/odisha-reporter/media/media_files/2025/12/11/ec-2025-12-11-17-08-00.jpg)
ଭୋଟର
ଭୋଟର ତାଲିକାରେ ସଂଶୋଧନ କରିବା ପାଇଁ ଜାରି ରହିଥିବା ସ୍ପେଶାଲ ଇଣ୍ଟେନସିଭ ରିଭିଜନ ବା ଏସ୍ଆଇଆର ସମୟସୀମାକୁ ବୃଦ୍ଧି କରିଛନ୍ତି ନିର୍ବାଚନ କମିଶନ। ୫ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଏସଆଇଆର ସମୟସୀମାକୁ ବୃଦ୍ଧି କରାଯାଇଛି। ତେବେ ବେଙ୍ଗଲ କ୍ଷେତ୍ରରେ କୌଣସି ପ୍ରକାରର ସମୟସୀମା ବୃଦ୍ଧି କରି ନାହାନ୍ତି ନିର୍ବାଚନ କମିଶନ।
କମିଶନ ପକ୍ଷରୁ ଆଜି ତାମିଲନାଡୁ, ଗୁଜରାଟ, ମଧ୍ୟପ୍ରଦେଶ, ଛତିଶଗଡ଼, ଉତ୍ତର ପ୍ରଦେଶ ଓ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଚାଲିଥିବା ଏସ୍ଆଇଆର ସମୟସୀମାକୁ ବୃଦ୍ଧି କରାଯାଇଛି। ତେବେ ପୂର୍ବ ଘୋଷଣା ଅନୁସାରେ, ଗୋଆ, ଲାକ୍ଷାଦ୍ୱୀପ, ରାଜସ୍ଥାନ ଓ ପଶ୍ଚିମବଙ୍ଗରେ ଆଜି ଏସ୍ଆଇଆର ପ୍ରକ୍ରିୟା ଶେଷ ହୋଇଛି।
ଏଠାରେ ଏସ୍ଆଇଆର( sir) ସମୟସୀମାକୁ ବୃଦ୍ଧି କରାଯାଇ ନାହିଁ। ଏହି ୪ ରାଜ୍ୟର ଡ୍ରାଫ୍ଟ ଭୋଟର ତାଲିକା ଆସନ୍ତା ଡିସେମ୍ବର ୧୬ରେ ପ୍ରକାଶ ପାଇବ ବୋଲି ନିର୍ବାଚନ କମିଶନ କହିଛନ୍ତି।
ନୂଆ ଘୋଷଣା ଅନୁସାରେ, ତାମିନଲନାଡୁ ଓ ଗୁଜରାଟରେ ଡିସେମ୍ବର ୧୪, ମଧ୍ୟପ୍ରଦେଶ ଓ ଆଣ୍ଡାମାନରେ ଡିସେମ୍ବର ୧୮ ଓ ଉତ୍ତର ପ୍ରଦେଶରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଡିସେମ୍ବର ୨୬ରେ ଶେଷ ହେବ। ସେହିପରି ଡିସେମ୍ବର ୧୯ରେ ତାମିଲନାଡୁ ଓ ଗୁଜରାଟର ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ ପାଇବ। ଡିସେମ୍ବର ୩୧ରେ ଛତିଶଗଡ଼ ଓ ଆଣ୍ଡାମାନ ଓ ଉତ୍ତର ପ୍ରଦେଶର ଡ୍ରାଫ୍ଟ ଭୋଟର ତାଲିକା ଡିସେମ୍ବର ୩୧ରେ ସାର୍ବଜନୀନ କରାଯିବ।
ଆଜିର ଏସ୍ଆଇଆର ସମୟ ସୀମା ବୃଦ୍ଧି ପୂର୍ବରୁ ନିର୍ବାଚନ କମିଶନ କେରଳ କ୍ଷେତ୍ରରେ ମଧ୍ୟ ସ୍ୱତନ୍ତ୍ର ସଂଶୋଧନ କରିଥିଲେ। କେରଳରେ ଡିସେମ୍ବର ୧୮ ଯାଏ ଭୋଟର ତାଲିକା ସର୍ଭେ ଚାଲିବ ଓ ଡିସେମ୍ବର ୨୩ରେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ନିର୍ବାଚନ କମିଶନ କହିଥିଲେ।
୧୯୫୧ରୁ ୨୦୦୪ ମଧ୍ୟରେ ଦେଶରେ ୮ଥର ଏସ୍ଆଇଆର ହୋଇଛି। ୨୧ ବର୍ଷ ପରେ ପୂରା ଦେଶରେ ଏସ୍ଆଇଆର ହେବ। ଅର୍ଥାତ ଦେଶରେ ୯ମ ଥର ପାଇଁ ଏସ୍ଆଇଆର ହେଉଛି। ଭୋଟର ତାଲିକାରୁ ନକଲି ମତଦାତାଙ୍କୁ ହଟାଇବା ହିଁ ଏସ୍ଆଇଆରର ମୂଳ ଉଦ୍ଦେଶ୍ୟ। ଅନେକ ସମୟରେ ଲୋକମାନେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଚାଲି ଯାଆନ୍ତି।
ଏହି ସମୟରେ ରହୁଥିବା ସ୍ଥାନରେ ନିଜକୁ ଭୋଟର ଭାବେ ପଞ୍ଜିକରଣ କରାନ୍ତି। କିନ୍ତୁ ପୁରୁଣା ସ୍ଥାନରେ ପଞ୍ଜିକୃତ ହୋଇଥିବା ଭୋଟର ତାଲିକାରୁ ନାଁ କଟେ ନାହିଁ। ଏହାଦ୍ୱାରା ଜଣେ ଭୋଟରଙ୍କ ନାଁ ଦୁଇଟି ସ୍ଥାନରେ ରହିଥାଏ। ସେହିପରି ମୃତ ବ୍ୟକ୍ତିଙ୍କ ନାଁକୁ ହଟାଇବାକୁ କେହି ଆବେଦନ କରନ୍ତି ନାହିଁ। ବେଆଇନ ଭାବେ ବିଦେଶୀ ନାଗରିକମାନଙ୍କୁ ଭୋଟର ତାଲିକାରେ ସାମିଲ କରାଯାଉଛି। ତେଣୁ ଭୋଟର ତାଲିକା ସଂଶୋଧର ଆବଶ୍ୟକତା ଥିବା ମୁଖ୍ୟ ନିର୍ବାଚନ କମିଶନର(Chief Election Commission) ଜ୍ଞାନେଶ କୁମାର କହିଛନ୍ତି।
ଭୋଟରମାନେ ଆଧାର କାର୍ଡ ସମେତ ଯେକୌଣସି ପରିଚୟପତ୍ରକୁ ଗଣନା ଫର୍ମରେ ସାମିଲ କରିପାରିବେ। ଗଣନା ବେଳେ ମୋଟ ୧୨ଟି ଦସ୍ତାବିଜକୁ ବିଚାରକୁ ନିଆଯାଇ ଭୋଟର ତାଲିକା ପ୍ରକାଶ କରାଯିବ। ୨୦୨୬ ଫେବୃଆରୀ ୭ରେ ଏସ୍ଆଇଆର ହୋଇଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଚୂଡ଼ାନ୍ତ ଭୋଟର ତାଲିକା ଜାରି କରିବାକୁ ଲକ୍ଷ୍ୟ ରଖିଛନ୍ତି ନିର୍ବାଚନ କମିଶନ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
