Advertisment

ରାସ୍ତାରେ ଖାଲ ପାଇଁ ମୂଷାକୁ ଦାୟୀ କଲେ କର୍ମଚାରୀ, ଏମିତି ପଦକ୍ଷେପ ନେଲା କମ୍ପାନୀ

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେ ପ୍ରକଳ୍ପ କାମରେ କର୍ମଚାରୀ ଜଣଙ୍କ ନିୟୋଜିତ ଥିଲେ।

author-image
Hemant Lenka
Express way

Express way

ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟ କରିବା ଭଳି ଘଟଣା। ରାସ୍ତାରେ ହେଉଥିବା ବଡ଼ବଡ଼ ଗର୍ତ୍ତ ପାଇଁ ମୂଷାକୁ ଦାୟୀ କରିଛନ୍ତି ନିର୍ମାଣ କାମରେ ଥିବା ଜଣେ କର୍ମଚାରୀ। ରାସ୍ତାରେ ଖାଲ ପାଇଁ ସେ ଏପରି କାରଣ ଦର୍ଶାଇବା ପରେ ତାଙ୍କୁ କାର୍ଯ୍ୟରୁ ବିଦା ହେବାକୁ ପଡ଼ିଛି। ସେ କାମ କରୁଥିବା କମ୍ପାନୀ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି।

Advertisment

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେ ପ୍ରକଳ୍ପ କାମରେ କର୍ମଚାରୀ ଜଣଙ୍କ ନିୟୋଜିତ ଥିଲେ। ରାଜସ୍ଥାନର ଦଉସା ଜିଲ୍ଲାରେ ରାସ୍ତାର ଗୋଟିଏ ଅଂଶରେ ବିରାଟକାୟ ଗର୍ତ୍ତ ହୋଇଥିଲା। ଏହି ଗର୍ତ୍ତମାନେ କର୍ମଚାରୀ ଜଣଙ୍କ ମୂଷାଙ୍କୁ ଦାୟୀ କରିଥିଲେ।

ମିଳିଥିବା ସୂଚନା ଅନୁସାରେ, ମୂଷାକୁ ଦାୟୀ କରି ଚାକିରି ହରାଇଥିବା କର୍ମଚାରୀ ଜଣଙ୍କ ପ୍ରକଳ୍ପ କାମ ହାତ ନେଇଥିବା କେସିସି ବିଲ୍ଡକନର ଜଣେ ଜୁନିୟର ଷ୍ଟାଫ ମେମ୍ବର। ପୂରା ସ୍ଥିତି ସମ୍ପର୍କରେ କମ୍ପାନୀ ପକ୍ଷରୁ ଜାତୀୟ ରାଜପଥ ପ୍ରାଧିକରଣ(ଏନଏଚ୍‌ଏଆଇ)କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି।

Advertisment

କମ୍ପାନୀ କହିଛି ଯେ ମୂଷା ଉପାଖ୍ୟାନ ସମ୍ପର୍କରେ ଜଣେ କିନିଷ୍ଠ କର୍ମଚାରୀ ମତ ରଖିଥିଲେ। ପ୍ରକଳ୍ପ ସହ ଜଡ଼ିତ ବୈଷୟିକ ଜ୍ଞାନକୌଶଳ ସମ୍ପର୍କରେ ତାଙ୍କର କୌଣସି ଧାରଣା ନାହିଁ। ତଥାପି ସେ ଅଜବ ବୟାନ ଦେଇଥିବାରୁ ତାଙ୍କୁ କମ୍ପାନୀରୁ ବିଦା କରାଯାଇଛି। ସେ ମେଣ୍ଟେନାନ୍ସ ମ୍ୟାନେଜର ନଥିଲେ। ଏହାକୁ ନେଇ ଭୁଲ କଥା ପ୍ରଚାର କରାଯାଇଥିଲା ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ବିଦା ହୋଇଥିବା କର୍ମଚାରୀ ଜଣଙ୍କ ରାସ୍ତାରେ ହୋଇଥିବା ଗର୍ତ୍ତ ସମ୍ପର୍କରେ କହିଥିଲେ ଯେ ସମ୍ଭବତଃ କୌଣସି ମୂଷା କିମ୍ବା ଛୋଟ ପଶୁ ରାସ୍ତାରେ ଗର୍ତ୍ତ କରିଦେଇଛି। ଏଥିପାଇଁ ଏହା ମଧ୍ୟରେ ପାଣି ପଶି ଯାଇ ଏଭଳି ସ୍ଥିତି ସୃଷ୍ଟି ହୋଇଛି। 

ତେବେ ଦଉସା ଦେଇ ଯାଇଥିବା ଏକ୍ସପ୍ରେସ ୱେର ପ୍ରକଳ୍ପ ନିର୍ଦ୍ଦେଶକ ବଲବୀର ଯାଦବଙ୍କ କହିବା କଥା ଯେ ପାଣି ଲିକ୍‌ ହେଉଥିବାରୁ ରାସ୍ତାରେ ଗର୍ତ୍ତ ସୃଷ୍ଟି ହୋଇଛି। କଣ୍ଟ୍ରାକ୍ଟର ଏସମ୍ପର୍କରେ ସୂଚନା ଦେବା ପରେ ତୁରନ୍ତ ବ୍ୟାରିକେଡ କରାଯାଇଥିଲା ଓ ଗର୍ତ୍ତକୁ ମରାମତି କରାଯାଇଥିଲା ବୋଲି ଯାଦବ କହିଥିଲେ।

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେର ଲମ୍ବ ୧୩୯୬ କିମି। ଏହା ଦେଶର ସବୁଠାରୁ ଲମ୍ବା ଏକ୍ସପ୍ରେସ ୱେ। ଦୁଇ ସହର ମଧ୍ୟରେ ଯାତାୟାତ ସମୟକୁ ୨୪ ଘଣ୍ଟାରୁ ୧୨ରୁ ୧୩ ଘଣ୍ଟାକୁ କମାଇବା ପାଇଁ ଏହାକୁ ତିଆରି କରାଯାଇଛି। ଏହି ଏକ୍ସପ୍ରେସ ୱେ ହରିୟାଣା, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜରାଟ ଓ ମହାରାଷ୍ଟ୍ର ଦେଇ ଯାଇଛି।

ଜୁଲାଇ ୩୧ରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡକରୀ କହିଥିଲେ ଯେ ଏହି ଏକ୍ସପ୍ରେସ ୱେର କାମ ୮୦% ଶେଷ ହୋଇଛି। ଏହାକୁ ସଂପୂର୍ଣ୍ଣ କରିବା ପାଇଁ ଆଉ ଗୋଟିଏ ବର୍ଷ ସମୟ ଲାଗିବ।

Mumbai Rajstan Politics Nitin Gadkari