Advertisment

ହେମନ୍ତ ସୋରେନ୍‌ଙ୍କ ଘରେ ପଶିଲା ଇଡି, ରାସ୍ତାକୁ ଓହ୍ଲାଇଲେ ଲୋକେ

ସାତ ଥର ସମନ କରିବା ପରେ ମଧ୍ୟ ହେମନ୍ତ ସୋରେନ୍‌ ଇଡିରେ ହାଜର ହୋଇନଥିବାରୁ ଆଜି ଖୋଦ୍‌ ଇଡିର ଅଧିକାରୀମାନେ ତାଙ୍କ ଘରକୁ ଯାଇ ତାଙ୍କୁ ଜେରା କରୁଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
ED Team Reach Hemant Soren's Ranchi House

ED Team Reach Hemant Soren's Ranchi House

ବହୁ ଚର୍ଚ୍ଚିତ ଜମି ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରିବ। ଏଥିପାଇଁ ଇଡିର ଏକ ଟିମ୍‌ ଆଜି ତାଙ୍କ ରାଞ୍ଚି ସ୍ଥିତ ବାସଭବନରେ ପହଞ୍ଚିଛି। ସାତ ଥର ସମନ କରିବା ପରେ ମଧ୍ୟ ହେମନ୍ତ ସୋରେନ୍‌ ଇଡିରେ ହାଜର ହୋଇନଥିବାରୁ ଆଜି ଖୋଦ୍‌ ଇଡିର ଅଧିକାରୀମାନେ ତାଙ୍କ ଘରକୁ ଯାଇଛନ୍ତି। ତାଙ୍କୁ ତାଙ୍କ ଘରେ ହିଁ ଆଜି ଇଡି ଜେରା କରୁଛି। ସେମାନଙ୍କ ଟିମ୍‌ରେ ଦିଲ୍ଲୀର ୩ଜଣ ତଦନ୍ତକାରୀ ଅଧିକାରୀ ବି ସାମିଲ ହୋଇଛନ୍ତି।

Advertisment

ହେମନ୍ତ ସୋରେନ୍‌ଙ୍କୁ ଇଡି ଜେରା କରୁଥିବା ବେଳେ ଝାଡଖଣ୍ଡରେ ହାଇ ଭୋଲଟେଜ ଡ୍ରାମା ଆରମ୍ଭ ହୋଇଯାଇଛି। ଲୋକେ ଏହାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି। ସେପଟେ ହେମନ୍ତ ସୋରେନ୍‌ଙ୍କ ଘର ଆଖପାଖରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୋରେନ୍‌ଙ୍କ ବାସଭବନ ସମତେ ରାଞ୍ଚିର ଇଡି କାର୍ଯ୍ୟାଳୟ ସମ୍ମୁଖରେ ୧୦୦୦ରୁ ଅଧିକ ପୁଲିସ କର୍ମୀ ମୁତୟନ ହୋଇଛନ୍ତି। ଏପରିକି ଲୋକଙ୍କ ଗହଳି ଆଶଙ୍କା କରି ବ୍ୟାରିକେଡ ମଧ୍ୟ ଲଗାଯାଇଛି। ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ଗାଡି ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଥିବା ରାଞ୍ଚିର ବରିଷ୍ଠ ପୁଲିସ ଅଧିକ୍ଷକ ଚନ୍ଦନ କୁମାର ସିହ୍ନା କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଜେରାକୁ ବିରୋଧ କରି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର କର୍ମୀମାନେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବଡ ସଂଖ୍ୟାରେ ଦଳର ଆଦିବାସୀ ସମର୍ଥକମାନେ ହାତରେ ଧନୁ ତୀର ଧରି ରାସ୍ତାକୁ ଓହ୍ଲାଇଛନ୍ତି। ଅନ୍ୟପଟେ ଜେଏମ୍‌ଏମ୍‌ର କର୍ମୀମାନେ ମୁହଁ ହେମନ୍ତ ସୋରେନ୍‌ଙ୍କ ମାସ୍କ ପିନ୍ଧି ପ୍ରତିବାଦ କରିଛନ୍ତି।

Advertisment

ଗୋଟିଏ ପଟେ ରାସ୍ତା ଉପରକୁ ଦଳର କର୍ମୀମାନେ ଓହ୍ଲାଇ ପ୍ରତିବାଦ କରୁଥିବାବେଳେ ଅନ୍ୟପଟେ ଜେଏମ୍‌ଏମ୍‌ର ନେତା ଭାବୁକ ହୋଇପଡିଛନ୍ତି। ଜେରା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଘରେ ପହଞ୍ଚି ବିଧାୟକ ଇରଫାନ୍ ଅନ୍‌ସାରୀ ହେମନ୍ତ ସୋରେନ୍‌ଙ୍କୁ ଆଲିଙ୍ଗନ କରି କାନ୍ଦି ପକାଇଛନ୍ତି। ଅପରପକ୍ଷେ ସୋରେନ, ମୋର ଅପେକ୍ଷା କରିବ କହି, ପଚରାଉଚରା ସମୟରେ ସମସ୍ତ ବିଧାୟକ ଏବଂ କ୍ୟାବିନେଟ ମନ୍ତ୍ରୀଙ୍କୁ ରାଞ୍ଚିରେ ରହିବାକୁ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଜମି ଦୁର୍ନୀତି ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପଚରାଉଚରା କରିବା ପାଇଁ ଇଡି ସାତ ଥର ହେମନ୍ତ ସୋରେନଙ୍କୁ ସମନ କରିସାରିଛି। କିନ୍ତୁ ସେ ଥରଟିଏ ବି ଇଡିରେ ହାଜର ହୋଇ ନାହାନ୍ତି। ସୋରେନ୍‌ ଜାନୁଆରୀ ୨ରେ ତାଙ୍କୁ ସମନ ପଠାଇବାର କାରଣ ପଚାରିବା ସହ ଇଡି ଉପରେ ପ୍ରଶ୍ନ ଉଠାଇଥିଲେ। ରାଜନୈତିକ ଉଦ୍ଦେଶ୍ୟରେ ତାଙ୍କୁ ଏହି ସମନ ପଠାଯାଉଛି। ସମନ ପାଇଁ ତାଙ୍କୁ ବାରମ୍ବାର ମିଡିଆ ଟ୍ରାଏଲର ସାମ୍ନା କରିବାକୁ ପଡୁଛି। ଏଭଳି କରି ତାଙ୍କ ଭାବମୂର୍ତ୍ତି ଖରାପ କରିବାକୁ ଚେଷ୍ଟା କରାଯାଉଛି ବୋଲି ସୋରେନ ଇଡିକୁ ଚିଠି ଲେଖି କହିଥିଲେ।

ଏହାପରେ ଇଡି ଜାନୁଆରୀ ୧୩ ତାରିଖରେ ହେମନ୍ତ ସୋରେନ୍‌ଙ୍କୁ ଏକ ଚିଠି ଲେଖିଥିଲା। ଜାନୁଆରୀ ୧୬ରୁ ୨୦ ଭିତରେ ତାଙ୍କୁ ଜେରା କରିବା ପାଇଁ ଇଡି ତାଙ୍କୁ ଅନୁରୋଧ କରିଥିଲା। ଏଥିପାଇଁ ସଠିକ୍ ସ୍ଥାନ ନିର୍ଦ୍ଧାରିତ କରିବାକୁ ଇଡି ହେମନ୍ତ ଚିଠି ଲେଖି ପଚାରିଥିଲା। ଏହାର ଜବାବରେ ସୋରେନ୍ ଇଡିଙ୍କୁ ତାଙ୍କ ବାସଭବନରେ ଜାନୁଆରୀ ୨୦ରେ ବୟାନ ରେକର୍ଡ କରିପାରିବ ବୋଲି କହିଥିଲେ।

ED Raid Jharkhand Hemant Soren