Advertisment

ଉମେଶ ପାଲ୍ ହତ୍ୟା ମାମଲା: ଏନକାଉଣ୍ଟରରେ ଟଳିଲା ଅଭିଯୁକ୍ତ ଓସମାନ

ରାଜୁ ପାଲ ହତ୍ୟା ଘଟଣାର ମୁଖ୍ୟ ସାକ୍ଷୀ ଥିଲେ ଉମେଶ ପାଲ । ଗତ ଫେବୃୟାରୀରେ ୨୪ ପ୍ରୟାଗରାଜଠାରେ କିଛି ଦୁର୍ବୃତ୍ତ ଉମେଶ ପାଲ ଓ ତାଙ୍କ ୨ ବନ୍ଧୁକଧାରୀ ସୁରକ୍ଷା କର୍ମୀଙ୍କୁ ଗୁଳି ମାରି ହତ୍ୟା କରିଥିଲେ।

author-image
Niharika Rout
ଅଦ୍ୟତନ ହୋଇଛି
Murder case

Murder case

ଉତ୍ତରପ୍ରଦେଶର ପ୍ରୟାଗରାଜରେ ହୋଇଥିବା ବହୁ ଚର୍ଚ୍ଚିତ ଉମେଶ ପାଲ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ଓସମାନ ଚୌଧୁରୀକୁ ଏନକାଉଣ୍ଟର କରିଛି ପୁଲିସ୍‌। ଓସମାନ ହିଁ ପ୍ରଥମେ ଉମେଶ ପାଲକୁ ଗୁଳି ମାରିଥିବା ଜଣାଯାଇଛି। ଏହା ପୂର୍ବରୁ ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ଅରବାଜକୁ ଏନକାଉଣ୍ଟର କରି ସାରିଛି ପୁଲିସ୍‌ ।

Advertisment

ପ୍ରୟାଗରାଜର କୌନ୍ଧିଆରା ଅଞ୍ଚଳରେ ଓସମାନ ଲୁଚି ଥିବା ସୂଚନା ପାଇ ପୁଲିସ୍‌ ଚଢ଼ାଉ କରିଥିଲା। ଏହି ସମୟରେ ଓସମାନ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ୍‌ ତାକୁ ଟାର୍ଗେଟ କରି ଗୁଳି ଚଳାଇଥିଲା। ଏହାପରେ ଗୁରୁତର ଅବସ୍ଥାରେ ପୁଲିସ୍‌ ତାକୁ ଏସ୍‌ଆରଏନ୍‌ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

ରାଜୁ ପାଲ ହତ୍ୟା ଘଟଣାର ମୁଖ୍ୟ ସାକ୍ଷୀ ଥିଲେ ଉମେଶ ପାଲ । ଗତ ଫେବୃୟାରୀରେ ୨୪ ପ୍ରୟାଗରାଜଠାରେ କିଛି ଦୁର୍ବୃତ୍ତ ଉମେଶ ପାଲ ଓ ତାଙ୍କ ୨ ବନ୍ଧୁକଧାରୀ ସୁରକ୍ଷା କର୍ମୀଙ୍କୁ ଗୁଳି ମାରି ହତ୍ୟା କରିଥିଲେ। ଉମେଶ ଗାଡ଼ିରୁ ଓହ୍ଲାଉଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଟାର୍ଗେଟ କରି ଗୁଳି ଚଳାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଉମେଶ ଓ ତାଙ୍କ ଗନ୍‌ମ୍ୟାନ୍‌ଙ୍କ ମୃତ୍ୟୁ ହୋଇଥିଲା।

Advertisment

ସାବରମତି ଜେଲ୍‌ରେ ବନ୍ଦୀ ଥିବା ଅତିକ ଅହମ୍ମଦ ହିଁ ଉମେଶ ପାଲ ହତ୍ୟାକାଣ୍ଡର ଯୋଜନା ପ୍ରସ୍ତୁତ କରିଥିବା ପୁଲିସ୍‌ ତଦନ୍ତରୁ ଜଣାପଡ଼ିଥିଲା।  ବିଏସ୍‌ପି ବିଧାୟକ ରାଜୁ ପାଲ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲା ଅତିକ ଅହମ୍ମଦ। ଉମେଶ ପାଲ ଏହି ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଥିଲେ । ତେଣୁ ଉମେଶ ପାଲଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା ପ୍ରସ୍ତୁତ କରିଥିଲେ ଅତିକ ଅହମ୍ମଦ । କେବଳ ସେତିକି ନୁହେଁ, ଏକ ଜମିଜମା ବିବାଦ ପାଇଁ ଅତିକ ଓ ଉମେଶ ପାଲ ମଧ୍ୟରେ ପୂର୍ବ ଶତ୍ରୁତା ଥିବା ପୁଲିସ୍‌ କହିଛି ।

ଅତିକ ବାଦ ପୁଲିସ୍‌ ତାଙ୍କ ପତ୍ନୀ, ଭାଇ ଓ ୨ ପୁଅଙ୍କ ସମେତ ୧୪ ଜଣଙ୍କ ନାମରେ ହତ୍ୟା ମାମଲା ରୁଜୁ କରିଛି। ଅତିକ ଅହମ୍ମଦର ୨ ପୁଅ ନାବାଳକ ଥିବାରୁ ସେମାନଙ୍କୁ ବାଳ ସ୍ୱଧାର ଗୃହ ପଠା ଯାଇଛି। ପ୍ରୟାଗରାଜରେ ଅତିକ ଅହମ୍ମଦର ସମ୍ପତ୍ତି ଉପରେ ବୁଲଡୋଜର ଚଳାଯାଇଥିବା ବେଳେ ଏହି ଘଟଣାର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ନିମନ୍ତେ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

ଏହି ଘଟଣାରେ ପୂର୍ବରୁ ଅରବାଜକୁ ଏନକାଉଣ୍ଟର କରି ସାରିଛି ପୁଲିସ୍‌।  ଉମେଶ ପଲ ହତ୍ୟା ମାମଲାରେ ବ୍ୟବହାର କରାଯାଇଥିବା କାର୍‌କୁ ଅରବାଜ ହିଁ ଚଳାଉଥିଲା। ଅରବାଜ ରାଜୁ ପାଲ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅତିକ ଅହମ୍ମଦ ଗାଡ଼ି ବି ଚଳାଉଥିଲା। 

Murder Police Encounter Encounter