ମୃତ ଛାତ୍ର
ପ୍ରେମ ପାଇଁ ଜୀବନ ହରାଇଛନ୍ତି ଜଣେ ଛାତ୍ର। ସେ ଯେଉଁ ଝିଅକୁ ଜୀବନ ଠାରୁ ଅଧିକ ଭଲ ପାଉଥିଲେ ତାଙ୍କରି ପରିବାର ଲୋକ ହିଁ ତାଙ୍କୁ ହତ୍ୟା କରିଛନ୍ତି। ବାହାଘର ସମ୍ପର୍କରେ କଥା ହେବାକୁ ପ୍ରେମିକାଙ୍କ ଘର ଲୋକ ଡାକିଥିଲେ। ସେମାନଙ୍କ କଥାରେ ଭରସା କରି ଦ୍ୱିତୀୟ ବର୍ଷର ଏହି ଇଞ୍ଜିନିୟରିଂ ଛାତ୍ର ଜଣଙ୍କ ମଧ୍ୟ ଆଲୋଚନାକୁ ଆସିଥିଲେ।
ହେଲେ ପ୍ରେମିକାଙ୍କ ପରିବାର ଲୋକ ତାଙ୍କୁ ଧୋକା ଦେଇଛନ୍ତି। ବାହାଘର ସମ୍ପର୍କରେ ଆଲୋଚନା କରିବା ବଦଳରେ ସେମାନେ କ୍ରିକେଟ ବ୍ୟାଟରେ ଛାତ୍ରଙ୍କୁ ପିଟିପିଟି ମାରି ଦେଇଛନ୍ତି। ତେଲଙ୍ଗାନା(Telangana)ର ସଙ୍ଗାରେଡ୍ଡୀ ଅଞ୍ଚଳରୁ ଏପରି ଖବର ସାମ୍ନାକୁ ଆସିଛି।
ମୃତକ ଜଣଙ୍କ ହେଲେ ଜ୍ୟୋତି ଶ୍ରବଣ ସାଇ। ସେ ମୈସାମମାଗୁଡ଼ା ସ୍ଥିତ ସେଣ୍ଟ ପିଟର୍ସ ଇଞ୍ଜିନିୟରିଂ କଲେଜରେ ବି ଟେକ ଦ୍ୱିତୀୟ ବର୍ଷର ଛାତ୍ର ଥିଲେ। ସେଠାରେ ସେ କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିୟରିଂ ପାଠ ପଢ଼ୁଥିଲେ। ଜ୍ୟୋତି କଲେଜରେ ପାଠ ପଢ଼ୁଥିବା ବେଳେ କୁତବୁଲ୍ଲାପୁରରେ ଗୋଟିଏ ଘର ଭଡ଼ା ନେଇ ରହୁଥିଲେ।
କଲେଜ ପାଠପଢ଼ା ଓ ରହଣୀ ଭିତରେ ୧୯ ବର୍ଷୀୟ ଶ୍ରୀଜାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଶ୍ରୀଜାଙ୍କ ଘର ହେଉଛି ବୀରାମଗୁଠା ସ୍ଥିତ ଇସୁକାଭାବି ଅଞ୍ଚଳରେ। ଶ୍ରବଣ ଓ ଶ୍ରୀଜା ପରସ୍ପରକୁ ବହୁତ ଭଲ ପାଉଥିଲେ। ଏକଥା ଶ୍ରୀଜାଙ୍କ ପରିବାର ଲୋକ ଜାଣିବା ପରେ ଆରମ୍ଭ ହୋଇଥିଲା ବିରୋଧ। ସେମାନେ ଅନେକ ଥର ଶ୍ରବଣଙ୍କୁ ଶ୍ରୀଜାଙ୍କ ଠାରୁ ଦୂରେଇ ରହିବାକୁ ଚେତାବନୀ ଦେଇଥିଲେ।
ଏହା ସତ୍ତ୍ୱେ ଶ୍ରୀଜା ଓ ଶ୍ରବଣଙ୍କ ଲଭଷ୍ଟୋରୀ ଆଗକୁ ବଢ଼ିଥିଲା। ବାରମ୍ବାର ଚେତାବନୀ ଦେଇ ପରିବାର ଲୋକ ବିଫଳ ହେବାରୁ ଶ୍ରବଣଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ନିଷ୍ପତ୍ତି ନେଇଥିଲେ।
ଯୋଜନା ଅନୁସାରେ ସେମାନେ ଶ୍ରବଣଙ୍କୁ ବାହାଘର ସମ୍ପର୍କରେ କଥା ହେବା ନାଁରେ ଘରକୁ ଡାକିଥିଲେ। ଶ୍ରବଣ ମଧ୍ୟ ସେମାନଙ୍କ କଥାରେ ବିଶ୍ୱାସ କରି ଶ୍ରୀଜାଙ୍କ ଘରେ ପହଞ୍ଚି ଯାଇଥିଲେ। କିନ୍ତୁ ଶ୍ରୀଜାଙ୍କ ମା’ ଓ ପରିବାର ଅନ୍ୟ ସଦସ୍ୟମାନେ ସେଠାରେ ଶ୍ରବଣଙ୍କ ଉପରେ କରିଥିଲେ ଅତିର୍କିତ ଆକ୍ରମଣ। ଗୋଟିଏ କ୍ରିକେଟ ବ୍ୟାଟରେ ତାଙ୍କୁ ଭୟଙ୍କର ଢଙ୍ଗରେ ମାଡ଼ ମାରିବାରୁ ତାଙ୍କ ମୁଣ୍ଡ ଫାଟି ଯାଇଥିଲା। ଗୋଡ଼ ଓ ପିଞ୍ଜରା ମଧ୍ୟ ଭାଙ୍ଗି ଯାଇଥିଲା।
ଗୁରୁତର ଅବସ୍ଥାରେ ଶ୍ରବଣଙ୍କୁ କୁକାଟପାଲୀ ସ୍ଥିତ ଗୋଟିଏ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଆମୀନପୁର ପୁଲିସ୍ ଏନେଇ ଗୋଟିଏ ହତ୍ୟା(Murder) ମାମଲା ରୁଜୁ କରିଛି। ସେହିପରି ହତ୍ୟାରେ ବ୍ୟବହୃତ କ୍ରିକେଟ ବ୍ୟାଟକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରକୃତରେ ପରିବାରର କେଉଁ ସବୁ ସଦସ୍ୟମାନେ ଘଟଣାରେ ସାମିଲ ରହିଛନ୍ତି, ତା’ର ତଦନ୍ତ ପୁଲିସ୍ ଆରମ୍ଭ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/12/11/sai-2025-12-11-14-53-12.jpg)