Advertisment

ଲୋକସଭା ନିର୍ବାଚନ ପୂର୍ବରୁ ଇସ୍ତଫା ଦେଲେ ନିର୍ବାଚନ କମିଶନର ଅରୁଣ ଗୋଏଲ

ରାଜୀବ କୁମାର ମୁଖ୍ୟ ନିର୍ବାଚନ କମିଶନର ବା ଇସିଆଇ ଭାବେ କାର୍ଯ୍ୟ କରୁଥିବା ବେଳେ ଅରୁଣ ଗୋଏଲଙ୍କୁ ନିର୍ବାଚନ କମିଶନର ବା ଇସି ଭାବେ ନିଯୁକ୍ତି ମିଳିଥିଲା।

author-image
Hemant Lenka
EC

EC

ଆଉ କିଛି ସପ୍ତାହ ପରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ଆସନ୍ତା ଗୁରୁବାର କିମ୍ବା ଶୁକ୍ରବାର ଏନେଇ ତାରିଖ ମଧ୍ୟ ଘୋଷଣା ହେବାର ଥିଲା। କିନ୍ତୁ ଏହାପୂର୍ବରୁ ହଠାତ୍‌ ଭାରତୀୟ ନିର୍ବାଚନ କମିଶନର ପଦରୁ ଇସ୍ତଫା ଦେଇଛନ୍ତି ଅରୁଣ ଗୋଏଲ। ଇସ୍ତଫାର କାରଣ ଏଯାଏ ଜଣାପଡ଼ିନାହିଁ। କିନ୍ତୁ ସେ ବ୍ୟକ୍ତିଗତ କାରଣ ଦର୍ଶାଇ ନିର୍ବାଚନ କମିଶନର ପଦରୁ ଇସ୍ତଫା ଦେଇଛନ୍ତି।

Advertisment

ତାଙ୍କ ଇସ୍ତଫାପତ୍ରକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଗ୍ରହଣ କରିନେଇଛନ୍ତି। ନିର୍ବାଚନ କମିଶନରେ ୩ ଜଣ ସଦସ୍ୟ ରହିଥାଆନ୍ତି। ରାଜୀବ କୁମାର ମୁଖ୍ୟ ନିର୍ବାଚନ କମିଶନର ବା ଇସିଆଇ ଭାବେ କାର୍ଯ୍ୟ କରୁଥିବା ବେଳେ ଅରୁଣ ଗୋଏଲଙ୍କୁ ନିର୍ବାଚନ କମିଶନର ବା ଇସି ଭାବେ ନିଯୁକ୍ତି ମିଳିଥିଲା। ଆଉ ଗୋଟିଏ କମିଶନର ପଦ ଖାଲି ପଡ଼ିଥିଲା। ଏବେ ଅରୁଣ ଗୋଏଲ ଇସ୍ତଫା ପରେ ୨ଟି ଯାକ କମିଶନର ପଦ ଖାଲି ହୋଇଯାଇଛି। କମିଶନରେ ଏବେ କେବଳ ରାଜୀବ କୁମାର ମୁଖ୍ୟ ନିର୍ବାଚନ କମିଶନର ଭାବେ ରହିଛନ୍ତି। 

ନଭେମ୍ବର ୧୯ରେ ପୂର୍ବତନ ପ୍ରଶାସନିକ ଅଧିକାରୀ ଅରୁଣ ଗୋଏଲଙ୍କୁ ନିର୍ବାଚନ କମିଶନର(ଇସି) ଭାବେ ନିଯୁକ୍ତି ମିଳିଥିଲା। ଏହାକୁ ନେଇ ସେତେବେଳେ ବେଶ ବିବାଦ ହୋଇଥିଲା। କେଉଁ ନିୟମ ଓ ପ୍ରକ୍ରିୟା ଆଧାରରେ ଏପରି ନିଯୁକ୍ତି ହୋଇଛି, ସେକଥା ଜାଣିବାକୁ ଚାହିଁଥିଲେ ସୁପ୍ରିମକୋର୍ଟ। ଏଥିପାଇଁ କେନ୍ଦ୍ରକୁ ଫାଇଲ ଦାଖଲ କରିବାକୁ ବି କୁହାଯାଇଥିଲା।

Advertisment

ଅରୁଣ ଗୋଏଲ ପ୍ରଶାସନିକ ସେବାରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ। ଏହାପରେ ତାଙ୍କୁ ଇସି ଭାବେ ନିଯୁକ୍ତି ମିଳିଥିବାରୁ ସୁପ୍ରିମକୋର୍ଟ ଏହା ଉପରେ ପ୍ରଶ୍ନ ଉଠାଇଥିଲେ।

ଦୀର୍ଘ ୩୭ ବର୍ଷ ଧରି ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରିଥିବା ଗୋଏଲ ନଭେମ୍ବର ୧୯ରେ ଇସି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ୧୯୮୫ ବ୍ୟାଚ୍‌ ପଞ୍ଜାବ ଆଇଏଏସ କ୍ୟାଡର ଗୋଏଲ ନଭେମ୍ବର ୧୮ରେ କେନ୍ଦ୍ର ଭାରୀ ଶିଳ୍ପ ମନ୍ତ୍ରଣାଳୟର ସଚିବ ପଦରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ। ଏହା ପରଦିନ ତାଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତି ମିଳିଥିଲା।

ଆଗକୁ ସାଧାରଣ ନିର୍ବାଚନ ସହ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଏଥିପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କ ସହ ଅରୁଣ ଗୋଏଲ ମଧ୍ୟ ବିଭିନ୍ନ ରାଜ୍ୟକୁ ଯାଇ ସ୍ଥିତି ସମୀକ୍ଷା କରୁଥିଲେ। ସୋମବାର ଇସିଙ୍କ ଟିମ ଜମ୍ମୁ-କଶ୍ମୀର ଯାଇ ସ୍ଥିତି ସମୀକ୍ଷା କରିବା ଥିଲା। ଏହାପରେ ନିର୍ବାଚନ ତାରିଖ ଘୋଷଣା ହୋଇଥାଆନ୍ତା। କିନ୍ତୁ ଏହା ପୂର୍ବରୁ ଗୋଏଲଙ୍କ ଇସ୍ତଫା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

Election Election Commission