Advertisment

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ; ନିର୍ବାଚନୀ ବଣ୍ଡ ଅସାମ୍ବିଧାନିକ

ନିର୍ବାଚନ ବଣ୍ଡ ସ୍କିମ୍ ଉପରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ।

ଅଦ୍ୟତନ ହୋଇଛି
Supreme Court Justices

Supreme Court Justices

Advertisment

ନିର୍ବାଚନୀ ବଣ୍ଡ ସ୍କିମ୍ ଉପରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଏହି ଯୋଜନାକୁ ଅସାମ୍ବିଧାନିକ ବୋଲି କହିବା ସହ ଏହାକୁ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ, ନିର୍ବାଚନୀ ବଣ୍ଡ ସ୍କିମ୍ ଲୋକଙ୍କର ସୂଚନା ଅଧିକାରକୁ କ୍ଷୂର୍ଣ୍ଣ କରୁଛି। 

Advertisment

ରୈଜନୈତିକ ଦଳ ନିର୍ବାଚନୀ ଚାନ୍ଦା ଆକାରରେ ପାଉଥିବା ପାଣ୍ଠି ବାବଦରେ ଜାଣିବାର ଅଧିକାର ଲୋକଙ୍କର ଅଛି। କିନ୍ତୁ ନିର୍ବାଚନୀ ଫଣ୍ଡିଂ ସ୍କିମ୍ ଏହାକୁ ବିରୋଧ କରୁଛି। ତେଣୁ ଏହା ଲୋକଙ୍କ ସୂଚନା ଅଧିକାରକୁ ଉଲ୍ଲଂଙ୍ଘନ କରୁଛି। କଳା ଟଙ୍କା ରୋକିବା ଉଦ୍ଦେଶ୍ୟରେ ସୂଚନା ଅଧିକାରର ଉଲ୍ଲଂଘନ ଯଥାର୍ଥ ନୁହେଁ। ତୁରନ୍ତ ନିର୍ବାଚନ ବଣ୍ଡ ବନ୍ଦ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 

ସୁପ୍ରିମକୋର୍ଟ ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ଯେ, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ମାର୍ଚ୍ଚ 31 ସୁଦ୍ଧା ନିର୍ବାଚନ ବଣ୍ଡ ମାଧ୍ୟମରେ ପ୍ରଦାନ କରାଯାଇଥିବା ଆର୍ଥିକ ଅନୁଦାନର ସମସ୍ତ ବିବରଣୀ ଦାଖଲ କରିବ। ଏଥିସହ ଏପ୍ରିଲ 13 ସୁଦ୍ଧା ସମସ୍ତ ତଥ୍ୟ ୱେବସାଇଟରେ ଶେଆର୍ କରିବାକୁ କୋର୍ଟ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଏହି ରାୟ ପ୍ରଦାନ କରିବାବେଳେ ମୁଖ୍ୟ ନ୍ୟାୟଧିଶ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି, "ଆମେ ସର୍ବସମ୍ମତ କ୍ରମେ ଏହି ନିଷ୍ପତ୍ତିରେ ପହଞ୍ଚିଛୁ। ମୋର ନିଷ୍ପତ୍ତିକୁ ଜଷ୍ଟିସ ବିଆର ଗଭାଇ, ଜଷ୍ଟିସ ପରଦୀୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରା ସମର୍ଥନ କରିଛନ୍ତି। ଏଥିରେ ଦୁଇଟି ମତ ଆସିଥିଲା, ଗୋଟିଏ ମୋର ଏବଂ ଅନ୍ୟଟି ହେଉଛି ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କର। ଯଦିଓ ଉଭୟ ମତର ଯୁକ୍ତିରେ ସାମାନ୍ୟ ପ୍ରାର୍ଥକ୍ୟ ରହିଛି, ତଥାପି ଉଭୟ ମତ ସମାନ ସିଦ୍ଧାନ୍ତରେ ପହଞ୍ଚିଛି"

ଇଲେକ୍ଟୋରାଲ ବଣ୍ଡ ସ୍କିମ୍ କଣ?
କେନ୍ଦ୍ର ସରକାର ୨୦୧୭ରେ ନିର୍ବାଚନ ବଣ୍ଡ ସ୍କିମ୍ ଘୋଷଣା କରିଥିଲେ। ଏହି ସ୍କିମ୍ ୨୯ ଜାନୁୟାରୀ ୨୦୧୮ରେ ଆଇନଗତ ଭାବରେ କାର୍ଯ୍ୟକାରୀ ହୋଇଥିଲେ। ଯଦି ଆମେ ସରଳ ଭାଷାରେ କହିବା, ତେବେ ରାଜନୈତିକ ଦଳମାନଙ୍କୁ ଅର୍ଥ ଦାନ କରିବାର ଏକ ମାଧ୍ୟମ ହେଉଛି ନିର୍ବାଚନୀ ବଣ୍ଡ। ଏହି ବଣ୍ଡକୁ ଭାରତର ଯେକୌଣସି ନାଗରିକ କିମ୍ବା କମ୍ପାନୀ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ସିଲେକ୍ଟ ଶାଖାରୁ କିଣି ପାରିବେ ଏବଂ ନିଜ ପସନ୍ଦର କୌଣସି ରାଜନୈତିକ ଦଳକୁ ଦାନ କରିପାରିବେ। କିନ୍ତୁ ଏଥିରେ କୌଣସି ବ୍ୟକ୍ତି କିମ୍ବା କମ୍ପାନୀର ନାମ ପ୍ରକାଶ କରାଯିବ ନାହିଁ, ଅର୍ଥାତ୍ ଏହା ଗୋପନ ରହିବ।

କାହାକୁ ନିର୍ବାଚନୀ ବଣ୍ଡ ମିଳେ?
ଦେଶର ସମସ୍ତ ପଞ୍ଜୀକୃତ ରାଜନୈତିକ ଦଳ ଏହି ବଣ୍ଡ ପାଇବାକୁ ଯୋଗ୍ୟ। କିନ୍ତୁ ଏଥିପାଇଁ ଏକ ସର୍ତ୍ତ ରହିଛି। ଯଦି କୌଣସି ରାଜନୈତିକ ଦଳ ପୂର୍ବ ସାଧାରଣ ନିର୍ବାଚନରେ  ଅତି କମରେ ଏକ ପ୍ରତିଶତ କିମ୍ବା ଅଧିକ ଭୋଟ୍ ପାଇଥିବ ତେବେ ସେ ନିର୍ବାଚନୀ ବଣ୍ଡ ପାଇପାରିବେ। 

ନିର୍ବାଚନୀ ବଣ୍ଡ ନେଇ କେନ୍ଦ୍ର ସରକାର କଣ କହନ୍ତି?
ସରକାରଙ୍କ କହିବାନୁସାରେ, 'ନିର୍ବାଚନୀ ବଣ୍ଡ ମାଧ୍ୟମରେ କଳା ଟଙ୍କାକୁ ରୋକାଯାଇପାରିବ ଏବଂ ନିର୍ବାଚନରେ ​​ଦାନ ଦିଆଯାଇପାରିବ। ଏହା ନିର୍ବାଚନ ପାଣ୍ଠିରେ ଉନ୍ନତି ଆଣିବାରେ ସହାୟକ ହେବ। ନିର୍ବାଚନ ବଣ୍ଡ ଯୋଜନା ସ୍ୱଚ୍ଛ ବୋଲି କେନ୍ଦ୍ର ସରକାର ଏହାର କାଉଣ୍ଟର ଆଫିଡେଭିଟରେ କହିଛନ୍ତି। 

ନିର୍ବାଚନ ବଣ୍ଡକୁ ନେଇ ବିବାଦ କଣ?
କଂଗ୍ରେସ ନେତା ଜୟା ଠାକୁର, ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ଏବଂ ଏନଜିଓ ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର) ସମେତ ଚାରି ଜଣ ନିର୍ବାଚନୀ ବଣ୍ଡ ବିରୁଦ୍ଧରେ ଆବେଦନ କରିଥିଲେ। ଆବେଦନକାରୀଙ୍କ କହିବା କଥା ହେଉଛି, ନିର୍ବାଚନୀ ବଣ୍ଡ ମାଧ୍ୟମରେ ଗୁପ୍ତ ଭାବେ ଅର୍ଥ ଅନୁଦାନ, ନିର୍ବାଚନୀ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏହା ମଧ୍ୟ ସୂଚନା ଅଧିକାରର ଉଲ୍ଲଂଘନ କରେ। ଏଥିରେ ଶେଲ କମ୍ପାନୀ ପକ୍ଷରୁ ଦାନ କରିବାକୁ ଅନୁମତି ମଧ୍ୟ ଦିଆଯାଇଛି। ଏହା ଉପରେ ରୋକ୍ ଲଗାଯାଉ।

ସୁପ୍ରିମକୋର୍ଟରେ ନିର୍ବାଚନୀ ବଣ୍ଡ ମାମଲା
ସୁପ୍ରିମକୋର୍ଟରେ ନିର୍ବାଚନୀ ବଣ୍ଡ ଉପରେ ଶୁଣାଣି ଗତ ବର୍ଷ ଅକ୍ଟୋବର ୩୧ରେ ଆରମ୍ଭ ହୋଇଥିଲା। ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ବି.ଆର ଗଭାଇ, ଜଷ୍ଟିସ ଜେ.ବି ପରଦୀୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରା ଏ ଉପରେ ବିଚାର କରିଥିଲେ। ଏହି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲଢୁଥିବା ଓକିଲ ଯୁକ୍ତି ବାଢିଥିଲେ ଯେ, ଲୋକଙ୍କର ରୈଜନୈତିକ ଦଳ ଏବଂ ପ୍ରାର୍ଥୀଙ୍କ ବାବଦରେ ଜାଣିବାର ସମ୍ପୂର୍ଣ୍ଣ ଅଧିକରା ଅଛି, କିନ୍ତୁ ପାଣ୍ଠି ବାବଦରେ ଜାଣିବାର ସାଧାରଣ ଅଧିକାର ନାହିଁ। ଅକ୍ଟୋବର୩୧ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଉଭୟ ପକ୍ଷ ଏବଂ ବିରୋଧୀ ଦଳ ଦେଇଥିବା ଯୁକ୍ତିକୁ ଶୁଣିଥିଲେ କୋର୍ଟ। ତିନି ଦିନର ଶୁଣାଣି ପରେ ନଭେମ୍ବର ୨ରେ କୋର୍ଟ ଏ ଉପରେ ବିଚାର କରି ରାୟକୁ ସଂରକ୍ଷିତ ରଖିଥିଲେ, ଯାହା ଆଜି ପ୍ରକାଶ ପାଇଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe