Advertisment

Karnataka: ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣନ୍ତୁ: ରାହୁଲ ଗାନ୍ଧିଙ୍କୁ କହିଲେ ସିଦ୍ଦରମୈୟା ଓ ଶିବ କୁମାର

ସବୁ ଦ୍ୱନ୍ଦ୍ୱ ଓ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ କହିଛନ୍ତି ସିଦ୍ଦରମୈୟା ଓ ଶିବ କୁମାର। ମଙ୍ଗଳବାର ରାହୁଲ ଗାନ୍ଧି କର୍ଣ୍ଣାଟକା ଆସିଥିବା ବେଳେ ତାଙ୍କୁ ଦୁଇ ବରିଷ୍ଠ ନେତା ଏକଥା କହିଥିବା ଜଣାପଡ଼ିଛି।

author-image
Hemant Lenka
Rahul-Gandhi

ରାହୁଲଙ୍କ ସହ ସିଦ୍ଦରମୈୟା ଓ ଶିବ କୁମାର

କର୍ଣ୍ଣାଟକା(Karnataka) ମୁଖ୍ୟମନ୍ତ୍ରୀ ପଦକୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହୁଛି। ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ସିଦ୍ଦରମୈୟାଙ୍କ ଠାରୁ ଏହି ପଦ ପ୍ରତ୍ୟାହାର କରି ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ଦିଆଯିବ ବୋଲି ରିପୋର୍ଟ ପ୍ରକାଶ ପାଇବାରେ ଲାଗିଛି। ଏହି ଚର୍ଚ୍ଚାକୁ ନେଇ ଉଭୟ ସିଦ୍ଦରମୈୟା ଓ ଶିବ କୁମାରଙ୍କ କ୍ୟାମ୍ପରେ ଦ୍ୱନ୍ଦ୍ୱ ଦେଖା ଯାଉଛି।

Advertisment

ଏହି ସବୁ ଦ୍ୱନ୍ଦ୍ୱ ଓ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ କହିଛନ୍ତି ସିଦ୍ଦରମୈୟା ଓ ଶିବ କୁମାର। ମଙ୍ଗଳବାର ରାହୁଲ ଗାନ୍ଧି କର୍ଣ୍ଣାଟକା ଆସିଥିବା ବେଳେ ତାଙ୍କୁ ଦୁଇ ବରିଷ୍ଠ ନେତା ଏକଥା କହିଥିବା ଜଣାପଡ଼ିଛି। 

ସୂତ୍ର ଅନୁସାରେ, ମୁଖ୍ୟମନ୍ତ୍ରୀ ପଦକୁ ନେଇ ହାଇକମାଣ୍ଡଙ୍କ ଯୋଜନାରେ ଉଭୟ ସିଦ୍ଦରମୈୟା ଓ ଶିବ କୁମାର ସ୍ପଷ୍ଟତା ଚାହୁଁଛନ୍ତି। ଏଥିସହ ଆକଳନ ଓ ଆଲୋଚନାକୁ ହାଇକମାଣ୍ଡ ତୁରନ୍ତ ଶେଷ କରନ୍ତୁ। ଏହାବାଦ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କ୍ୟାବିନେଟ ଅଦଳବଦଳ କରିବାକୁ ଚାହୁଁଥିବା ମଧ୍ୟ ରାହୁଲ ଗାନ୍ଧିଙ୍କୁ କହିଛନ୍ତି।

Advertisment

ଏକଥା ଶୁଣିବା ପରେ ରାହୁଲ ଗାନ୍ଧି ଉଭୟ ସିଦ୍ଦରମୈୟା ଓ ଶିବ କୁମାରଙ୍କୁ ଆଲୋଚନା ପାଇଁ ଦିଲ୍ଲୀ ଡାକିଛନ୍ତି। ତେବେ ଆଲୋଚନା ପାଇଁ ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ ହୋଇନାହିଁ। ମଙ୍ଗଳବାର ରାହୁଲ ଗାନ୍ଧି ମହୀଶୂରରେ ପହଞ୍ଚିବା ପରେ ତାଙ୍କୁ ସିଦ୍ଦରମୈୟା, ଶିବକୁମାରଙ୍କ ସେମତ ଅନ୍ୟ କଂଗ୍ରେସ ନେତାମାନେ ସ୍ୱାଗତ କରିଥିଲେ।

ଏହାପରେ ସେ ତାମିଲନାଡୁର ଓଟୀ ଅଭିମୁଖେ ବାହାରି ଯାଇଥିଲେ। ସେଠାରେ ସେ ଗୋଟିଏ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେଠାରୁ ଦିଲ୍ଲୀ ଫେରିବା ବେଳେ ଶିବ କୁମାର ତାଙ୍କୁ ଏୟାରପୋର୍ଟରେ ଭେଟିଥିଲେ। 

ଏୟାରପୋର୍ଟରେ ରାହୁଲ ଗାନ୍ଧିଙ୍କ ସହ ଶିବ କୁମାରଙ୍କ ଆଲୋଚନା ପରେ ବିଭିନ୍ନ ପ୍ରକାରର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏସବୁ ଭିତରେ ଶିବ କୁମାରଙ୍କ ଅଫିସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ମଙ୍ଗଳବାର ସନ୍ଧ୍ୟାରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି କର୍ଣ୍ଣାଟକାର ଉପ ମୁଖ୍ୟମନ୍ତ୍ରୀ ତଥା କେପିସିସି ସଭାପତି ଡିକେ ଶିବକୁମାରଙ୍କ ସହ ମହୀଶୂର ଏୟାରପୋର୍ଟରେ ଆଲୋଚନା କରିଥିଲେ। ତାମିଲନାଡୁରୁ ରାହୁଲ ଗାନ୍ଧି ମହୀଶୂର ଆସିଥିବା ବେଳେ ଆଲୋଚନା ହୋଇଥିଲା। ଏହାପରେ ସେ ଦିଲ୍ଲୀ ଚାଲି ଯାଇଥିଲେ ବୋଲି ବିବୃତିରେ ଉଲ୍ଲେଖ କରାଯାଇଛି।  

ଶିବ କୁମାର ଗଣମାଧ୍ୟମକୁ କହିଛନ୍ତି, “ମୁଁ କଂଗ୍ରେସ ସଭାପତି ଓ ସେ ଲୋକସଭାର ବିରୋଧୀ ଦଳ ନେତା। ଆମେ ଆଲୋଚନା କରିଥିବା ସବୁ କଥା ଆପଣମାନଙ୍କୁ କହି ପାରିବୁ ନାହିଁ। ଆପଣମାନେ ଅଯଥାରେ ଆଲୋଚନାକୁ ବିଭିନ୍ନ ପ୍ରକାରର ଆକଳନ କରୁଛନ୍ତି। ତାଙ୍କ ତରଫରୁ କୌଣସି ବାର୍ତ୍ତା ଦିଆଯାଇ ନାହିଁ। ସେ ଭଲ କାମ କରିବାକୁ କହିଛନ୍ତି। ଆମେ ତାଙ୍କୁ ଏମଜିନରେଗା ସମ୍ପର୍କରେ ସୂଚିତ କରିଛୁ।” 

ମକର ସଂକ୍ରାନ୍ତି ପରେ କର୍ଣ୍ଣାଟକାର ନେତୃତ୍ୱ ସମ୍ପର୍କରେ ଆଲୋଚନା କରିବା ପାଇଁ ଦୁଇ ନେତାଙ୍କୁ କଂଗ୍ରେସ ହାଇକମାଣ୍ଡ ଦିଲ୍ଲୀ ଡାକିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି। ଏହାପରେ ଶିବ କୁମାରଙ୍କ ବୟାନ ସାମ୍ନାକୁ ଆସିଛି। 

Karnataka