Advertisment

ED Raids: ବଳପୂର୍ବକ ଫାଇଲ ନେଇଯାଇଛନ୍ତି ମମତା! ହାଇକୋର୍ଟରେ ପହଞ୍ଚିଲା ଇଡି ବନାମ I-PAC ବିବାଦ

ମମତା ବାନାର୍ଜୀ ତାଙ୍କ ସହ ବିପୁଳ ସଂଖ୍ୟକ ପୁଲିସ ଅଫିସରଙ୍କୁ ଧରି ଆସିବା ଯାଏ ଆଇପିଏସି ମୁଖ୍ୟ ପ୍ରତୀକ ଜୈନଙ୍କ କୋଲାକତା ସ୍ଥିତ ବାସଭବନ ଓ ସଂଗଠନର ଅଫିସରେ ଶାନ୍ତି ପୂର୍ଣ୍ଣ ରେଡ ଚାଲିଥିଲା।

author-image
Hemant Lenka
ED1

ମମତା ଓ ପ୍ରତୀକ

ରାଜନୀତିକ ପରାମର୍ଶଦାତା ଆଇ-ପିଏସିର ଦୁଇଟି ଠିକଣାରେ ଇଡିର ରେଡ(ED Raid) ଓ ଯାଞ୍ଚ ସ୍ଥଳରୁ ବେଙ୍ଗଲ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିଛି ଫାଇଲ ବଳପୂର୍ବକ ନେଇଯିବା ଘଟଣାକୁ ନେଇ ଆରମ୍ଭ ହୋଇଥିବା ବିବାଦ ଏବେ କ୍ୟାଲକାଟା ହାଇକୋର୍ଟରେ ପହଞ୍ଚିଛି। ଉଭୟ ଇଡି ଓ ମମତା ବାନାର୍ଜୀଙ୍କ ଦଳର ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଥିବା ଆଇ-ପିଏସି ନିଜ ନିଜର ଅଭିଯୋଗ ଧରି ହାଇକୋର୍ଟରେ ଆବେଦନ କରିଛନ୍ତି। ଏହାକୁ ନେଇ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ବେଙ୍ଗଲର ରାଜନୀତିକ ପାଣିପାଗ ଶୀତ ଦିନରେ ମଧ୍ୟ ଗରମ ହୋଇଯାଇଛି। 

Advertisment

ନିଜର ଆବେଦନର ଇଡି ଦାବି କରିଛି ଯେ ବେଙ୍ଗଲ କୋଇଲା ଖନନ ଦୁର୍ନୀତି ଘଟଣାରେ ରେଡ ହୋଇଥିଲା। ହେଲେ ମମତା ବାନାର୍ଜୀ ସରକାରୀ ତଦନ୍ତରେ ବାଧା ସୃଷ୍ଟି କରିଛନ୍ତି। କିନ୍ତୁ ନିର୍ବାଚନ ରଣନୀତିଜ୍ଞରୁ ରାଜନେତା ବନିଥିବା ପ୍ରଶାନ୍ତ କି‌ଶୋରଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଆଇ-ପିଏସି ବେଙ୍ଗଲ ନିର୍ବାଚନ ପୂର୍ବରୁ ହୋଇଥିବା ଇଡି ରେଡ ଉପରେ ରୋକ ଲଗାଇବାକୁ ହାଇକୋର୍ଟଙ୍କୁ ନିବେଦନ କରିଛି। ରେଡ ବେଳେ ଇଡିର ଅଧିକାରୀମାନେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଚୋରି କରି ନେଇଥିବା ମଧ୍ୟ ଜୈନଙ୍କ ପରିବାର ଲୋକ ଆବେଦନର ଉଲ୍ଲେଖ କରିଛନ୍ତି। 

କୋଲକାତାରେ ଆଜି ଦେଖିବାକୁ ମିଳିଥିବା ହାଇଡ୍ରାମା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେବାକୁ ଯାଇ ଇଡି ଅଭିଯୋଗ କରିଛି ଯେ ମମତା ବାନାର୍ଜୀ ଓ ତାଙ୍କ ସହଯୋଗୀମାନେ ବଳପୂର୍ବକ ଏକାଧିକ ଫାଇଲ ଓ ବୈଦ୍ୟୁତିକ ସାମଗ୍ରୀକୁ ରେଡ ବେଳେ ନେଇ ଯାଇଛନ୍ତି। ମମତା ବାନାର୍ଜୀ ତାଙ୍କ ସହ ବିପୁଳ ସଂଖ୍ୟକ ପୁଲିସ ଅଫିସରଙ୍କୁ ଧରି ଆସିବା ଯାଏ ଆଇପିଏସି ମୁଖ୍ୟ ପ୍ରତୀକ ଜୈନଙ୍କ କୋଲାକତା ସ୍ଥିତ ବାସଭବନ ଓ ସଂଗଠନର ଅଫିସରେ ଶାନ୍ତି ପୂର୍ଣ୍ଣ ରେଡ ଚାଲିଥିଲା। 

Advertisment

ମମତା ବାନାର୍ଜୀ ସେଠାରେ ପହଞ୍ଚିବା ସହ ଜୈନଙ୍କ ଘରେ ପ୍ରବେଶ କରିଥିଲେ। ରେଡ ଚାଲିଥିବା ବେଳେ ଅନେକ ପ୍ରମୁଖ କାଗଜପତ୍ର ଓ ପ୍ରମାଣ ସେ ନିଜ ସହ ନେଇ ଯାଇଥିଲେ ବୋଲି ଇଡି କହିଛି। ଜୈନଙ୍କ ଘରୁ ମମତା ମୋଟାମୋଟା ଫାଇଲ ଧରି ବାହାରକୁ ବାହାରୁ ଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। 

ତଦନ୍ତକାରୀ ଏଜେନ୍ସି ଆହୁରି ଦାବି କରିଛି ଯେ “ପୁଲିସ ମୁଖ୍ୟ ଓ ଦକ୍ଷିଣ କୋଲାକାତାର ଡିସିପି ମଧ୍ୟ ରେଡ ସ୍ଥଳକୁ ଆସି ଇଡି ଅଧିକାରୀଙ୍କ ପରିଚୟ ଯାଞ୍ଚ କରିଥିଲେ। ପ୍ରତୀକ ଜୈନଙ୍କ ଘରୁ ମମତାଙ୍କ କନଭୟ ସିଧା ସଲ୍ଟ ଲେକ ସ୍ଥିତ ଆଇ-ପିଏସି ଅଫିସକୁ ଆସିଥିଲା। ସେଠାରୁ ମଧ୍ୟ ମମତା ଓ ତାଙ୍କ ପୁଲିସ୍‌ ଅଧିକାରୀମାନେ ବଳପୂର୍ବକ ବିଭିନ୍ନ ଦସ୍ତାବିଜ, ଲ୍ୟାପଟପ ଓ ମୋବାଇଲ ଫୋନ ଆଦି ନେଇ ଯାଇଛନ୍ତି। ଏହା ପିଏମଏଲଏ ଅଧୀନରେ ଚାଲିଥିବା ତଦନ୍ତରେ ବାଧା ସୃଷ୍ଟି କରିବା ଛଡ଼ା ଆଉ କିଛି ନୁହେଁ।” 

ଇଡି ରେଡକୁ ବିରୋଧ କରି ମମତା ଅପରାହ୍ନ ୫ଟା ଯାଏ ଆଇ-ପିଏସି ଅଫିସ ଆଗରେ ବିକ୍ଷୋଭ କରିଥିଲେ। ଟିଏମସି ମଧ୍ୟ ଆସନ୍ତାକାଲି ରାଜ୍ୟବ୍ୟାପୀ ବିକ୍ଷୋଭ କରିବାକୁ ଆହ୍ୱାନ ଦେଇଛି। 

ମମତା ବାନାର୍ଜୀଙ୍କ ବୟାନ

ଜୈନଙ୍କ ଘର ପରେ ମମତା ବାନାର୍ଜୀ କହିଛନ୍ତି ଯେ ଇଡିର ଅଧିକାରୀମାନେ ଆମ ଦଳର ତଥ୍ୟ, ଲ୍ୟାପଟପ, ଆଇଫୋନ ଓ ଏସ୍‌ଆଇଆର ତଥ୍ୟ ସମସ୍ତେ ଦଳର ନିର୍ବାଚନ ରଣନୀତି ସହ ଜଡ଼ିତ କାଗଜପତ୍ର ନେଇ ଯାଇଛନ୍ତି। ସେମାନେ ଆମ ଟିକସ କାଗଜ ଓ ବ୍ୟାଙ୍କ ଆକାଉଣ୍ଟର ବିସ୍ତୃତ ତଥ୍ୟ ନେଇଛନ୍ତି। ଆପଣମାନେ ଆମର ସବୁ ତଥ୍ୟ ନେଇ ଯାଇଛନ୍ତି। ଏହା ସମସ୍ତ ଆଇଟି ସେକ୍ଟର ପ୍ରତି ଅପମାନ। କ’ଣ ଏହା ଅପରାଧ ନୁହେଁ? ମୁଁ ନ୍ୟାୟ ଅପେକ୍ଷାରେ ରହିଛି। 

ଆମେ ଶାନ୍ତ ଓ ସରଳ। କିନ୍ତୁ ଆପଣ ମୋତେ ଯନ୍ତ୍ରଣା ଦେଇଛନ୍ତି। ମୁଁ ଆଦୌ ଚୁପ ବସିବି ନାହିଁ। ଏହା କୌଣସି ଘରୋଇ ସଂଗଠନ ନୁହେଁ। ଆଇପିଏସି ଆମ ଦ୍ୱାରା ସ୍ୱୀକୃତିପ୍ରାପ୍ତ। ସେମାନେ ଆମ ଟିମର ସଦସ୍ୟ।

ଯଦି ଏବେ ଆମେ ତଥ୍ୟ ସଂଗ୍ରହ କରିବୁ, ତା’ହେଲେ ନିର୍ବାଚନ ଶେଷ ହୋଇଯିବ। ବିଜେପି ଗଣତନ୍ତ୍ରର ହତ୍ୟାକାରୀ। ମୁଁ ଯଦି ବିଜେପି ଅଫିସରେ ରେଡ କରିବି, ତା’ହେଲେ କ’ଣ ଠିକ ହେବ? ଏସ୍‌ଆଇଆର ନାଁରେ ୧.୫ କୋଟି ଭୋଟରଙ୍କ ନାଁ କାଟି ଦେଇଛନ୍ତି। ଯଦି ଆପଣଙ୍କ ପାଖରେ ସାହାସ ଅଛି, ତା’ହେଲେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଅମିତ ଶାହଜୀ ଆମ ସହ ଲଢ଼ୁନ୍ତୁ।

କୋଇଲା ମାମଲା 

ଇଡିର କହିବା କଥା ଯେ ଅନୂପ ମାଝୀଙ୍କ ନେତୃତ୍ୱରେ ଗୋଟିଏ କୋଇଲା ଚୋରାଚାଲାଣ ସିଣ୍ଡିକେଟ ଚାଲିଥିବା ତଦନ୍ତ ବେଳେ ଜଣାପଡ଼ିଛି। ଏହି ସିଣ୍ଡିକେଟ ବେଆଇନ ଖନନ ଓ ଇଷ୍ଟର୍ଣ୍ଣ କୋଲଫିଲ୍ଡ ଲିଃ ଲିଜ ନେଇଥିବା ଅଞ୍ଚଳରୁ ଚୋରି କରୁଥିଲା। ବେଆଇନ ଭାବେ ଖନନ ହୋଇଥିବା କୋଇଲାକୁ ବାଙ୍କୁରା, ବର୍ଦ୍ଧମାନ ଓ ପୁରୁଲିଆ ଭଳି ଜିଲ୍ଲାରେ ଥିବା ବିଭିନ୍ନ ଫ୍ୟାକ୍ଟ୍ରୀ ଓ ପ୍ଲାଣ୍ଟକୁ ବିକ୍ରି କରାଯାଇଥିଲା। 


ଶକାମ୍ଭରୀ ଗ୍ରୁପ ଅଫ କମ୍ପାନିଜକୁ ମଧ୍ୟ ବିପୁଳ ପରିମାଣ କୋଇଲା ଚାଲାଣ ହୋଇଛି। ଏହି ସୂତ୍ରରୁ ମିଳିଥିବା ଟଙ୍କାକୁ ହାୱାଲା ନେଟୱର୍କ ଜରିଆରେ ବ୍ୟବହାର କରାଯାଇଥିଲା। ଗୋଆ ନିର୍ବାଚନ ପାଇଁ ୧୦ କୋଟି ଟଙ୍କା ଆଇ-ପିଏସି ପାଖରେ ହାୱାଲା ନେଟୱର୍କ ଜରିଆରେ ପହଞ୍ଚିଥିଲା ବୋଲି ଇଡି କହିଛି। 

ED Raid