/odisha-reporter/media/media_files/2025/10/14/stop-rape1-2025-10-14-20-38-32.jpg)
representational image
ବେଙ୍ଗଲରେ ଓଡ଼ିଆ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯିବା ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି। ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଆଜି ପୁଲିସ୍ ଗିରଫ କରିଛି। ଗିରଫ ମୁଖ୍ୟ ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ପୀଡ଼ିତାଙ୍କ ସହପାଠୀ ତଥା ପୁରୁଷ ବନ୍ଧୁ। ଘଟଣା ଦିନ ପୁରୁଷ ବନ୍ଧୁ ଜଣଙ୍କ ପୀଡ଼ିତାଙ୍କୁ କ୍ୟାମ୍ପସ ବାହାରକୁ ଆସିବାକୁ ପ୍ରବର୍ତ୍ତାଇ ଥିଲେ। ଏଥିସହ ସେ ତାଙ୍କୁ ଦୁଷ୍କର୍ମ କରିଥିଲେ। ତେଣୁ ପୁଲିସ୍ ପୀଡ଼ିତାଙ୍କ ପୁରୁଷ ବନ୍ଧୁଙ୍କୁ ଆଜି ଗିରଫ କରିଛି।
ଆସନ୍ତାକାଲି ତାଙ୍କୁ କୋର୍ଟରେ ହାଜାର କରାଯିବ। ଘଟଣା ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବା ପାଇଁ ତାଙ୍କୁ ପୁଲିସ୍ ରିମାଣ୍ତରେ ମଧ୍ୟ ଆଣିପାରେ। ଏହାକୁ ମିଶାଇ ଓଡ଼ିଆ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ଗିରଫ ସଂଖ୍ୟା ୬କୁ ବୃଦ୍ଧି ପାଇଛି।
ଘଟଣା ପରେ ପୀଡ଼ିତାଙ୍କ ବାପା ରୁଜୁ କରିଥିବା ଅଭିଯୋଗରେ ପୁରୁଷ ବନ୍ଧୁଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଇଥିଲେ। ପ୍ରଥମେ ପୁଲିସ୍ ତାଙ୍କୁ ଅଟକ ରଖିଥିଲା। ୧୬୪ ଧାରା ଅନୁସାରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବା ବେଳେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଥିଲା। ସେ ପୁରୁଷ ବନ୍ଧୁଙ୍କ ସହ ଡିନର କରିବାକୁ ବାହାରୁକୁ ଯାଇଥିଲେ। ଏହି ସମୟରେ ପୁରୁଷ ବନ୍ଧୁ ଜଣଙ୍କ ତାଙ୍କୁ ଦୁଷ୍କର୍ମ କରିଥିବା ଜଣାପଡ଼ିବା ପରେ ଏପରି ଗିରଫଦାରୀ କରାଯାଇଛି।
ଅସନସୋଲ-ଦୁର୍ଗାପୁର ପୁଲିସ୍ କମିଶନର ସୁନୀଲ କୁମାର ଚୌଧୁରୀ କହିଛନ୍ତି, ତଦନ୍ତ ଚାଲିଛି ଓ ବିଭିନ୍ନ ପର୍ଯ୍ୟାୟରେ ଅଭିଯୁକ୍ତଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିଛି। ପୀଡ଼ିତାଙ୍କ ମୋବାଇଲ ଫୋନ ଜବତ ହୋଇଛି। ଆମେ ପୀଡ଼ିତାଙ୍କ ବନ୍ଧୁଙ୍କ ଉପସ୍ଥିତି ଓ ପୋଷାକ ସଂଗ୍ରହ କରିଛୁ। ଆମ ଟିମ ପୀଡ଼ିତାଙ୍କ ବନ୍ଧୁଙ୍କୁ ଧରି ଘଟଣା ସ୍ଥଳରେ ଯାଞ୍ଚ କରିଛି। ପୂରା ଘଟଣାର ରିକ୍ରିଏସନ କରାଯାଇଛି।
ପୀଡ଼ିତାଙ୍କ ବିବୃତି ଓ ପ୍ରାରମ୍ଭିକ ପ୍ରମାଣରୁ ସ୍ପଷ୍ଟ ହୋଇଛି ଯେ ଯୌନ ନିର୍ଯାତନାରେ କେବଳ ଜଣେ ଯୁବକ ସାମିଲ ରହିଛନ୍ତି। ଫରେନ୍ସିକ ଓ ମେଡିକାଲ ରିପୋର୍ଟକୁ ଅପେକ୍ଷା କରାଯାଇଛି। ପୀଡ଼ିତାଙ୍କ ପୁରୁଷ ବନ୍ଧୁଙ୍କ ଭୂକିମା ସନ୍ଦେହ ଘେରରେ ଥିଲା ବୋଲି ସେ କହିଛନ୍ତି।
ଗିରଫଦାରୀ ପୂର୍ବରୁ ପୁରୁଷ ବନ୍ଧୁଙ୍କୁ ପୁଲିସ ଅଟକ ରଖି ଘନଘନ ଜେରା କରିଥିଲା। ଏପରି କି ଘଟଣା ସ୍ଥଳକୁ ନେଇ ଛାନଭିନ କରିଥିଲା। ପୂର୍ବରୁ ଗିରଫ ହୋଇଥିବା ଅନ୍ୟ ୫ ଜଣଙ୍କୁ ନେଇ ପୁଲିସ୍ ଆଜି ସିନ ରିକ୍ରିଏସନ ମଧ୍ୟ କରିଥିଲା। ଏସବୁ ପରେ ସନ୍ଧ୍ୟା ବେଳେ ପୁରୁଷ ବନ୍ଧୁଙ୍କୁ ଗିରଫ କରାଯାଇଛି।
ପଶ୍ଚିମବଙ୍ଗର ଦୁର୍ଗାପୁର ଠାରେ ଥିବା ଘରୋଇ ମେଡିକାଲ କଲେଜର ଦ୍ୱିତୀୟ ବର୍ଷର ଛାତ୍ରୀ ହେଉଛନ୍ତି ପୀଡ଼ିତା। ତାଙ୍କ ଘର ଓଡ଼ିଶାର ଜଳେଶ୍ୱର ଅଞ୍ଚଳରେ। କିନ୍ତୁ ଶୁକ୍ରବାର ସନ୍ଧ୍ୟାରେ ସେ ପଢ଼ୁଥିବା ମେଡିକାଲ କଲେଜ ନିକଟରେ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ପୁଲିସ ମଧ୍ୟ ଏହାକୁ ଗଣଦୁଷ୍କର୍ମ(Stop Rape) ମାମଲା ଭାବେ ବିବେଚନା କରିଥିଲା। କିନ୍ତୁ ଆଜି ସନ୍ଧ୍ୟାରେ ପଶ୍ଚିମବଙ୍ଗ ପୁଲିସ୍ ଗଣଦୁଷ୍କର୍ମକୁ ଦୁଷ୍କର୍ମ ବୋଲି କହିଛି।
ଅନ୍ୟପକ୍ଷରେ ଘଟଣା ପରେ ଗୁରୁତର ହୋଇପଡ଼ିଥିବା ପୀଡ଼ିତାଙ୍କ ଚିକିତ୍ସା ଏବେ ହସ୍ପିଟାଲରେ ଚାଲିଛି। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ପୀଡ଼ିତା ଜଣଙ୍କ କହିଛନ୍ତି ଯେ “ଆମେ(ପୁରୁଷ ବନ୍ଧୁ) ଦେଖିବାକୁ ପାଇଥିଲୁ ଯେ କିଛି ଯୁବକ ସେମାନଙ୍କ ଗାଡ଼ି ଛାଡ଼ି ଆମ ଆଡ଼କୁ ଆସୁଛନ୍ତି। ଏହାକୁ ଦେଖି ମୁଁ ଓ ମୋର ପୁରୁଷ ବନ୍ଧୁ ଜଙ୍ଗଲ ଆଡ଼କୁ ଦୌଡ଼ିଥିଲୁ। ଏହାପରେ ୩ ଜଣ ଯୁବକ ଆମ ପିଛା କରିଥିଲେ। ସେମାନେ ମୋତେ ଧରିବା ସହ ଜଙ୍ଗଲ ଭିତରକୁ ଘୋଷାଡ଼ି ନେଇଥିଲେ।
ସେମାନେ ମୋତେ ପଛ ପଟୁ ଜାବୁଡ଼ି ଧରି ମୋ ଫୋନ ଛଡ଼ାଇ ନେଇଥିଲେ। ଏହାପରେ ମୋ ପୁରୁଷ ବନ୍ଧୁଙ୍କୁ କଲ କରିବାକୁ କହିଥିଲେ। ହେଲେ ମୋ ବନ୍ଧୁ ଆସି ନଥିଲେ। ସେ ନ ଆସିବାରୁ ଯୁବକମାନେ ମୋତେ ଜଙ୍ଗଲ ଭିତରକୁ ନେଇ ତଳେ ପକାଇ ଦେଇଥିଲେ। ମୁଁ ଚିତ୍କାର କରିବାରୁ ସେମାନେ ମୋତେ ଚୁପ ରହିବାକୁ ଧମକ ଦେଇଥିଲେ।
ଯଦି ମୁଁ ଚୁପ ନ ରହିବି, ତା’ହେଲେ ସେମାନେ ଆଉ କିଛି ଯୁବକଙ୍କୁ ଡାକିବେ ବୋଲି ଚେତାବନୀ ଦେଇଥିଲେ। ସେମାନେ ମଧ୍ୟ ମୋ ସହ ଖରାପ କାମ କରିବେ ବୋଲି ସତର୍କ କରାଇଥିଲେ। ତେଣୁ ଆମକୁ ଚୁପ ଚାପ ଆମ କାମ କରିବାକୁ ଦେ ବୋଲି ସେମାନେ କହିଥିଲେ।”
ଦ୍ୱିତୀୟ ବର୍ଷର ମେଡିକାଲ ଛାତ୍ରୀ ଜଣଙ୍କ ଶୁକ୍ରବାର ସନ୍ଧ୍ୟାରେ ନିଜର ଜଣେ ବନ୍ଧୁଙ୍କ ସହ କଲେଜ କ୍ୟାମ୍ପସ ବାହାରକୁ ଡିନର କରିବାକୁ ଯାଇଥିଲେ। ଏହି ସମୟରେ କିଛି ଯୁବକ ତାଙ୍କୁ ମେଡିକାଲ କଲେଜର ପଛ ପଟ ଜଙ୍ଗଲିଆ ଅଞ୍ଚଳକୁ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
