Advertisment

ନିର୍ବାଚନ କମିଶନଙ୍କ ଭୂମିକାକୁ ନେଇ କଡ଼ା ଟିପ୍ପଣୀ ଦେଲେ ଉଦ୍ଧବ ଠାକରେ

ଭାରତୀୟ ନିର୍ବାଚନ କମିଶନ(ଇସି) ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏନକାଥ ସିନ୍ଦେ ଗୋଷ୍ଠୀଙ୍କୁ ପ୍ରକୃତ ଶିବସେନା ଭାବେ ନାମିତ କରିବା ସହ ଧନୁ ଓ ତୀର ଚିହ୍ନ ପ୍ରଦାନ କରିଛନ୍ତି।

author-image
Hemant Lenka
Uddhav Thackeray

Uddhav Thackeray

ଭାରତୀୟ ନିର୍ବାଚନ କମିଶନ(ଇସି) ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏନକାଥ ସିନ୍ଦେ ଗୋଷ୍ଠୀଙ୍କୁ ପ୍ରକୃତ ଶିବସେନା ଭାବେ ନାମିତ କରିବା ସହ ଧନୁ ଓ ତୀର ଚିହ୍ନ ପ୍ରଦାନ କରିଛନ୍ତି। ଏହି ଘଟଣାକୁ ନେଇ ଆଜି ଇସିଙ୍କୁ ଟାର୍ଗେଟ କରିଛନ୍ତି ଉଦ୍ଧବ ଠାକରେ। ସେ ନିର୍ବାଚନ କମିଶନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦାସ ବା ଗୁଲାମ ବୋଲି କହିବାକୁ ମଧ୍ୟ ପଛାଇ ନାହାନ୍ତି।

Advertisment

ସେ କହିଛନ୍ତି,“ନିର୍ବାଚନ କମିଶନ ପ୍ରାଧାନମନ୍ତ୍ରୀ ମୋଦିଙ୍କ ଦାସ। କମିଶନ ଏମିତି କିଛି କରିଛନ୍ତି, ଯାହା ପୂର୍ବରୁ କେବେ ବି ହୋଇ ନଥିଲା।” ନିଜର ସମର୍ଥକମାନଙ୍କୁ ଧୈର୍ଯ୍ୟ ରଖିବା ସହ ଆସନ୍ତା ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ମଧ୍ୟ ଆହ୍ୱାନ ଦେଇଛନ୍ତି। ବ୍ରିହାନମୁମ୍ବାଇ ପୌରପାଳିକା ନିର୍ବାଚନ ଆଗକୁ ଥିବାରୁ ସେ ନିଜ ସମର୍ଥକମାନଙ୍କୁ ଏକାଠି ହେବାକୁ କହିଛନ୍ତି।

ଠାକରେ ପରିବାରର ବାସଭବନ ମାତୋଶ୍ରୀ ବାହାରେ ଆଜି ଉଦ୍ଧବ ଠାକରେ ନିଜର ଶକ୍ତିପ୍ରଦର୍ଶନ କରିଛନ୍ତି। ସେ ନିଜ କାର୍‌ରେ ଛିଡ଼ା ହୋଇ ସମର୍ଥକଙ୍କୁ ସମ୍ବୋଧନ କରନ୍ତି। ତାଙ୍କ ବାପା ବାଲା ସାହେବ ଠାକରେ ଯେଉଁଭଳି ସମର୍ଥକମାନଙ୍କୁ କାର୍‌ ଉପରେ ଚଢ଼ି ସମ୍ବୋଧନ କରୁଥିଲେ, ଆଜି ଉଦ୍ଧବ ସମାନ ପଦକ୍ଷେପ ଗ୍ରହଣ କରିଛନ୍ତି।

Advertisment

ସେ କହିଛନ୍ତି, “ଦଳୀୟ ଚିହ୍ନକୁ ଚୋରି କରାଯାଇଛି। ତେଣୁ ଚୋରମାନଙ୍କୁ ଉପଯୁକ୍ତ ଶିକ୍ଷା ମିଳିବା ଦରକାର। ୭୫ ବର୍ଷ ମଧ୍ୟରେ କୌଣସି ଦଳକ ସହ କେବେ ହେଲେ ଏମିତି ହୋଇ ନଥିଲା। ଯଦି ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାବୁଛନ୍ତି ସେମାନେ ଆମକୁ ନିଜର ସରକାରୀ କଳବଳ ଦ୍ୱାରା ଶେଷ କରିଦେବେ, ତା’ହେଲେ ଏହା କେବେ ହେଲେ ସମ୍ଭବ ନୁହେଁ। ସେମାନେ ଶିବସେନାକୁ କେବେ ହେଲେ ଖତମ କରିପାରିବେ ନାହିଁ।

ପ୍ରଧାନମନ୍ତ୍ରୀ ଭାବୁଛନ୍ତି ସେ ଶିବସେନାକୁ ଶେଷ କରିଦେବେ। କିନ୍ତୁ ଶିବସେନା କେବେ ହେଲେ ଖତମ ହେବନି। ମୁଁ ରାଜ୍ୟରେ ଥିବା ତାଙ୍କ ଚାକର ସରକାରଙ୍କୁ କହିବାକୁ ଚାହେଁ ଯେ ସେନା କାହାର ସେକଥା ଲୋକମାନେ ବିଚାର କରିବେ।

ଗତକାଲି ନିର୍ବାଚନ କମିଶନ ଦାସତ୍ୱ ଗ୍ରହଣ କରିବା ଭଳି ପଦକ୍ଷେପ ନେଇଛନ୍ତି। ଜଣେ ନିର୍ବାଚନ କମିଶନର ଅବସର ପରେ ଗୋଟିଏ ରାଜ୍ୟର ରାଜ୍ୟପାଳ ହୋଇପାରିବେ। କାରଣ ଜଣେ ଅବସରପ୍ରାପ୍ତ ବିଚାରପତି ନିକଟରେ ରାଜ୍ୟପାଳ ହୋଇଛନ୍ତି। ସେ(ପ୍ରଧାନମନ୍ତ୍ରୀ ମୋଦି) ନିଜ ଚାରି ପାଖରେ ଏମିତି ଗୁଲାମମାନଙ୍କୁ ରଖିଛନ୍ତି।”

ଉଦ୍ଧବ ଠାକରେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମହାରାଷ୍ଟ୍ର ଆସିବା ପାଇଁ ବାଲାସାହେବ ଠାକରେଙ୍କ ମୁଖା ଲଗାଇବାକୁ ପଡ଼ିବ। ଚୋରମାନେ ଠାକରେଙ୍କ ନାଁ, ବାଲା ସାହେବଙ୍କ ଫଟୋ ଚାହୁଁଛନ୍ତି। ହେଲେ ସେମାନେ ଶିବସେନା ପରିବାରକୁ ଚାହାନ୍ତି ନାହିଁ ବୋଲି ସେ କହିଛନ୍ତି।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଗୋଷ୍ଠୀଙ୍କୁ ସିଧାସଳଖ ଚ୍ୟାଲେଞ୍ଜ ଦେଇ ଉଦ୍ଧବ ଠାକରେ କହିଛନ୍ତି, “ଚୋରମାନଙ୍କୁ ପବିତ୍ର ଧନୁ ଓ ତୀର ଦିଆଯାଇଛି। ମୁଁ ସେମାନଙ୍କୁ ଚ୍ୟାଲେଞ୍ଜ ଦେବାକୁ ଚାହୁଁଛି- ସେମାନେ ଯଦି ପୁରୁଷ, ତା’ହେଲେ ସେମାନେ ଆମ ସାମ୍ନାକୁ ଚୋରି କରିଥିବା ଧନୁ-ତୀର ନେଇ ଆସନ୍ତୁ।

ଆମେ ମଶାଲ ସହ ନିର୍ବାଚନ ଲଢ଼ିବୁ। ଏହା ଆମ ପାଇଁ ପରୀକ୍ଷାର ସମୟ। ଯୁଦ୍ଧ ଏବେ ଆରମ୍ଭ ହୋଇଛି।” ଗତବର୍ଷ ଉଦ୍ଧବ ଠାକରେଙ୍କ ଶିବସେନାକୁ ନିର୍ବାଚନ କମିଶନ ପକ୍ଷରୁ ଜଳନ୍ତା ମଶାଲକୁ ଦଳୀୟ ଚିହ୍ନ ଭାବେ ବ୍ୟବହାର କରିବାକୁ ଅନୁମତି ଦିଆଯାଇଥିଲା।

Uddhav Thackeray Shiv Sena Eknath Sinde