/odisha-reporter/media/media_files/2025/11/27/cyber-2025-11-27-10-19-53.jpg)
ଗିରଫ ହୋଇଥିବା କିଛି ଅଭିଯୁକ୍ତ
ବଡ଼ଧରଣର ସାଇବର ଠକେଇ ନେଟୱର୍କର ପର୍ଦ୍ଦାଫାସ। ଗୋଟିଏ ଇଞ୍ଜିନିୟରିଂ କଲେଜ ଭିତରୁ ଏହି ସାଇବର ଠକେଇର ନେଟୱର୍କ ଚାଲିଥିଲା। ପୁଡୁଚେରୀ(Puducherry) ସାଇବର କ୍ରାଇମ ପୁଲିସ୍ ଏହା ଉପରୁ ଶେଷରେ ପରଦା ହଟାଇଛି। ସାଇବର କ୍ରାଇମର ହଟସ୍ପଟ ସାଜିଥିବା ଇଞ୍ଜିନିୟରିଂ କଲେଜର ୪ ଜଣଙ୍କ ସମେତ ମୋଟ ୭ ଜଣଙ୍କୁ ପୁଲିସ ଗିରଫ କରିଛି।
ଏହି ରାକେଟ ୯୦ କୋଟିର ସାଇବର ଠକେଇରେ ସାମିଲ ଥିଲା। ସାଇବର ଠକେଇରେ ସାମିଲଥିବା ଛାତ୍ରମାନେ ନିଜର ବନ୍ଧୁ ଓ ସହପାଠୀଙ୍କ ବ୍ୟାଙ୍କ ଆକାଉଣ୍ଟ ତଥ୍ୟକୁ ସାଇବର ଅପରାଧୀଙ୍କୁ ବିକ୍ରି କରୁଥିଲେ। ସାଇବର ଅପରାଧୀମାନେ କୌଶଳକ୍ରମେ ଭାରତରୁ ସାଇବର ଠକେଇ ଦ୍ୱାରା ଟଙ୍କା ହାସଲ କରୁଥିଲେ ଓ ଏହାପରେ ଏହାକୁ ଦୁବାଇ ଏବଂ ଚାଇନା ନେଟୱର୍କ ଜରିଆରେ କ୍ରିପ୍ଟୋକରେନ୍ସିରେ ପରିଣତ କରୁଥିଲେ।
ପୂରା ମାମଲା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଦୁଇ ଜଣ ଇଞ୍ଜିନିୟରିଂ ଛାତ୍ର ଦୀନେଶ ଓ ଜୟ ପ୍ରତାପ ପୁଲିସ୍ର ଦ୍ୱାରସ୍ଥ ହୋଇଥିଲେ। ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ହଠାତ୍ ଅଚଳ ହୋଇଯିବାରୁ ସେମାନେ ପୁଲିସ୍ ନିକଟରେ ପହଞ୍ଚିଥିଲେ। ଯାଞ୍ଚରୁ ଜଣାପଡ଼ିଥିଲା ଯେ ସେମାନେ ହରିଶ ନାମକ ସେମାନଙ୍କ ଜଣେ ବନ୍ଧୁଙ୍କୁ ନିଜ ନିଜର ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ଦେଇଥିଲେ।
ବାସ ଏହାପରେ ପୂରା ନେଟୱର୍କ ସମ୍ପର୍କରେ ପୁଲିସ୍ ତଥ୍ୟ ହାସଲ କରିଥିଲା। ସାଇବର ଠକେଇର ଅନ୍ୟତମ ଅଭିଯୁକ୍ତ ହେଉଛି ହରିଶ। ସେ ନିଜ ବନ୍ଧୁ ଓ ଅନ୍ୟମାନଙ୍କୁ ମିଶାଇ ମୋଟ ୨୦ ଜଣଙ୍କ ବ୍ୟାଙ୍କ ତଥ୍ୟ ସଂଗ୍ରହ କରିଥିଲା। ଏହାପରେ ସେ ଉକ୍ତ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ସାଇବର ଅପରାଧୀଙ୍କୁ ଦେଇଥିଲା। ତା’ ସହ କଲେଜର ଆଉ ୩ ଜଣ ମଧ୍ୟ ଏହି ନେଟୱର୍କ ପାଇଁ କାମ କରୁଥିଲେ।
ସାଇବର ଠକେଇ(Cyber Crime)ରୁ ମିଳୁଥିବା ଟଙ୍କାକୁ ଅପରାଧୀମାନେ ଏହି ସବୁ ଆକାଉଣ୍ଟ ଦ୍ୱାରା ବାଇପାସ କରୁଥିଲେ। ଏହି ସବୁ ଆକାଉଣ୍ଟରୁ ଅପରାଧୀମାନେ ପ୍ରାୟ ୭ କୋଟି ଟଙ୍କା ଉଠାଣ କରିଥିବା ତଦନ୍ତରୁ ଜଣାପଡ଼ିଛି।
ପୁଲିସ୍ ପକ୍ଷରୁ କୁହାଯାଇଛି ଯେ ୪ ଜଣ ଇଞ୍ଜିନିୟରିଂ ଛାତ୍ରଙ୍କ ସମେତ ୭ ଜଣଙ୍କୁ ଏଯାଏ ଗିରଫ କରାଯାଇଛି। ଗିରଫ ହୋଇଥିବା ଥୋମାସ ଓରଫ ହାୟାଗ୍ରିଭା, ହରିଶ, ଗଣେଶନ, ଗୋବିନ୍ଦରାଜ, ୟାଶୱିନ, ରାଗୁଲ ଓ ଆୟାପ୍ପନକୁ ପୁଲିସ୍ ରିମାଣ୍ଡରେ ଆଣିଛି। ସେମାନଙ୍କ ଠାରୁ ନଗଦ ୫ ଲକ୍ଷ ଟଙ୍କା, ୧୭୧ଟି ଚେକ ବହି, ୭୫ଟି ଏଟିଏମ, ୨୦ଟି ମୋବାଇଲ, ଏକାଧିକ ଲ୍ୟାପଟପ, କମ୍ପ୍ୟୁଟର, ଅନେକ ବ୍ୟାଙ୍କ ପାସବୁକ, କ୍ରେଡିଟ କାର୍ଡ ଓ ଗୋଟିଏ ହୁଣ୍ଡାଇ ଭର୍ଣ୍ଣା କାର ଜବତ ହୋଇଛି।
ଅଭିଯୁକ୍ତ ଗଣେଶନ ଚାଇନାରେ ଥିବା ସାଇବର ଅପରାଧୀଙ୍କ ସହ ଯୋଗାଯୋଗ କରି ଠକେଇରୁ ମିଳିଥିବା ଟଙ୍କାକୁ ଉଠାଇ କ୍ରିପ୍ଟୋରେ ପରିଣତ କରୁଥିଲା। ଏହାପରେ ଏହାକୁ ଟେଲିଗ୍ରାମ ଜରିଆରେ ଅପରାଧୀମାନଙ୍କ ପାଖକୁ ପଠାଇ କମିସିନ ପାଉଥିଲା।
ପୁଡୁଚେରୀ ଏସ୍ପି(ସାଇବର କ୍ରାଇମ) ନିତ୍ୟା ରାଧାକ୍ରିଷ୍ଣନ କହିଛନ୍ତି, ସାଇବର ଅପରାଧୀଙ୍କ ପାଇଁ କାମ କରୁଥିବା ଲୋକଙ୍କୁ ଆମେ ଗିରଫ କରିଛୁ। କେମିତି ବ୍ୟବସ୍ଥିତ ଢଙ୍ଗରେ ପୂରା ନେଟୱର୍କ ଚାଲିଥିଲା ତା’ର ପର୍ଦ୍ଦାଫାସ ହୋଇଛି। ବନ୍ଧୁଙ୍କ ସହ ବି ବ୍ୟାଙ୍କ ତଥ୍ୟ ଶେୟାର କଲେ ମଧ୍ୟ ସାଂଘାତିକ ଆଇନଗତ ଓ ଆର୍ଥିକ କ୍ଷତି ଭୋଗିବାକୁ ପଡ଼ିପାରେ ବୋଲି ମଧ୍ୟ ସେ ସମସ୍ତଙ୍କୁ ସତର୍କ କରାଇଛନ୍ତି।
ପୁଡୁଚେରୀ ପୁଲିସ୍ ସମସ୍ତ ଜନସାଧାରଣ ଲୋକଙ୍କୁ ନିଜର ବ୍ୟାଙ୍କ ତଥ୍ୟ, ଏଟିଏମ କାର୍ଡ କିମ୍ବା ଅନଲାଇନ ବ୍ୟାଙ୍କିଂ ତଥ୍ୟକୁ କାହା ସହ ଶେୟାର ନ କରିବାକୁ ପରାମର୍ଶ ଦେଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
