Advertisment

ଗିରଫ ହେବେ କି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ?

ହାଇକୋର୍ଟ କେଜ୍ରିୱାଲଙ୍କ ଆବେଦନ ଖାରଜ କରିବା କ୍ଷଣି ଇଡିର ୮ ଜଣିଆ ଟିମ ତାଙ୍କ ଘରେ ପହଞ୍ଚି ଯାଇଛନ୍ତି। ଇଡିର ଅଧିକାରୀମାନେ ତାଙ୍କ ଘର ସର୍ଚ୍ଚ କରୁଥିବା ବେଳେ ବୟାନ ମଧ୍ୟ ରେକର୍ଡ କରୁଛନ୍ତି।

author-image
Hemant Lenka
ED

ED

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିପାରେ। ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ତାଙ୍କୁ ଗିରଫ କରାଯାଇ ପାରେ। ଏହି ଘଟଣାରେ ଇଡି ତାଙ୍କୁ ୯ଥର ସମନ କରିଥିଲେ ହେଁ ସେ ଏହାକୁ ଖାତିର କରି ନଥିଲେ।

Advertisment

ଇଡି କାଳେ ଗିରଫ କରି ନେବ, ସେହି ଆଶଙ୍କାରେ କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଦିଲ୍ଲୀ ହାଇକୋର୍ଟରୁ ନିରାଶ ହେବା କ୍ଷଣି କେଜ୍ରିୱାଲଙ୍କ ଅଡ଼ୁଆ ବଢ଼ିଛି।

ହାଇକୋର୍ଟ କେଜ୍ରିୱାଲଙ୍କ ଆବେଦନ ଖାରଜ କରିବା କ୍ଷଣି ଇଡିର ୮ ଜଣିଆ ଟିମ ତାଙ୍କ ଘରେ ପହଞ୍ଚି ଯାଇଛନ୍ତି। ଇଡିର ଅଧିକାରୀମାନେ ତାଙ୍କ ଘର ସର୍ଚ୍ଚ କରୁଥିବା ବେଳେ ବୟାନ ମଧ୍ୟ ରେକର୍ଡ କରୁଛନ୍ତି। ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟର ଧାରା ୫୦ ଅନୁଯାୟୀ ତାଙ୍କ ବୟାନ ରେକର୍ଡ ହେଉଛି। କେଜ୍ରିୱାଲ ଓ ତାଙ୍କ ପରିବାର ଲୋକଙ୍କ ଫୋନକୁ ମଧ୍ୟ ଇଡି ଜବତ କରି ନେଇଛି।

Advertisment

ଗତ ସପ୍ତାହରେ କେସିଆରଙ୍କ ଝିଅ କେ କିବତାଙ୍କୁ ଏହି ମାମଲାରେ ଗିରଫ କରାଯାଇଥିଲା। ତାଙ୍କୁ ଗିରଫ କରିଥିବା ଇଡିର ବରିଷ୍ଠ ଅଧିକାରୀମାନେ ହିଁ କେଜ୍ରିୱାଲଙ୍କ ଘରେ ପହଞ୍ଚିଛନ୍ତି। ତେଣୁ କେଜ୍ରିୱାଲଙ୍କୁ ମଧ୍ୟ ଗିରଫ କରିବାର ଆଶଙ୍କା ବଢ଼ିଛି। ଇଡି ସର୍ଚ୍ଚ କରିବା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି।

ରାପିଡ ଆକ୍ସନ ଫୋର୍ସ ଠାରୁ ଆରମ୍ଭ କରି ଦିଲ୍ଲୀ ପୁଲିସ୍‌ର ଏକାଧିକ ଫୋର୍ସଙ୍କୁ କେଜ୍ରିୱାଲଙ୍କ ବାସଭବନ ଚାରିପାଖରେ ମୁତୟନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଘର ସାମ୍ନାରେ ବ୍ୟାରିକେଡ ଲଗାଯିବା ସହ ଆପ୍‌ ନେତାମାନଙ୍କୁ ଭିତରକୁ ଯିବାକୁ ଦିଆଯାଉ ନାହିଁ। ଖୋଦ ବିଧାନସଭା ବାଚସ୍ପତି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି। ଏହାକୁ ଦେଖି ଆପ୍‌ ନେତାମାନେ ମଧ୍ୟ ଗିରଫଦାରୀର ଆଶଙ୍କା କରିଛନ୍ତି। ତେଣୁ ଆପ୍‌ର ଲିଗାଲ ଟିମ ଇଡି ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଏଥିସହ ଜରୁରୀ ଶୁଣାଣି ପାଇଁ ଦଳ ନିବେଦନ କରିଛି।

ଆପ ନେତ୍ରୀ ଆତିଶୀ କହିଛନ୍ତି, କେଜ୍ରିୱାଲଙ୍କୁ ଗିରଫ କରିବା ପାଇଁ ଇଡି ପୂରା ଯୋଜନା କରିଛି। ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ପଛରେ ରହିଛନ୍ତି। ଆମକୁ ଭିତରକୁ ଛଡ଼ା ଯାଉ ନାହିଁ। ଆମେ ଏହି ଠାରେ ତାଙ୍କୁ ଅପେକ୍ଷା କରିବୁ। କେଜ୍ରିୱାଲଙ୍କ ପଛରେ ପୂରା ଦିଲ୍ଲୀବାସୀ ରହିଛନ୍ତି ବୋଲି ସେ କହିଛନ୍ତି।

ସେହିପରି ରାଘବ ଚଡ୍ଡା ମଧ୍ୟ ଇଡିର ଏପରି ପଦକ୍ଷେପ ପଛରେ ଷଡ଼ଯନ୍ତ୍ରର ଗନ୍ଧ ବାରିଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ ଆପ୍‌କୁ ବଦନାମ ଓ କେଜ୍ରିୱାଲଙ୍କୁ ଗିରଫ କରିବା ପାଇଁ ବହୁତ ବଡ଼ ଷଡ଼ଯନ୍ତ୍ର ଚାଲିଥିବା ସେ କହିଛନ୍ତି।

Arvind Kejriwal AAP Delhi Liquor Policy Case Delhi Liquor Factory