/odisha-reporter/media/post_attachments/uploadimage/library/16_9/16_9_0/aap_1756194108.jpg)
aap
ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଆପ୍ର ବରିଷ୍ଠ ନେତା ସୌରଭ ଭରଦ୍ୱାଜଙ୍କ ଘରେ ରେଡ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ଆଜି ଇଡି ପକ୍ଷରୁ ସୌରଭଙ୍କ ଘରେ ସମେତ ୧୩ଟି ସ୍ଥାନରେ ରେଡ କରାଯାଇଛି। ଆପ୍ ସରକାର ବେଳେ ହସ୍ପିଟାଲ ନିର୍ମାଣ ପାଇଁ ଅନୁମୋଦନ ମିଳିଥିବା ପାଣ୍ଠିରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା।
ତତ୍କାଳୀନ ବିରୋଧୀ ଦଳ ବିଜେପି ହସ୍ପିଟାଲ ନିର୍ମାଣରେ ଚଞ୍ଚକତା ହୋଇଥିବା ଅଭିଯୋଗ କରିଥିଲା। ଏନେଇ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଥିବା ବେଳେ ଆଜି ସୌରଭଙ୍କ ଘରେ ସମେତ ୧୩ଟି ଠିକଣାରେ ରେଡ କରିଛି।
ଅଧିକାରୀଙ୍କ କହିବା କଥା ଯେ ସେମାନେ ଦିଲ୍ଲୀ ଓ ଏହାର ଆଖପାଖର ୧୩ଟି ସ୍ଥାନରେ ଚଢ଼ଉ କରିଛନ୍ତି। ତେବେ ରେଡ ବେଳେ କ’ଣ ସବୁ ଜବତ ହୋଇଛି କିମ୍ବା କେତେ ଟଙ୍କାର ଅନିୟମିତତା ସମ୍ପର୍କରେ ସୁରାକ ମିଳିଛି, ସେକଥା ଇଡି ପକ୍ଷରୁ ଏଯାଏ କୁହାଯାଇ ନାହିଁ।
ସୌରଭ ହେଉଛନ୍ତି ଗ୍ରେଟର କୈଳାସରୁ ୩ଥର ବିଧାୟକ ହୋଇଛନ୍ତି। ସେ ଆପ୍ କ୍ଷମତାରେ ଥିବା ବେଳେ ଦିଲ୍ଲୀର ସ୍ୱାସ୍ଥ୍ୟ, ନଗର ଉନ୍ନୟନ, ଜଳ ମନ୍ତ୍ରୀ, ଦିଲ୍ଲୀ ଜଳ ବୋର୍ଡର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇ ଦେଇଥିଲେ। ସେ ଆପର ଜଣେ ତୁଙ୍ଗ ମୁଖପାତ୍ର ଭାବେ ମଧ୍ୟ ପରିଚିତ।
୨୦୨୪ ଅଗଷ୍ଟ ମାସରେ ତତ୍କାଳୀନ ବିରୋଧୀ ଦଳ ନେତା ବିଜେନ୍ଦର ଗୁପ୍ତା ହସ୍ପିଟାଲ ନିର୍ମାଣରେ ଅନିୟମିତତା ହୋଇଥିବା ଅଭିଯୋଗ କରିଥିଲେ। ୨୪ଟି ହସ୍ପିଟାଲ ପ୍ରକଳ୍ପ ପାଇଁ ୨୦୧୮-୧୯ରେ ମୋଟ ୫,୫୯୦ କୋଟି ଟଙ୍କାର ଅନୁମୋଦନ ମିଳିଥିଲା। ଏହି ପାଣ୍ଠିରେ ୧୧ଟି ନୂଆ ହସ୍ପିଟାଲ ନିର୍ମାଣ ଓ ୧୩ଟି ହସ୍ପିଟାଲର ନବୀକରଣ କରାଯିବାର ଥିଲା। କିନ୍ତୁ ଏହି ପାଣ୍ଠିରେ ବ୍ୟାପକ ହେରଫେର ହୋଇଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିଲା।
ଇଡିର କହିବା କଥା ଯେ ହସ୍ପିଟାଲ ପ୍ରକଳ୍ପ ବିଳମ୍ବିତ ହୋଇଥିଲା। ବଜେଟ ବୃଦ୍ଧି କରାଯାଇଥିଲା। ସେହିପରି ଅନୁମୋଦନ ପାଇଥିବା କୌଣସି ହସ୍ପିଟାଲର କାମ ଧାର୍ଯ୍ୟ ସମୟରେ ଶେଷ ହୋଇ ନଥିଲା। ଶହଶହ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲେ ହେଁ ଏହାର ହିସାବ ଦିଆଯାଇ ନଥିଲା। ୧୧୨୫ କୋଟି ଟଙ୍କାର ଆଇସିୟୁ ହସ୍ପିଟାଲ ପ୍ରକଳ୍ପ ଅଧୀନରେ ୬,୮୦୦ ବେଡ ପ୍ରସ୍ତୁତ କରିବାକୁ ଯୋଜନା ହୋଇଥିଲା। ଏଥିପାଇଁ ଟଙ୍କା ଖର୍ଚ୍ଚ କରାଯାଇ ଥିଲେ ହେଁ କେବଳ ଅଧା କାମ କରାଯାଇଥିଲା।
ଦୁର୍ନୀତି ନିରୋଧ ବ୍ୟୁରୋ ଦୁର୍ନୀତି ନିରୋଧ ଆଇନର ଧାରା ୧୭ ଅଧୀନରେ ଅନୁମତି ପାଇବା ପରେ ଭରଦ୍ୱାଜ ଓ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧର ମାମଲା କରିଥିଲା। ପ୍ରକଳ୍ପ ବଜେଟରେ ଜାଲିଆତି, ସରକାରୀ ପାଣ୍ଠିର ଅପବ୍ୟବହାର ଓ ଘରୋଇ କଣ୍ଟ୍ରାକ୍ଟରମାନଙ୍କ ସହ ହାତ ମିଳାଇ ଦୁର୍ନୀତି କରାଯାଇଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ଆଜି ଇଡି ପକ୍ଷରୁ ୧୩ଟି ସ୍ଥାନରେ ରେଡ କରାଯାଇଛି।
ଆଜି ଇଡି କରିଥିବା ରେଡକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ଆପ୍ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ କହିଛନ୍ତି, “ଆପକୁ ଯେଉଁ ଭଳି ଟାର୍ଗେଟ କରାଯାଉଛି, ସେଭଳି କଥା କେବେ ହେଲେ ଇତିହାସରେ ଦେଖିବାକୁ ମିଳି ନଥିଲେ। ଏହାର କାରଣ ହେଲା ଆପ ସରକାରଙ୍କ ଭୁଲ ନୀତି ଓ ଦୁର୍ନୀତି ବିରୋଧରେ ସ୍ୱର ଉଠାଉଛି। ମୋଦି ସରକାର ଆମକୁ ଚୁପ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଏହା କେବେ ହେଲେ ସମ୍ଭବ ନୁହେଁ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
