S JaiShankar
ଚୀନ୍ ଓ ଭାରତ ମଧ୍ୟରେ ଦୀର୍ଘ ୪ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ପୂର୍ବ ଲଦାଖ ଅନ୍ତର୍ଗତ ଏଲ୍ଏସିରେ ଲାଗି ରହିଥିବା ଅଶାନ୍ତକୁ ଦୂର କରିବା ପାଇଁ ବୁଝାମଣା ହୋଇଛି। ଉଭୟ ଦେଶର ସେନା ପଛକୁ ହଟିବା ଆରମ୍ଭ କରିଛନ୍ତି। ତେବେ ଏହାରି ଭିତରେ ଚୀନ୍ ସହିତ ଭାରତର ସମ୍ପର୍କକୁ ନେଇ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏକ ବଡ଼ ବୟାନ ଦେଇଛନ୍ତି।
ଶନିବାର ଦିନ ସେ କହିଛନ୍ତି ଯେ ଲାଇନ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ରେ ପାଟ୍ରୋଲିଂ ନେଇ ଚୀନ୍ ସହ ଏକ ଚୁକ୍ତି ହୋଇଛି। ତେବେ ଏହାର ଅର୍ଥ ନୁହେଁ ଯେ ଦୁଇ ଦେଶ ମଧ୍ୟରେ ଥିବା ସମସ୍ୟାର ସମାଧାନ ହୋଇଛି। ସେ କହିଛନ୍ତି ଯେ ସୈନ୍ୟ ପ୍ରତ୍ୟାହାର ପରବର୍ତ୍ତୀ ପଦକ୍ଷେପ ଉପରେ ବିଚାର କରିବାକୁ ଏକ ସୁଯୋଗ ମିଳିଛି, କିନ୍ତୁ ସମସ୍ୟାର ସମାଧାନ ହୋଇପାରି ନାହିଁ। ପୁଣେରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଜୟଶଙ୍କର ଏଭଳି କିଛି କହିଛନ୍ତି।
ଜୟଶଙ୍କର କହିଛନ୍ତି, ଉଭୟ ଦେଶର ସେନା ପଛକୁ ହଟିବା ନେଇ ଅକ୍ଟୋବର ୨୧ ତାରିଖରେ ଯେଉଁ ଚୁକ୍ତି ହେଲା, ତା' ଅନୁଯାୟୀ ଡେପସାଙ୍ଗ ଓ ଡେମଚୋକରେ ପାଟ୍ରୋଲିଂ କରାଯିବ। ସୈନ୍ୟ ପ୍ରତ୍ୟାହାରର ଏହା ପ୍ରଥମ ପର୍ଯ୍ୟାୟ ଏବଂ ଆମେ ସେହି ପର୍ଯ୍ୟାୟରେ ପହଞ୍ଚିବାରେ ସଫଳ ହୋଇଛୁ।
ପୁଣେରେ ଛାତ୍ରୀଛାତ୍ରମାନଙ୍କ ସହ କଥା ହେଲା ବେଳେ ଜୟଶଙ୍କର କହିଛନ୍ତି, ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତି ହୋଇଥିଲେ ମଧ୍ୟ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସ୍ୱାଭାବିକ ହେବା ପାଇଁ ଆଉ କିଛିଦିନ ସମୟ ଲାଗିବ। ଏଥିପାଇଁ ପରସ୍ପର ଉପରେ ବିଶ୍ୱାସ ଏବଂ ଏକାଠି କାର୍ଯ୍ୟ କରିବାର ଇଚ୍ଛାଶକ୍ତି ସୃଷ୍ଟି କରିବାକୁ ହେବ।
ଦୁଇ ଦେଶର ବହିର୍ବ୍ୟାପାର ମନ୍ତ୍ରୀ ଏବଂ ଜାତୀୟ ସୁରକ୍ଷା ଉପଦେଷ୍ଟାମାନେ ଆଲୋଚନା ମାଧ୍ୟମରେ ଏହି ପ୍ରକ୍ରିୟାକୁ ଆଗେଇ ନେବେ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗଙ୍କ ମଧ୍ୟରେ ଗତ ୨୩ ତାରିଖରେ ହୋଇଥିବା ଦ୍ୱିପାକ୍ଷିକ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଜୟଶଙ୍କର ସୂଚନା ଦେଇଛନ୍ତି।
ଉଭୟ ଭାରତ ଓ ଚାଇନା ମଧ୍ୟରେ ବୁଝାମଣା ହେବା ସହ ଆସନ୍ତା ୨୯ ତାରିଖ ସୁଦ୍ଧା ଡେପ୍ସାଙ୍ଗ ଏବଂ ଡେମ୍ଚୋକ୍ରୁ ସେନା ପ୍ରତ୍ୟାହାର ଶେଷ କରିବାକୁ ନିଷ୍ପତ୍ତି ହୋଇଥିଲା। ତଦନୁଯାୟୀ ସେନା ପ୍ରତ୍ୟାହାର କାର୍ଯ୍ୟ ଜାରି ରହିଥିବାବେଳେ ୩୦-୩୧ରୁ ଉଭୟ ପକ୍ଷ ପାଟ୍ରୋଲିଂ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି)ରେ ଏହି ସଫଳତା ପାଇଁ ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଶନିବାର ଭାରତୀୟ ସେନା ଓ କୂଟନୀତିଜ୍ଞମାନଙ୍କୁ ଶ୍ରେୟ ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
