/odisha-reporter/media/post_attachments/uploadimage/library/16_9/16_9_0/Naxal_1682606504.jpg)
Naxal
ଛତିଶଗଡ଼ର ଦାନ୍ତେୱାଡାରେ ବୁଧବାର ନକ୍ସଲମାନେ କରିଥିବା ଭୟଙ୍କର ଆଇଇଡି ବିସ୍ଫୋରଣରେ ଡିଆରଜିର ୧୦ ଜଣ ଯବାନ ଓ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା। ତେବେ ବିସ୍ଫୋରଣରେ ଛିନଛତ୍ର ହୋଇ ଯାଇଥିବା ମିନି ଭ୍ୟାନ ପଛରେ ଗୋଟିଏ ସ୍କପ୍ରିଓ ମଧ୍ୟ ଆସୁଥିଲା। ଏଥିରେ ୭ ଜଣ ଯବାନ ରହିଥିଲେ।
ହେଲେ ପାନ ଖାଇବା ପାଇଁ ଗାଡ଼ିଟି ଅଟକିବାରୁ ନକ୍ସଲ ହମଲାରୁ ୭ ଯବାନ ଓ ଡ୍ରାଇଭର ଜଣଙ୍କ ବର୍ତ୍ତି ଯାଇଛନ୍ତି। ସ୍କପ୍ରିଓ ଚାଳକ ଜଣଙ୍କ ତାଙ୍କ ଆଖି ଆଗରେ ବିସ୍ଫୋରଣ ହେବା ଦେଖିଛନ୍ତି ଓ ସାରା ଜୀବନ ଏହାକୁ ଭୁଲି ପାରିବେ ନାହିଁ ବୋଲି କହିଛନ୍ତି। ଏଥିସହ ବିସ୍ଫୋରଣ ପରେ କ’ଣ ସବୁ ଘଟିଥିଲା, ତା’ର ସୂଚନା ମଧ୍ୟ ଦେଇଛନ୍ତି।
ତାଙ୍କ କହିବା କଥା ଯେ ସେ ଚଳାଉଥିବା ସ୍କପ୍ରିଓଟି ବିସ୍ଫୋରଣ ହୋଇଥିବା ଗାଡ଼ିର ଆଗରେ ରହିଥିଲା। କିନ୍ତୁ ବିସ୍ଫୋରଣ ସ୍ଥଳର କିଛି ବାଟ ପୂର୍ବରୁ ପାନ ମସଲା ଖାଇବା ପାଇଁ ସେ ଗାଡ଼ିକୁ ଧିମା କରି ଦେଇଥିଲେ। ଫଳରେ ୧୦ ଜଣ ଯବାନ ରହିଥିବା ମିନି ଭ୍ୟାନଟି ସ୍କପ୍ରିଓକୁ ଅତିକ୍ରମ କରି ଆଗକୁ ଚାଲି ଯାଇଥିଲା।
ଅତିକ୍ରମ କରିବାର କିଛି ମିନିଟ ପରେ ଆଇଇଡି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ପରେ ସ୍କପ୍ରିଓରେ ଥିବା ଯବାନମାନେ ତୁରନ୍ତ ଗାଡ଼ିରୁ ଓହ୍ଲାଇବା ସହ ରାସ୍ତାରାରେ ପୋଜିସନ ନେଇଥିଲେ। ଏଥିସହ ଜଙ୍ଗଲ ମଧ୍ୟକୁ ଗୁଳି ଚଳାଇଥିଲେ।
ସେ କହିଛନ୍ତି, “ସୁରକ୍ଷାକର୍ମୀଙ୍କ କନଭୟର ୨ନଂରେ ମୋ ଗାଡ଼ି ରହିଥିଲା। ମୋ ଗାଡ଼ିରେ ୭ ଜଣ ଯବାନ ରହିଥିଲେ। ବିସ୍ଫୋରଣ ସ୍ଥଳର ୧୫୦ରୁ ୨୦୦ ମିଟର ପୂର୍ବରୁ ପାନ ଖାଇବା ପାଇଁ ମୁଁ ଗାଡ଼ିକୁ ଅଟକାଇ ଦେଇଥିଲି। ପଛରେ ଆସୁଥିବା ଗାଡ଼ିଟି ଆମକୁ ଅତିକ୍ରମ କରି ଚାଲି ଯାଇଥିଲା। କିଛି ମିନିଟ ପରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ମୁଁ ଭାବୁଛି ମୋ ଗାଡ଼ିକୁ ଟାର୍ଗେଟ କରାଯାଇଥିଲା। କିନ୍ତୁ ଭଗବାନ ଆମକୁ ରକ୍ଷା କରିଦେଲେ।”
ସେ ଆହୁରି କହିଛନ୍ତି, “ବିସ୍ଫୋରଣ ପରେ ମୋ ଗାଡ଼ି ଓ ଅନ୍ୟ ଗାଡ଼ିରେ ଥିବା ଯବାନମାନେ ରାସ୍ତା ଉପରେ ପୋଜିସନ ନେବା ସହ କଭର ଓ ଘେରାଉ କରିବାକୁ ଚିତ୍କାର କରିଥିଲେ। ସେମାନେ ଜଙ୍ଗଲ ଭିତରକୁ ମଧ୍ୟ ଗୁଳି ମାଡ଼ କରିଥିଲେ।
ମିନି ଭ୍ୟାନଟି ମୋ ଆଖି ଆଗରେ ବିସ୍ଫୋରଣ କରିଥିଲା। ରାସ୍ତା ଉପରେ ଖଣ୍ଡବିଖଣ୍ଡିତ ମୃତଦେହ ଓ ଚୂରମାର ହୋଇ ଯାଇଥିବା ଗାଡ଼ିକୁ ମୁଁ ଦେଖିଛି। ମୁଁ ପୂରା ସ୍ତବ୍ଧ ହୋଇଯିବା ସହ ଗାଡ଼ି ଭିତରେ ଲୁଚି ରହିଥିଲି।” ଡ୍ରାଇଭର ଜଣଙ୍କ କହିଛନ୍ତି ଯେ ୧୫ ମିନିଟ ଧରି ସୁରକ୍ଷାକର୍ମୀମାନେ ଗୁଳି ଚଳାଇଥିଲେ। ଜଙ୍ଗଲ ଭିତରେ କିଛି ଚଳପ୍ରଚଳ ମଧ୍ୟ ସେ ଦେଖିଥିବା କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
