ଲୋକସଭା ନିର୍ବାଚନ ପୂର୍ବରୁ ରଦ୍ଦ ହୋଇଛି ଇଲେକ୍ଟୋରାଲ ବଣ୍ଡ ବା ନିର୍ବାଚନୀ ବଣ୍ଡ ସ୍କିମ୍। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱରେ ସୁପ୍ରିମ କୋର୍ଟଙ୍କ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ନିର୍ବାଚନ ବଣ୍ଡ ଯୋଜନାକୁ ଅସାମ୍ବିଧାନିକ ଘୋଷଣା କରିଛନ୍ତି। ତେବେ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ସାମ୍ନାକୁ ଆସିବା ପରେ କିଛି ପ୍ରମୁଖ ରାଜନୈତିକ ଦଳଙ୍କୁ ଝଟକା ଲାଗିଛି। ତେବେ ଏହି ଯୋଜନା ମାମଧ୍ୟରେ ୨୦୧୬ରୁ ୨୦୨୨ ଯାଏଁ କେଉଁ ଦଳକୁ କେତେ ଟଙ୍କା ମିଳିଛି।
ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ ରାଜନୈତିକ ଦଳଗୁଡିକୁ ବର୍ତ୍ତମାନ ସୁଦ୍ଧା ୧୬ ହଜାର କୋଟି ଟଙ୍କାର ଚାନ୍ଦା ମିଳିସାରିଛି। ଏଥିରୁ ସବୁଠୁ ଅଧିକ ବିଜେପି ପାଇଛି। ୨୦୧୬ରୁ ୨୦୨୨ ମଧ୍ୟରେ ଏହି ଯୋଜନା ଅଧୀନରେ ଦିଆଯାଇଥିବା ଅନୁଦାନରୁ କେବଳ ୬୦% ବିଜେପି ନେଇଛି।
ନିର୍ବାଚନ ଆୟୋଗ ଓ ଏଡିଆର୍ ରିପୋର୍ଟ ମୁତାବକ, ୨୦୧୬ ରୁ ୨୦୨୨ ମଧ୍ୟରେ ୧୬,୪୩୭.୬୩ କୋଟି ମୂଲ୍ୟର ୨୮,୦୩୦ ନିର୍ବାଚନ ବଣ୍ଡ ବିକ୍ରି ହୋଇଛି। ଏଥିରୁ ଅଧିକ ଲାଭ ବିଜେପିକୁ ହୋଇଛି। ବିଜେପି ୧୨,୧୨୨ କୋଟି ଟଙ୍କା ମିଳିଛି। ସେହିପରି କଂଗ୍ରେସ ୧,୫୪୭ କୋଟି ଟଙ୍କା ପାଇଛି, ଯାହା ମୋଟ ଦାନର ୧୦ ପ୍ରତିଶତ। ଏହା ପଛକୁ ରହିଛି ତୃଣମୂଳ କଂଗ୍ରେସ(ଟିଏମସି)। ସେ ୮୨୩ କୋଟି ସହିତ ୮% ପାଇଛି।
ରିପୋର୍ଟ ଅନୁଯାୟୀ ୭ଟି ଜାତୀୟ ଦଳ ଏହି ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ ଲାଭାନ୍ୱିତ ହୋଇଛନ୍ତି।
ବିଜେପି- ୧୦,୧୨୨ କୋଟି
କଂଗ୍ରେସ- ୧,୫୪୭ କୋଟି
ଟିଏମସି- ୮୨୩ କୋଟି
ସିପିଆଇ(ଏମ)- ୩୬୭ କୋଟି
ଏନସିପି- ୩୧ କୋଟି
ବିଏସପି- ୮୫ କୋଟି
ସିପିଆଇ- ୧୩ କୋଟି
ଏଥି ସହିତ, ୨୦୧୮ଠାରୁ ଶେଷ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ସମସ୍ତ ରାଜନୈତି ଦଳ ୧୨ ହଜାର କୋଟି ଟଙ୍କା ପାଇଛନ୍ତି। ନିର୍ବାଚନ ଆୟୋଗର ତଥ୍ୟ ଅନୁଯାୟୀ, ୨୦୧୮ରେ ବିଜେପି ନିର୍ବାଚନ ବଣ୍ଡ ମାଧ୍ୟମରେ ୧୪୫୦ କୋଟି ଟଙ୍କା ଦାନ ପାଇଥିଲା। ଏଥି ସହିତ କଂଗ୍ରେସକୁ ୩୮୩ କୋଟି ଟଙ୍କା ଏବଂ ତୃଣମୂଳ କଂଗ୍ରେସ ୯୭.୨୮ କୋଟି ଟଙ୍କା ଦାନ ଗ୍ରହଣ କରିଛି। ସେହିପରି ୨୦୧୯ରେ ବିଜେପି ୨୫୫୫ କୋଟି ଟଙ୍କା ପାଇଥିଲା। ସେହି ବର୍ଷ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୨୦୨୦ରେ କୋଭିଡ ହେତୁ ନିର୍ବାଚନ ବଣ୍ଡରୁ ପ୍ରାପ୍ତ ଦାନରେ ହ୍ରାସ ଘଟିଥିଲା। ୨୦୨୦-୨୧ ମସିହାରେ ବିଜେପି ୨୨.୩୮ କୋଟି, କଂଗ୍ରେସ ୧୦.୦୭ କୋଟି ଏବଂ ଟିଏମସି ସର୍ବାଧିକ ୪୨ କୋଟି ଟଙ୍କା ପାଇଛି। ୨୦୨୧-୨୨ରେ ବିଜେପିକୁ ନିର୍ବଚନ ବଣ୍ଡ ଜରିଆରେ ୧୦୩୨ କୋଟି ଟଙ୍କା ମିଳିଛି। ସେହିରପି ଟିଏମ୍ସିକୁ ୫୨୮ କୋଟି ଓ କଂଗ୍ରେସକୁ ୨୩୬ କୋଟି ଟଙ୍କା ମିଳିଥିଲା।
ତଥ୍ୟ ଅନୁଯାୟୀ ନିର୍ବାଚନୀ ବଣ୍ଡ ମାଧ୍ୟମରେ ତାଲିକାରେ ଥିବା ଅନ୍ୟ ୩୦ଟି ଦଳ ତୁଳନାରେ ବିଜେପି ତିନି ଗୁଣ ଅଧିକ ଦାନ ପାଇଛି। ସେହିପରି ନିର୍ବାଚନ ଆୟୋଗ ଅନୁଯାୟୀ ତଥ୍ୟ ଏହା ମଧ୍ୟ ଦର୍ଶାଉଛି ଯେ ୨୦୧୭ ରୁ ୨୦୨୨ ପର୍ଯ୍ୟନ୍ତ କଂଗ୍ରେସ ତୁଳନାରେ ନିର୍ବାଚନ ବଣ୍ଡ ମାଧ୍ୟମରେ ବିଜେପି ପାଞ୍ଚ ଗୁଣ ଅଧିକ ଦାନ ପାଇଛି।
ନିର୍ବାଚନ ବଣ୍ଡ ହେଉଛି ଏକ ଆର୍ଥିକ ସାଧନ ଯାହା ବ୍ୟକ୍ତି ଏବଂ ବ୍ୟବସାୟକୁ ରାଜନୈତିକ ଦଳମାନଙ୍କୁ ଅଜ୍ଞାତ ସୂତ୍ରରୁ ଦାନ କରିବାକୁ ଅନୁମତି ଦେଇଥାଏ। ଏହାକୁ ବ୍ୟାଙ୍କ ନୋଟ୍ ମଧ୍ୟ କୁହାଯାଏ। ସେମାନଙ୍କୁ ନଗଦ ଦାନର ବିକଳ୍ପ ଭାବରେ ୨୦୧୮ ରେ ବିଜେପି ସରକାର ଉପସ୍ଥାପନ କରିଥିଲେ। ନିର୍ବାଚନ ବଣ୍ଡକୁ ବ୍ୟାଙ୍କ ନୋଟ୍ ମଧ୍ୟ କୁହାଯାଏ। ଏହା ଏକ ପ୍ରକାର ପ୍ରୋମୋସୋରୀ ନୋଟ୍। ରାଜନୈତିକ ପାଣ୍ଠିରେ ସ୍ୱଚ୍ଛତା ଆଣିବା ପାଇଁ ସରକାର ଏକ ପଦକ୍ଷେପ ନେଇଥିଲେ। ତେବେ କଳା ଟଙ୍କାକୁ ରୋକିବା ଏବଂ ରାଜନୈତିକ ଦାନରେ ସ୍ୱଚ୍ଛତା ଆଣିବା ପାଇଁ ନିର୍ବାଚନ ବଣ୍ଡ ଅଣାଯାଇ ଥିବାବେଳେ ଏହି ଉଦ୍ଦେଶ୍ୟ ଯୋଜନା ପାଇଁ ଯଥାର୍ଥ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।