/odisha-reporter/media/post_attachments/uploadimage/library/16_9/16_9_0/ED_1753087667.jpg)
ED
କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଉପରେ ଆଜି ମନଇଚ୍ଛା ବର୍ଷିଛନ୍ତି ସୁପ୍ରିମକୋର୍ଟ। ଆଇନଗତ ଉପାୟରେ ଇଡି ରାଜନୀତିକ ଯୁଦ୍ଧ ଲଢ଼ିବାକୁ ଚେଷ୍ଟା କରୁଛି ବୋଲି ସର୍ବୋଚ୍ଚ ଅଦାଲତ କରିଛନ୍ତି। ଦୁଇଟି ଭିନ୍ନ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଇଡି ବିରୋଧରେ ଶକ୍ତ ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି।
ମୁଦା କେସ୍ରେ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ପତ୍ନୀଙ୍କୁ ମିଳିଥିବା ଆଶ୍ୱସ୍ତି ବିରୋଧରେ ଇଡି ଆବେଦନ କରିଥିଲା। ସେହିପରି ଆଇନଜୀବୀମାନେ ନିଜର କ୍ଲାଏଣ୍ଟମାନଙ୍କୁ ଦେଉଥିବା ପରାମର୍ଶ ଯୋଗୁ ଇଡି ସେମାନଙ୍କୁ ସମନ କରିଥିବାରୁ ଏହାର ଶୁଣାଣି ସୁପ୍ରିମକୋର୍ଟ ନିଜ ଆଡ଼ୁ କରିଛନ୍ତି। ଉଭୟ ମାମଲାରେ ସର୍ବୋଚ୍ଚ ଅଦାଲତ ଇଡିକୁ ତୀବ୍ର ସମାଲୋଚନା କରିଛନ୍ତି।
କର୍ଣ୍ଣାଟକା ମାମଲା
କର୍ଣ୍ଣାଟକା ହାଇକୋର୍ଟ ନିକଟରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ପତ୍ନୀ ବିଏମ ପାର୍ବତୀ ଓ କର୍ଣ୍ଣାଟକାର ସହର ବିକାଶ ମନ୍ତ୍ରୀ ବି ସୁରେଶଙ୍କ ନାଁରେ ରୁଜୁ ହୋଇଥିବା ମନି ଲଣ୍ତରିଂ ମାମଲାକୁ ଖାରଜ କରି ଦେଇଥିଲେ। ଏହାକୁ ଇଡି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ମହୀଶୂର ଅର୍ବାନ ଡେଭଲପମେଣ୍ଟ ଅଥୋରିଟୀ ବା ମୁଦା ପକ୍ଷରୁ ବେଆଇନ ଭରବେ ଜମି ଆବଣ୍ଟନ ଅଭିଯୋଗ ସହ ଏହା ଜଡ଼ିତ। ଇଡି ତଦନ୍ତକୁ ଏହି ମାମଲାରୁ ଦୂରେଇ ରଖିବା ପାଇଁ ପ୍ରଥମେ ତଳ କୋର୍ଟ ରାୟ ଦେଇଥିଲେ। ମାର୍ଚ୍ଚ ୭ରେ ଏହାକୁ ହାଇକୋର୍ଟ ମଧ୍ୟ କାଏମ ରଖିଥିଲେ।
ତଳ କୋର୍ଟ ଓ ହାଇକୋର୍ଟ ଉପଯୁକ୍ତ ପ୍ରମାଣ ଆଧାରେ ରାୟ ଦେଇଥିବା ବେଳେ ଇଡି କାହିଁକି ଏହାକୁ ଚ୍ୟାଲେଞ୍ଜ କରୁଛି ବୋଲି ଆଜି ଶୁଣାଣି ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ବିଆର ଗବାଇ ପ୍ରଶ୍ନ କରିଛନ୍ତି। ସିଜେଆଇ କହିଛନ୍ତି, “ଆପଣ ଭଲ ଭାବେ ଜାଣିଛନ୍ତି ଯେ ଏକକ ବେଞ୍ଚ ଟ୍ରାଏଲ କୋର୍ଟ ଦେଇଥିବା ରାୟକୁ କାଏମ ରଖିଥିଲେ। ରାଜନୀତିକ ଲଢ଼େଇ ମତାଦାତାଙ୍କ ମଧ୍ୟରେ ଲଢ଼ିବାକୁ ଛଡ଼ା ଯାଉ। ଆପଣଙ୍କୁ କାହିଁକି ଏଥିରେ ବ୍ୟବହୃତ ହେଉଛନ୍ତି? ଦୁର୍ଭାଗ୍ୟବଶତଃ, ମହାରାଷ୍ଟ୍ରରେ ମୋର କିଛି ଅନୁଭୂତ ଇଡି ସହିତ ରହିଛି। ଆମେ କିଛି ବଡ଼ କଥା କହୁ ବୋଲି ଦୟା କରି ବାଧ୍ୟ କରନ୍ତୁ ନାହିଁ। ନଚେତ ଆମକୁ ବାଧ୍ୟ ହୋଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମ୍ପର୍କରେ କିଛି ଅତ୍ୟନ୍ତ କଠୋର କଥା କହିବାକୁ ପଡ଼ିବ।”
ଇଡି ପାଇଁ ମାମଲା ପରିଚାଳନା କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ ଏସ୍ଭି ରାଜୁ ଏକଥା ଶୁଣି ଆବେଦନ ପ୍ରତ୍ୟାହାର କରିବାକୁ ଚାହୁଁଥିବା କହିଥିଲେ। କିନ୍ତୁ ଏହାକୁ ଗୋଟିଏ ବଡ଼ ଉଦାହରଣ ଭାବେ ବିଚାର ନ କରିବାକୁ ସେ ଅନୁରୋଧ କରିଥିଲେ। ଏହାର ଜବାବରେ ପ୍ରଧାନ ବିଚାରପତି କହିଛନ୍ତି, “ଆମେ ଏକକ ବେଞ୍ଚ ଗ୍ରହଣ କରିଥିବା ପଦକ୍ଷେପରେ କୌଣସି ତ୍ରୁଟି ପାଉ ନାହୁଁ। ଆମେ ଆବେଦନକୁ ଖାରଜ କରୁଛୁ। କଠୋର ଶବ୍ଦରୁ ରକ୍ଷା ପାଇଥିବାରୁ ଆମେ ଅତିରିକ୍ତ ସଲିସିଟର ଜେନେରାଲକୁ ଧନ୍ୟବାଦ ଦେବା କଥା।”
ବରିଷ୍ଠ ଆଇନଜୀବୀମାନଙ୍କୁ ଇଡି ସମନ କରିବା ମାମଲା
କ୍ଲାଏଣ୍ଟମାନଙ୍କୁ ପରାମର୍ଶ ଦେଉଥିବା ବରିଷ୍ଠ ଆଇନଜୀବୀମାନଙ୍କୁ ଇଡି ସମନ କରିବା ଘଟଣାକୁ ସୁପ୍ରିମକୋର୍ଟ ନିଜ ଆଡ଼ୁ ଶୁଣାଣି କରିବା ସହ ଚିନ୍ତା ପ୍ରକଟ କରିଛନ୍ତି। ବରିଷ୍ଠ ଆଇନଜୀବୀ ବିକାଶ ସିଂହ ଖଣ୍ଡପୀଠଙ୍କୁ କହିଛନ୍ତି ଯେ ଇଡିର ପଦକ୍ଷେପ ଆଇନଗତ କାର୍ଯ୍ୟକୁ ଗୁରୁତର ଭାବେ ପ୍ରଭାବିତ କରିଛି। ସେ ଗୋଟିଏ ଅନ୍ତର୍ଜାତୀୟ ଉଦାହରଣ ଦେଇ କହିଛନ୍ତି, “ପୂରା ବାର୍ ଆସୋସିଏସନକୁ ତୁର୍କୀରେ ଭଙ୍ଗ କରି ଦିଆଯାଇଥିବା ଆମେ ଦେଖିଥିଲୁ। ଚାଇନାରେ ମଧ୍ୟ ସେମିତି କିଛି ହୋଇଥିଲା। ଆମେ କେବେ ହେଲେ ବି ସେ ଦିଗରେ ଯିବା କଥା ନୁହେଁ। କିଛି ଗାଇଡଲାଇନ ନିଶ୍ଚିତ ଆସିବା ଦରକାର।”
ଏଥିରେ ପ୍ରଧାନ ବିଚାରପତି ସହମତ ପ୍ରକାଶ କରି କହିଛନ୍ତି, ଯଦି ଆଇନଜୀବୀଙ୍କ ପକ୍ଷରୁ ପରାମଶଆ ଦିଆଯିବା ଭୁଲ, ତା’ହେଲେ ତାଙ୍କୁ କେମିତି ସମନ କରାଯିବ? ଏହା ଗୋଟିଏ ସ୍ୱାଧୀକାର ବିଷୟବସ୍ତୁ। କିଛି ଗାଇଡଲାଇନ ନିଶ୍ଚିତ ଆସିବା ଦରକାର। କୋର୍ଟ ଜଣେ ଆମିକ୍ୟୁସ କୁରୀ ନିଯୁକ୍ତ କରି ସବୁ ତଥ୍ୟ ସଂଗ୍ରହ କରିବେ ଓ ଆଗାମୀ ସପ୍ତାହରେ ଏହାର ଶୁଣାଣି ହେବ। ଆମେ ସମସ୍ତେ ଓକିଲ ବୋଲି ସିଜେଆଇ କହିଛନ୍ତି।
ସଲିସିଟର ଜେନେରାଲ ତୁଷାର ମେହେଟା ଯୁକ୍ତି ଉପସ୍ଥାପନ କରି କହିଛନ୍ତି, ଏଜେନ୍ସି ବିରୋଧରେ ଗୋଟିଏ ଖରାପ ଧାରଣା ସୃଷ୍ଟି କରିବାକୁ ଜାଣିଶୁଣି ଗୋଟିଏ ପ୍ରୟାସ କରାଯାଉଛି। ରାଜନେତାମାନେ ବିଭିନ୍ନ ସାକ୍ଷାତକାରରେ ଗୋଟିଏ ଧାରଣା ସୃଷ୍ଟି କରିପାରିବେ। ବେଳେବେଳେ କୋର୍ଟଙ୍କ ମତ ମଧ୍ୟ ଭୁଲ ଧାରଣା ସୃଷ୍ଟି କରୁଛି।”
ଏହାର ଜବାବରେ ସିଜେଆଇ କହିଛନ୍ତି, “ଆମେ ଅନେକ ମାମଲାରେ ଏମିତି ସବୁ ଘଟୁଥିବା ଦେଖିବାକୁ ପାଉଛୁ। ବିଭିନ୍ନ ଅଦାଲତକୁ ମୋର ଯିବା ଆସିବା କରିବାର ଅନୁଭବ ରହିଛି। ଦୁର୍ଭାଗ୍ୟବଶତଃ ପ୍ରଥମ ଦିନରେ ହିଁ ମୋ ପାଖକୁ ଦୁଇଟି ରାଜନୀତିକ ଦଳ ସହ ଜଡ଼ିତ ମାମଲା ଆସିଥିଲା। ମୋତେ କହିବାକୁ ପଡ଼ିଥିଲା ଯେ ଏହାକୁ ରାଜନୀତିକରଣ ନ କରାଯାଉ।
ଆମେ ଇଡିକୁ ପ୍ରଶଂସା କରି କୌଣସି ରାୟ ପାରିତ କରି ନାହୁଁ, ଏହା ଗୋଟିଏ ରାୟରେ ମଧ୍ୟ ଉଲ୍ଲେଖ ରହିଥିଲା। ଆମେ ଅନେକ ମାମଲାରେ ଦେଖିଛୁ ଯେ ହାଇକୋର୍ଟ ବେଶ ଯତ୍ନର ସହ ରାୟ ଦେଇଥିଲେ ହେଁ ଇଡି ବାରମ୍ବାର ଏହା ବିରୋଧରେ ଆବେଦନ କରୁଛି।”
ଗୋଟିଏ ଧାରଣା ସୃଷ୍ଟି କରାଯାଉଥିବା ପ୍ରସଙ୍ଗରେ ସିଜେଆଇ କହିଛନ୍ତି, “ଆମ ପାଖରେ ଖବରକାଗଜ ପଢ଼ିବାକୁ ଓ ୟୁଟ୍ୟୁବ ଦେଖିବାକୁ ସମୟ ନାହିଁ। ମୁଁ ଫିଲ୍ମ ମଧ୍ୟ ଗତ ସପ୍ତାହରେ ହସ୍ପିଟାଲରେ ଥିବା ବେଳେ ଦେଖିଥିଲି।” ଏହା ଶୁଣି ସଲିସିଟର ଜେନେରାଲ ସ୍ପଷ୍ଟ କରିଥିଲେ ଯେ “ଏହି କୋର୍ଟ ପ୍ରଭାବିତ ହୋଇଥିବା କଥା ମୁଁ କହୁ ନାହିଁ। ମୁଁ କୌଣସି ପ୍ରତିକୂଳ ଆଭିମୁଖ୍ୟ ଏଠାରେ ପ୍ରଦର୍ଶନ କରୁନାହିଁ।”
ଶୁଶାଣି ବେଳେ ଜଣେ ଓକଲି କହିଥିଲେ ଯେତେବେଳେ ବରିଷ୍ଠ ଆଇନଜୀବୀ ଅରବିନ୍ଦ ଦାତାର ଇଡିର ସମନ ପାଇଥିଲେ ସେତେବେଳେ ସେ ସ୍ପେନରେ ଥିଲେ। ସମନ ପାଇଁ ସେ ମାନସିକ ସ୍ତରରେ ଆଘାତ ପାଇଥିଲେ। ଏହାର ଜବାବରେ ସଲିସିଟର ଜେନେରାଲ କହିଛନ୍ତି, “ଯେତେବେଳେ ଶ୍ରୀ ଦାତାରଙ୍କୁ ସମନ କରାଯିବା ତଥ୍ୟ ମୋ ପାଖକୁ ଆସିଥିଲା ସେତେବେଳେ ସର୍ବୋଚ୍ଚ କାର୍ଯ୍ୟକାରୀ ପ୍ରାଧିକରଣଙ୍କ ପାଖକୁ ମଧ୍ୟ ଯାଇଥିଲା। ଏଥିପାଇଁ ୬ ଘଣ୍ଟା ମଧ୍ୟରେ ବିଜ୍ଞପ୍ତି ପ୍ରକାଶ କରି କୌଣସି ସମନ ଜାରି କରାଯାଇ ପାରିବ ନାହିଁ ବୋଲି କୁହାଯାଇଥିଲା।”
ଏଣିକି ଆଇନଜୀବୀଙ୍କୁ ସମନ କରିବା ପୂର୍ବରୁ ଇଡିକୁ କୋର୍ଟଙ୍କ ଅନୁମତି ନେବାକୁ ପଡ଼ିବ। ଜଷ୍ଟିସ ବିଶ୍ୱନାଥ ଏପରି ରାୟ ଦେଇଥିବା ସର୍ବୋଚ୍ଚ ଅଦାଲତ କରିଛନ୍ତି। ଶୁଣାଣି ଶେଷ ବେଳେ ସିଜେଆଇ କହିଛନ୍ତି, “ଆମେ ସକାଳୁ ଏକଥା କହିବାକୁ ଚାହୁଁଛୁ ଯେ କୋର୍ଟଙ୍କୁ ରାଜନୀତିକ ମଞ୍ଚ ଭାବେ ବ୍ୟବହାର କରନ୍ତୁ ନାହିଁ। ଆମ ମୁହଁ ଖୋଲିବାକୁ ବାଧ୍ୟ କରନ୍ତୁ ନାହିଁ।
ଦରକାର ପଡ଼ିଲେ ଆମେ ଇଡି ସମ୍ପର୍କରେ କଠୋର ଶବ୍ଦ ବ୍ୟବହାର କରିପାରିବୁ। ଏହି ଭାଇରସକୁ ଦେଶର ବିଭିନ୍ନ ସ୍ଥାନରେ ଛାଡ଼ନ୍ତୁ ନାହିଁ। ମତଦାତାଙ୍କ ଭିତରେ ରାଜନୀତିକ ଲଢ଼େଇକୁ ଛଡ଼ାଯାଉ। ଆପଣ କାହିଁକି ଏଥିରେ ବ୍ୟବହୃତ ହେଉଛନ୍ତି?”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
