ନିର୍ବାଚନ ହାରିବା କିମ୍ବା ନିର୍ବାଚନ ଲଢ଼ିବାରୁ ବାଦ ପଡ଼ିଥିବା ୨୦୦ରୁ ଅଧିକ ପୂର୍ବତନ ସାଂସଦ ଏବେ ବି ସରକାରୀ ବଙ୍ଗଳା ଛାଡ଼ି ନାହାନ୍ତି। ପଦ ଗଲା ପରେ ମଧ୍ୟ ସେମାନେ ଲୁଟୟେନ୍ସ ଦିଲ୍ଲୀରେ ମିଳିଥିବା ସରକାରୀ ଘର ଛାଡ଼ିବାକୁ ଅରାଜି ହେଉଛନ୍ତି। ସେମାନେ ଘର ଛାଡ଼ିବାରେ ବିଳମ୍ବ କରୁଥିବାରୁ ସେମାନଙ୍କୁ କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ନୋଟିସ କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ସର୍ବସାଧାରଣ ପରିସର( ଅନାଧିକୃତ ଦଖଲରୁ ହଟାଯିବା) ଆଇନ ବଳରେ ସମସ୍ତଙ୍କୁ ନୋଟିସ କରାଯାଇଛି। ନିୟମ ଅନୁସାରେ, ପୂର୍ବ ଲୋକସଭାର ଅବଧି ଶେଷ ହେବାର ମାସକ ମଧ୍ୟରେ ପୂର୍ବତନ ସାଂସଦମାନଙ୍କୁ ସରକାରୀ ବଙ୍ଗଳା ଛାଡ଼ିବାକୁ ପଡ଼ିଥାଏ।
କିନ୍ତୁ ଏବେ ସୁଦ୍ଧା ୨୦୦ରୁ ଅଧିକ ପୂର୍ବତନ ସାଂସଦ ବଙ୍ଗଳା ଛାଡ଼ି ନାହାନ୍ତି। ତେଣୁ ସେମାନଙ୍କୁ ନୋଟିସ କରି ଯଥାଶୀଘ୍ର ଘର ଖାଲି କରିବାକୁ କୁହାଯାଇଛି। ସେହିପରି ଆଉ କିଛି ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ନୋଟିସ ପଠାଇବାକୁ ପଦକ୍ଷେପ ନିଆଯାଉଥିବା ଜଣାପଡ଼ିଛି।
ଯଦି ସେମାନେ ଯଥାଶୀଘ୍ର ବଙ୍ଗଳା ଖାଲି ନକରିବେ, ତା’ହେଲେ ଅଧିକାରୀମାନେ ସେମାନଙ୍କ ପାଖକୁ ଯାଇ ବାଧ୍ୟତାମୂଳକ ସେମାନଙ୍କୁ ବାହାର କରିବେ।
ସାଂସଦମାନଙ୍କୁ ଲୋକସଭା ସଚିବାଳୟ ପକ୍ଷରୁ ସରକାରୀ ବଙ୍ଗଳା ପ୍ରଦାନ କରାଯାଇଥାଏ। କିନ୍ତୁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ କେନ୍ଦ୍ରମନ୍ତ୍ରୀମାନଙ୍କୁ ବଙ୍ଗଳା ବାଣ୍ଟିଥାଏ।
ଅନ୍ୟପକ୍ଷରେ ଆମେଠିରୁ ରାହୁଲ ଗାନ୍ଧିଙ୍କ ଠାରୁ ହାରିଥିବା ସ୍ମୃତି ଇରାନୀ ଏବେ ନିଜର ସରକାରୀ ବଙ୍ଗଳା ଖାଲି କରି ସାରିଛନ୍ତି। ତାଙ୍କୁ ୨୮ ତୁଗଲକ ରୋଡରେ ସେ ୨୦୧୪ରୁ ରହି ଆସୁଥିଲେ। ୨୦୧୪ରେ ସେ ହାରିବା ପରେ ମଧ୍ୟ ମନ୍ତ୍ରୀ ହୋଇଥିଲେ। ତେଣୁ ତାଙ୍କୁ ସରକାରୀ ବଙ୍ଗଳା ମିଳିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।