/odisha-reporter/media/media_files/2026/01/08/ed-2026-01-08-15-08-01.jpg)
ମମତା ବାନାର୍ଜୀ
ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା କୋଲକାତାରେ ହାଇଡ୍ରାମା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବନାମ ପ୍ରବର୍ତ୍ତନ ନିଦ୍ଦେର୍ଶଳୟ(ଇଡି)କୁ ନେଇ ଉଠୁଛି ପଡ଼ୁଛି କୋଲକାତା। ଜାଲିଆତି ଘଟଣାରେ ରୁଜୁ ମନି ଲଣ୍ଡରିଂ ମାମଲାରେ ଆଜି ଇଡି ପକ୍ଷରୁ ରାଜନୀତିକ ପରାମର୍ଶଦାତା ଫାର୍ମ ଆଇ-ପିଏସିର ବିଭିନ୍ନ ଠିକଣାରେ କରାଯାଇଛି ରେଡ। ତେବେ ଏହାକୁ ଜୋରଦାର ବିରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।
ସେ ନିଜେ ଆଇ-ପିଏସିରେ ପହଞ୍ଚି ଇଡି ରେଡ( ED Raid) ବିରୋଧରେ ସ୍ୱର ଉଠାଇଛନ୍ତି। ତାଙ୍କ ଦଳ ଟିଏମସିର ନିର୍ବାଚନ ରଣନୀତି ସହ ଜଡ଼ିତ ଦସ୍ତାବିଜଗୁଡ଼ିକୁ ଇଡି ରେଡ ଆଳରେ ଚୋରି କରି ନେଇଥିବା ମମତା କହିଛନ୍ତି।
ଇଡି ପକ୍ଷରୁ ଆଇପିଏସିର ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରତୀକ ଜୈନଙ୍କ ବାସଭବନ ଓ ସଲ୍ଟ ଲେକରେ ଥିବା କମ୍ପାନୀର ଅଫିସରେ ରେଡ କରିଛି। ଜୈନ ହେଉଛନ୍ତି ମମତା ବାନାର୍ଜୀଙ୍କ ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଥିବା ଟିମର ପ୍ରମୁଖ ସଦସ୍ୟ। ତାଙ୍କ କମ୍ପାନୀ ଓ ବାସଭବନରେ ଇଡିର ହଠାତ ନିର୍ବାଚନ ପୂର୍ବରୁ ରେଡକୁ ମମତା ବାନାର୍ଜୀ ସହଜରେ ଗ୍ରହଣ କରିପାରି ନାହାନ୍ତି।
ସକାଳୁ ରେଡ ଖବର ସାମ୍ନାକୁ ଆସିବା ପରେ ଟିଏମସିର ନେତା ଓ କର୍ମୀମେନେ ସଲ୍ଟ ଲେକ ଅଫିସ ନିକଟରେ ଏକାଠି ହେବା ଆରମ୍ଭ କରିଥିଲେ। ବିଧାନନଗର ପୁଲିସ କମିଶନର ମଧ୍ୟ ବିବାଦ ବଢ଼ୁଥିବାରୁ ଘଟଣାସ୍ଥଳରେ ପହଞ୍ଚିଥିଲେ। ନିଜେ ମମତା ବାନାର୍ଜୀ ମଧ୍ୟ ରେଡ ବିରୋଧରେ ସ୍ୱର ଉଠାଇବାକୁ ଅଫିସକୁ ଆସିଥିଲେ।
ସାମ୍ବାଦିକମାନଙ୍କୁ ମମତା ବାନାର୍ଜୀ କହିଛନ୍ତି ଯେ “ଟିଏମସିର ଆଭ୍ୟନ୍ତରୀଣ ରାଜନୀତିକ ଦସ୍ତାବିଜ ହାସଲ କରିବାକୁ ଇଡି ରେଡ କରିଛି। ପ୍ରାର୍ଥୀ ତାଲିକା, ଦଳର ରଣନୀତି, ଯୋଜନା ଓ ଗୁପ୍ତ ଦସ୍ତାବିଜ ହାସଲ କରିବାକୁ ଇଡି ଆମ ଅଫିସକୁ ଆସିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।” ସେ ରେଡ ପାଇଁ ସିଧାସଳଖ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ କରିଛନ୍ତି।
ମମତା କହିଛନ୍ତି, “ ଦେଶକୁ ସୁରକ୍ଷିତ ରଖିବାକୁ ଅକ୍ଷମ ହୋଇଥିବା ଅତ୍ୟନ୍ତ ଖରାପ ଓ ଦୁଷ୍ଟ ସ୍ୱରାଷ୍ଟ୍ର ମନ୍ତ୍ରୀ ଏହା ପଛରେ ରହିଛନ୍ତି। ମୋ ଦଳର ଦସ୍ତାବିଜ ସେମାନେ ନେଇ ଯାଇଛନ୍ତି। କୌଣସି ଗାର୍ଡ ନଥିଲେ। ଗୋଟିଏ ପଟେ ଏସ୍ଆଇଆର ମାମଲାରେ ନାଁ କଟା ଯାଉଛି। କିନ୍ତୁ ଅନ୍ୟ ଗୋଟିଏ ମାମଲାରେ ଦସ୍ତାବିଜ ସଂଗ୍ରହ କରାଯାଉଛି।”
ଇଡିର ଏପରି ରେଡ ଓ ଦସ୍ତାବିଜ ଜବତ କରିବାର ଅଧିକାର ଉପରେ ମଧ୍ୟ ମମତା ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, “ ପ୍ରାର୍ଥୀ ତାଲିକା, ଦଳୀୟ ରଣନୀତି ଓ ଦଳୀୟ ଯୋଜନାର କାଗଜପତ୍ର ସଂଗ୍ରହ କରିବା କ’ଣ ଇଡି ଓ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ କାମ? ଯଦି ମୁଁ ବିଜେପିର ଦସ୍ତାବିଜ ହାସଲ କରିବି, ତା’ହେଲେ ଫଲ କ’ଣ ହେବ? ମୁଁ ନିଜେ ପ୍ରତୀକଙ୍କୁ ଫୋନ କରିଥିଲି। କାରଣ ସେ ମୋ ଦଳର କାମ ଦାୟିତ୍ୱରେ ରହିଛନ୍ତି। ଇଡି ସେକ୍ଟର ଭିରେ ଥିବା ମୋ ଆଇଟି ଅଫିସରେ ରେଡ କରିଛି। ତେଣୁ ମୁଁ ସେଠାକୁ ମଧ୍ୟ ଯାଇଥିଲି। ଇଡି ବିରୋଧରେ ଆଜି ୪ଟା ବେଳେ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ।”
ଅନ୍ୟପକ୍ଷରେ ବେଙ୍ଗଲ ବିଧାନସଭାର ବିରୋଧୀ ଦଳ ନେତା ତଥା ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଇଡି କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବାରୁ ମମତାଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ମୁଁ ରେଡ ଉପରେ କିଛି କହିବି ନାହିଁ। ରେଡ କାହିଁକି ହେଉଛି, ସେକଥା ଇଡି କହିବ। କେନ୍ଦ୍ରୀୟ ଏଜେନ୍ସିର କାମରେ ବାଧା ସୃଷ୍ଟି କରିବା ମମତା ବାନାର୍ଜୀଙ୍କ ଅଭ୍ୟାସ। ମମତା ବାନାର୍ଜୀ ଆଜି ଯାହା ସବୁ କରିଛନ୍ତି, ସେସବୁ ତଦନ୍ତରେ ବାଧା ସୃଷ୍ଟି କରିବା ପାଇଁ। ଇଡି ନିଶ୍ଚିତ ଭାବେ ନିଜ କ୍ଷମତାର ବ୍ୟବହାର କରି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।”
ପ୍ରତୀପ ଜୈନ ହେଉଛନ୍ତି ଇଣ୍ଡିଆନ ପଲଟିକାଲ ଆକ୍ସନ କମିଟିର ସହ ପ୍ରତିଷ୍ଠାତା ତଥା ଟିଏମସି ଆଇଟି ସେଲର ମୁଖ୍ୟ। ଆଇପିଏସିକୁ ପ୍ରଥମେ ନିର୍ବାଚନ ରଣତୀଜ୍ଞ ପ୍ରଶାନ୍ତ କିଶୋର ୨୦୧୪ରେ ପ୍ରତିଷ୍ଠା କରିଥିଲେ।
ଇଡି ରଖିଲା ପକ୍ଷ
ମମତା ବାନାର୍ଜୀ ଆଣିଥିବା ଅଭିଯୋଗ ଉପରେ ଜବାବ ରଖିଛି ଇଡି। ଏପରି ରେଡ କୌଣସି ନିର୍ବାଚନ ସହ ଜଡ଼ିତ ନୁହେଁ। ଏହା ମନି ଲଣ୍ଡରିଂ ବିରୋଧରେ ଚାଲିଥିବା ନିୟମିତ ରେଡର ଅଂଶବିଶେଷ। ସାମ୍ବିଧାନିକ ପଦବୀରେ ଥିବା କିଛି ଲୋକ ୧୦ଟି ସ୍ଥାନରୁ ୨ଟିକୁ ଆସି ବେଆଇନ ଭାବେ ଅନୁପ୍ରବେଶ କରିଛନ୍ତି। ସେମାନେ ନିଜ ପଦରୁ ଅପବ୍ୟବହାର କରି କେନ୍ଦ୍ରୀୟ ଏଜେନ୍ସିର ଅଧିକାରୀଙ୍କ ଠାରୁ ଦସ୍ତାବିଜ ଛଡ଼ାଇ ନେଇଛନ୍ତି।
ଗୋଆ ନିର୍ବାଚନ ପାଇଁ ରାଜନୀତିକ ପରାମର୍ଶଦାତା ଫାର୍ମ ଆଇ-ପିଏସିକୁ ବେଆଇନ ଉତ୍ସରୁ ଟଙ୍କା ମିଳିଥିବା ଜଣାପଡ଼ିଛି। ବେଆଇନ ଖଣି ଖନନ ସ୍କିମରୁ ମିଳିଥିବା ଟଙ୍କାକୁ ଗୋଆକୁ ପଠା ଯାଇଥିଲା ଓ ୨୦୨୨ ଗୋଆ ନିର୍ବାଚନରେ ଟିଏମସି ପାଇଁ କାମ କରୁଥିବା ଆଇ-ପିଏସି ଏହାକୁ ହାସଲ କରିଥିଲା ବୋଲି ଅଭିଯୋଗ ହୋଇଛି। ଅଧିକାରୀମାନେ ଏ ସମ୍ପର୍କରେ ଅଧିକ ତଥ୍ୟ ଯୋଗାଡ଼ କରୁଥିବା ଇଡି କହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
