/odisha-reporter/media/media_files/2026/01/08/dog-2026-01-08-15-46-05.jpg)
ବୁଲା କୁକୁର
ବୁଲା କୁକୁର(Stray Dogs) ପ୍ରସଙ୍ଗରେ ଶୁଶାଣି ବେଳେ ବଡ଼ କଥା କହିଛନ୍ତି ସୁପ୍ରିମକୋର୍ଟ। ରାସ୍ତାଘାଟରୁ ପ୍ରତିଟି ବୁଲା କୁକୁରଙ୍କୁ ହଟାଇବା ପାଇଁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇନାହାନ୍ତି। ଏଥିସହ ନିୟମ ଅନୁସାରେ ସେମାନଙ୍କ ସହ ବ୍ୟବହାର କରିବାକୁ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି।
ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ସନ୍ଦୀପ ମେହତା ଓ ଜଷ୍ଟିସ ଏନଭି ଅଞ୍ଜାରିଆଙ୍କ ଖଣ୍ଡପୀଠ ଗୁରୁବାର ମଧ୍ୟ ସର୍ବସାଧାରଣ ସ୍ଥାନରେ ବୁଲା କୁକୁର ପରିଚାଳନା ପ୍ରସଙ୍ଗରେ ନିଜ ଆଡ଼ୁ ଶୁଣାଣି କରିଛନ୍ତି। ବୁଧବାର ଭଳି ଗୁରୁବାର ମଧ୍ୟ ସମସ୍ତ ପକ୍ଷରୁ ଓକିଲ କୋର୍ଟରେ ଉପସ୍ଥିତ ରହି ନିଜ ନିଜର ପକ୍ଷ ରଖିଛନ୍ତି।
ପଶୁ କଲ୍ୟାଣ ସଂଗଠନ ପକ୍ଷରୁ ବରିଷ୍ଠ ଆଇନଜୀବୀ ସିୟୁ ସିଂହ କହିଛନ୍ତି ଯେ କୁକୁରମାନେ ଦିଲ୍ଲୀରେ ଗୋଟିଏ ସନ୍ତୁଳନ ରକ୍ଷା କରୁଛନ୍ତି। ଦିଲ୍ଲୀକୁ ମୂଷା ଓ ମାଙ୍କଡ଼ମାନଙ୍କ ପକ୍ଷରୁ ମଧ୍ୟ ବିପଦ ରହିଛି। ଯଦି କୁକୁରମାନଙ୍କୁ ହଠାତ୍ ମୂଳପୋଛ କରି ଦିଆଯିବ, ତା’ହେଲେ କ’ଣ ହେବ? ମୂଷମାନଙ୍କ ସଂଖ୍ୟା ବଢ଼ିବ। ସେମାନେ ରୋଗର ବାହାକ। ବୁଲା କୁକୁରମାନଙ୍କୁ ସଂପୂର୍ଣ୍ଣ ଭାବେ ହଟାଇବା ବଦଳରେ ବନ୍ଧ୍ୟାକରଣ ପରେ ସମାନ ଅଞ୍ଚଳରେ ଛଡ଼ା ଯିବା ସପକ୍ଷରେ ସେ ଯୁକ୍ତି ଉପସ୍ଥାପନ କରିଛନ୍ତି।
କୁକୁର, ମୂଷା ଓ ମାଙ୍କଡ଼ମାନଙ୍କ ମଧ୍ୟରେ ଥିବା ସମ୍ଭାବ୍ୟ ସମ୍ପର୍କ ଉପରେ ପ୍ରଶ୍ନ ଉଠାଇ ଜଷ୍ଟିସ ମେହତା ହସଖୁସି ମିଜାଜରେ କହିଛନ୍ତି ଯେ ”କୁକୁର ଓ ବିଲେଇ ଶତ୍ରୁ। ଆମକୁ ବିଲେଇକୁ ପ୍ରୋତ୍ସାହିତ କରିବାକୁ ପଡ଼ିବ। କାରଣ ସେମାନେ ମୂଷାର ଶତ୍ରୁ।”
ହସ୍ପିଟାଲରେ ବୁଲା କୁକୁରଙ୍କ ଉପସ୍ଥିତି ସମ୍ପର୍କରେ ଜଷ୍ଟିସ ମେହେତା ପ୍ରଶ୍ନ ପଚାରିବାକୁ ଶ୍ରୀ ସିଂହ କହିଛନ୍ତି, “ଜେଏନ୍ୟୁ ପ୍ରାୟ ୧୦୦୦ ଏକର ଜମିରେ ରହିଛି। ଡିୟୁ ପ୍ରାୟ ୭୦ରୁ ୮୦ ଏକର ଓ ରେଳବାଇର ଖୋଲା ବାଉଣ୍ଡରୀ ଅଛି। କୁକୁରମାନେ ଆସି ପାରନ୍ତି। ଠିକ ଭାବେ ଲାଗୁ କରାଯାଉଥିବା ଏବିସି(ପଶୁ ଜନ୍ମ ନିୟନ୍ତ୍ରଣ) ନିୟମ ହିଁ ଯର୍ଥାର୍ଥ ସାବ୍ୟସ୍ତ ହୋଇଥାଏ। ଆମର କହିବା କଥା ହଲା ଯେ ଯେତେବେଳେ ବହୁ ସଂଖ୍ୟକ କୁକୁରମାନଙ୍କୁ ଗୋଟିଏ ସ୍ଥାନରେ ରଖାଯାଇଥାଏ ସେତେବେଳେ ଅନ୍ୟ ରୋଗ ବ୍ୟାପିଥାଏ।”
ଏହା ଶୁଣି କୋର୍ଟ କହିଛନ୍ତି ଯେ ଏବିସି ନିୟମ ଓ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଅନେକ ରାଜ୍ୟରେ ଏହାକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଉଛି। ପଶୁ ଅଧିକାର ବିଶେଷଜ୍ଞ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ କ୍ରିଷ୍ଣ ଭେନୁଗୋପାଲ ଏବିସି ନିୟକୁ କାର୍ଯ୍ୟକାରୀ କରିବାକୁ ବଜେଟର ବ୍ୟବସ୍ଥା ହେଉ ନଥିବା ସୂଚନା ଦେଇଛନ୍ତି।
ସେ କହିଛନ୍ତି, “ଯଦି ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏ ଏବିସି କେନ୍ଦ୍ର ରହିବ, ତା’ହେଲେ ୧୬୦୦ ଟଙ୍କା ଖର୍ଚ୍ଚ ହେବ। କେନ୍ଦ୍ର ସରକାରଙ୍କ ୫ଟି ମନ୍ତ୍ରଣାଳୟକୁ ଏଥିରେ ସାମିଲ ହେବାକୁ ପଡ଼ିବ।
ବର୍ତ୍ତମାନ ସୁଦ୍ଧା କେବଳ ୬୬ଟି ଏବିସି କେନ୍ଦ୍ରକୁ ଅନୁମୋଦନ ମିଳିଛି। ହେଲେ ଦେଶରେ ୫.୨ କୋଟି କୁକୁର ରହିଛନ୍ତି। ମାନବ ଶକ୍ତିରେ ମଧ୍ୟ ସମସ୍ୟା ରହିଛି। ଆମକୁ ସ୍ୱତନ୍ତ୍ର ବାହିନୀ ଗଠନ କରିବାକୁ ପଡ଼ିବ ବୋଲି କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
