲକ୍ଷ ଟଙ୍କାର ୨୩୪ଟି ସ୍ମାର୍ଟ ଫୋନ୍ ଥିଲା। ନିଆଁ ସଂସ୍ପର୍ଶରେ ଆସିବାମାତ୍ରେ ସେଗୁଡ଼ିକ ବିସ୍ଫୋରଣ ହେବାରେ ଲାଗିଥିଲା। ଫଳରେ ଏହି ଦୁର୍ଘଟଣା ଅତିଭୟଙ୍କର ହୋଇଯାଇଥିଲା ବୋଲି କୁହାଯାଉଛି। ସେହିପରି ବସ୍‌ରେ ଏସି ପାଇଁ ବ୍ୟବହୃତ ବିଦ୍ୟୁତ୍ ଚାଳିତ ବ୍ୟାଟେରୀଗୁଡ଼ିକ ମଧ୍ୟ ଫାଟି ଯାଇଥିଲା।