Advertisment

ଆୟୁଷ୍ମାନ ଭାରତକୁ ନେଇ ବଡ଼ ଘୋଷଣା କଲେ କେନ୍ଦ୍ର ସରକାର

ଏଣିକି ଆୟୁଷ୍ମାନ ଭାରତ ଯୋଜନାରେ ଯୋଡ଼ି ହେବେ ନୂଆ ହିତାଧିକାରୀ।

author-image
Hemant Lenka
ଅଦ୍ୟତନ ହୋଇଛି
Health Insurance Scheme

Health Insurance Scheme

ସ୍ୱାସ୍ଥ୍ୟ ବୀମା ଯୋଜନା ଆୟୁଷ୍ମାନ ଭାରତକୁ ନେଇ ଆଜି ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏଣିକି ଆୟୁଷ୍ମାନ ଭାରତ ଯୋଜନାରେ ଯୋଡ଼ି ହେବେ ନୂଆ ହିତାଧିକାରୀ। ଏବେ ୭୦ ବର୍ଷ ବୟସ୍କ ସବୁ ଲୋକ ଆୟୁଷ୍ମାନ ଭାରତ ଯୋଜନାରେ ମାଗଣା ଚିକିତ୍ସା ସେବାର ସୁବିଧା ପାଇବେ।

Advertisment

ସେମାନଙ୍କ ଆର୍ଥିକ ସ୍ଥିତି ଯାହା ହେଉ ନା କାହିଁକି, ସେମାନେ ଆୟୁଷ୍ମାନ ଭାରତର ଫାଇଦା ହାସଲ କରିପାରିବେ। ଏନେଇ ଆଜି କେନ୍ଦ୍ର ସରକାର ଘୋଷଣା କରିଛନ୍ତି।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟରେ ଏପରି ନିଷ୍ପତ୍ତି ହୋଇଛି। କେନ୍ଦ୍ର ସରକାର ଗୋଟିଏ ବିବୃତିରେ କହିଛନ୍ତି, ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା(ଏବିପିଏମ-ଜେଏୱାଇ) ୪.୫ କୋଟି ପରିବାରକୁ ଫାଇଦା ଦେବେ। 

Advertisment

ଏହି ପରିବାରରେ ଥିବା ୬ କୋଟି ବରିଷ୍ଠ ନାଗରିକ ଲାଭବାନ ହେବେ। ୫ ଲକ୍ଷ ଟଙ୍କା ଲେଖାଏ ଯାଏ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ।

ଯେଉଁମାନଙ୍କ ବୟସ ୭୦ କିମ୍ବା ତା’ ଠାରୁ ଅଧିକ ଓ ସେମାନଙ୍କ ପରିବାର ଆୟୁଷ୍ମାନ ଭାରତ ଯୋଜନାରେ ପୂର୍ବରୁ ହିଁ ସାମିଲ ଅଛନ୍ତି, ସେମାନଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କା ମାଗଣା ଚିକିତ୍ସା ପାଇଁ ଟପ ଅପ ମିଳିବ। ଏହି ଟପ ଅପ ଅର୍ଥ କେବଳ ୭୦ ବର୍ଷ କିମ୍ବା ତା’ ଠାରୁ ଅଧିକ ବୟସ୍କଙ୍କ କ୍ଷେତ୍ରରେ ଖର୍ଚ୍ଚ କରାଯାଇପାରିବ। ଏହି ଅର୍ଥ ପରିବାରର ଅନ୍ୟ ୭୦ ବର୍ଷରୁ କମ ବୟସ୍କଙ୍କ ପାଇଁ ଖର୍ଚ୍ଚ କରାଯାଇ ପାରିବ ନାହିଁ।

ଯେଉଁମାନଙ୍କ ବୟସ ୭୦ କିମ୍ବା ତା’ ଠାରୁ ଅଧିକ ଓ ସେମାନେ Central Government Health Scheme (CGHS), Ex-Servicemen Contributory Health Scheme (ECHS) ଓ Ayushman Central Armed Police Force (CAPF)ର ଫାଇଦା ହାସଲ କରୁଛନ୍ତି, ସେମାନେ ପୂର୍ବ ଯୋଜନାରେ ରହିପାରିବେ କିମ୍ବା ନୂଆ ଆୟୁଷ୍ମାନ ଯୋଜନାରେ ନିଜକୁ ସାମିଲ କରିପାରିବେ। ସେମାନଙ୍କ ପାଖରେ ଏନେଇ ବିକଳ୍ପ ରହିବ। 

କେନ୍ଦ୍ର ସରକାର ଆହୁରି କହିଛନ୍ତି ଯେ ୭୦ ବର୍ଷ କିମ୍ବା ତା’ ଠାରୁ ଅଧିକ ବୟସ୍କ ବ୍ୟକ୍ତି ଯେଉଁମାନେ ଘରୋଇ ସ୍ୱାସ୍ଥ୍ୟ ବୀମା କିମ୍ବା ରାଜ୍ୟ ବୀମା ସ୍କିମ ଅଧୀନରେ ରହିଛନ୍ତି, ସେମାନେ ମଧ୍ୟ ଆୟୁଷ୍ମାନ ଭାରତ ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ। 

ଆୟୁଷ୍କାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଦେଶର ୨୮, ୩୫୧ ହସ୍‌ପିଟାଲ ପଞ୍ଜୀକୃତ ହୋଇଛି। ସେଥିରେ ୧୨,୮୨୪ ଘରୋଇ ହସ୍‌ପିଟାଲ ରହିଛନ୍ତି। ୨୦୨୨-୨୩ ବର୍ଷରେ ପ୍ରାୟ ୫୬% ରୋଗୀଙ୍କ ଆଡମିଶନ ଘରୋଇ ହସ୍‌ପିଟାଲ ହୋଇଥିବାବେଳେ ୪୪%ଙ୍କ ଚିକିତ୍ସା ସରକାରୀ ହସ୍‌ପିଟାଲରେ ହୋଇଛି।  

ଆୟୁଷ୍ମାନ ଭାରତ ହିତାଧିକାରୀଙ୍କୁ ୨୭ପ୍ରକାର ରୋଗରେ ମୋଟ ୧୯୪୯ ପଦ୍ଧତିରେ ଚିକିତ୍ସା ସୁବିଧା ମିଳୁଛି। ହିତାଧିକାରୀ କ୍ୟାନସର, ଜରୁରୀ ଚିକିତ୍ସା ଓ ଯତ୍ନ, ଅସ୍ଥିଶଲ୍ୟ, ମୂତ୍ରରୋଗ ଓ ବୃକକ୍ ସଂକ୍ରାନ୍ତ ବ୍ୟାଧିର ଚିକିତ୍ସା ସେବା ମାଗଣାରେ କରିପାରୁଛନ୍ତି। ଏହି ଯୋଜନାରେ ଲିଙ୍ଗଗତ ସମାନତା ରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି। ଏବେ ଆୟୁଷ୍ମାନ କାର୍ଡଧାରୀଙ୍କ ମଧ୍ୟରେ ୪୯ ପ୍ରତିଶତ ମହିଳା। ସେହିଭଳି ହସ୍‌ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହେବାରେ ମହିଳାଙ୍କ ସଂଖ୍ୟା ୪୮%। ମହିଳାଙ୍କ ପାଇଁ ଏହି ଯୋଜନାରେ ୧୪୧ପ୍ରକାର ଚିକିତ୍ସା ସୁବିଧା ଉପଲବ୍ଧ ହେଉଛି। 

Cabinet Meeting Ayushman Bharat Scheme Fraud