Advertisment

ଭାରତରେ ଥିବା ଟ୍ୱିଟର ଅଫିସ ବନ୍ଦ କଲେ ମସ୍କ, କର୍ମଚାରୀଙ୍କୁ ଘରକୁ ପଠାଇ ଦେଲେ

ଭାରତରେ ଥିବା ଟ୍ୱିଟର୍‌ର ୩ଟି ଅଫିସରୁ ଦୁଇଟିକୁ ବନ୍ଦ କରି ଦେଇଛନ୍ତି ସଂସ୍ଥାର ମାଲିକ ଏଲନ ମସ୍କ।

author-image
Hemant Lenka
Twitter

Twitter

ଭାରତରେ ଥିବା ଟ୍ୱିଟର୍‌ର ୩ଟି ଅଫିସରୁ ଦୁଇଟିକୁ ବନ୍ଦ କରି ଦେଇଛନ୍ତି ସଂସ୍ଥାର ମାଲିକ ଏଲନ ମସ୍କ। ସେ ଦୁଇଟି ଯାକ ଅଫିସ ବନ୍ଦ କରି କର୍ମଚାରୀଙ୍କୁ ଘରକୁ ପଠାଇ ଦେଇଛନ୍ତି। ଏଣିକି କର୍ମଚାରୀମାନେ ଘର ରହି କାମ କରିବେ। ଟ୍ୱିଟରକୁ କିଣିବା ପରେ ମସ୍କ କଷ୍ଟ କଟିଂ ଓ କର୍ମଚାରୀ ହ୍ରାସ କରିବେ ବୋଲି କହିଥିଲେ।

Advertisment

ଏହିକ୍ରମରେ ସେ ପ୍ରଥମେ ଅନେକ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଥିଲେ। ଏବେ ସେ ଭାରତରେ ଥିବା ୨ଟି ଅଫିସକୁ ବନ୍ଦ କରି ଦେଇଛନ୍ତି। ଗତବର୍ଷ ଟ୍ୱିଟର ଭାରତରେ କମ୍ପାନୀ ପାଇଁ କାମ କରୁଥିବା ୯୦% ବା ୨୦୦ରୁ ଅଧିକ କର୍ମଚାରୀଙ୍କୁ ବିଦା କରିଥିଲା। ଏବେ ଦେଶର ରାଜଧାନୀ ଦିଲ୍ଲୀ ଓ ଅର୍ଥନୀତିକ ରାଜଧାନୀ ମୁମ୍ବାଇରେ ଥିବା ଅଫିସକୁ ଟ୍ୱିଟର ବନ୍ଦ କରି ଦେଇଛି। ତେବେ ବେଙ୍ଗାଲୁରୁରେ ଥିବା କମ୍ପାନୀ ଚାଲୁ ରହିବ। ଏଠାରେ ଅଧିକାଂଶ ଇଞ୍ଜିନୟର୍ସ ସଂସ୍ଥା ପାଇଁ କାମ କରନ୍ତି।

୨୦୨୩ ଶେଷ ସୁଦ୍ଧା ଟ୍ୱିଟରକୁ ଆର୍ଥିକସ୍ତରରେ ଦୃଢ଼ କରିବାକୁ ମସ୍କ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସେ କମ୍ପାନୀ ଖର୍ଚ୍ଚକୁ ହ୍ରାସ କରୁଛନ୍ତି। ସେହିପରି କର୍ମଚାରୀଙ୍କୁ ମଧ୍ୟ ବିଦା କରୁଛନ୍ତି। ଏପରି କରି ସେ କମ୍ପାନୀର ଲାଭ ବୃଦ୍ଧି କରୁଥିବା ଯୁକ୍ତି ଉପସ୍ଥାପନ କରିଛନ୍ତି।

Advertisment

ଭାରତରେ ଟ୍ୱିଟର ଗୋଟିଏ ପ୍ରମୁଖ ବାର୍ତ୍ତା ବାହାକ ଭାବେ କାମ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁଗାମୀଙ୍କ ସଂସ୍ୟା ମଧ୍ୟ ଟ୍ୱିଟରରେ ୮୬.୫ ମିଲିୟନ ରହିଛି। ତଥାପି ଭାରତରୁ ଟ୍ୱିଟର୍‌ ଆଶାତୀତ ରାଜସ୍ୱ ପାଇ ପାରୁନି। ତେଣୁ ଭାରତରେ କେମିତି ଅଧିକ ରାଜସ୍ୱ ସଂଗ୍ରହ ହେବ ସେ ଚିନ୍ତା ମସ୍କଙ୍କୁ ଘାରିଛି।

Elon Musk Twitter India