Justice DY Chandrachud
ଦେଶର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅବସରକୁ ୮ ମାସରୁ ଅଧିକ ସମୟ ବିତିସାରିଲାଣି। ତଥାପି ସେ ପ୍ରଧାନ ବିଚାରପତିଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ବାସଭବନକୁ ଖାଲି କରିନାହାନ୍ତି। ଉକ୍ତ ବାସଭବନକୁ ତୁରନ୍ତ ଛାଡ଼ିବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟ ପ୍ରଶାସନ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି।
୨୦୨୪ ନଭେମ୍ବର ୧୦ ତାରିଖରେ ଅବସର ଗ୍ରହଣ କରିଥିଲେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼। ସରକାରଙ୍କ ନିୟମ ଅନୁଯାୟୀ, ଜଣେ କାର୍ଯ୍ୟରତ ପ୍ରଧାନ ବିଚାରପତିଙ୍କୁ ଟାଇପ୍-୮ ବାସଭବନ ଯୋଗାଇ ଦିଆଯାଏ। ଅବସର ପରେ ସେ ଏକ ଟାଇପ-୭ ସରକାରୀ ଘରେ ବିନା କୌଣସି ଭଡ଼ାରେ ୬ ମାସ ପର୍ଯ୍ୟନ୍ତ ରହିପାରିବେ। କିନ୍ତୁ ଅବସର ନେବାର ୮ ମାସ ପରେ ବି ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ସେହି ଟାଇପ-୮ ବାସଭବନରେ ରହୁଛନ୍ତି।
ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଅବସର ନେବା ପରେ ଜଷ୍ଟିସ ସଞ୍ଜୀବ ଖାନ୍ନା ପ୍ରଧାନ ବିଚାରପତି ହୋଇଥିଲେ। କିନ୍ତୁ ସେ ପ୍ରଧାନ ବିଚାରପତିଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ବାସଭବନକୁ ନଯାଇ ପୂର୍ବରୁ ଯେଉଁ ଘରେ ରହୁଥିଲେ ସେଠାରେ ରହିଲେ। ତାଙ୍କ ପରେ ପ୍ରଧାନ ବିଚାରପତି ହୋଇଛନ୍ତି ଜଷ୍ଟିସ ବି.ଆର ଗବାଇ। ସେ ମଧ୍ୟ କୃଷ୍ଣ ମେନନ ମାର୍ଗରେ ପ୍ରଧାନ ବିଚାରପତିଙ୍କ ପାଇଁ ରହିଥିବା ସରକାରୀ ବାସଭବନକୁ ନଯାଇ ନିଜର ପୁରୁଣା ସରକାରୀ ଘରେ ରହିଛନ୍ତି। ସେଥିପାଇଁ ମଧ୍ୟ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଏତେ ଦିନ ହେଲାଣି ସେହି ଘରେ ରହିବା ସମ୍ଭବପର ହୋଇଛି।
ସୁପ୍ରିମକୋର୍ଟ ପ୍ରଶାସନ ପକ୍ଷରୁ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟକୁ ଲେଖାଯାଇଥିବା ଚିଠିରେ ଦର୍ଶାଇଛି ଯେ ଆଉ ବିଳମ୍ବ ନ କରି କୃଷ୍ଣ ମେନନ ମାର୍ଗରେ ଥିବା ୫ ନମ୍ବର ସରକାରୀ କୋଠାକୁ ଆପଣ ସମ୍ମାନନୀୟ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କଠାରୁ ନିଜ କବଜାକୁ ନିଅନ୍ତୁ। ତାଙ୍କୁ ସେଠାରେ ରହିବା ପାଇଁ ଯେଉଁ ଅନୁମତି ଦିଆଯାଇଥିଲା, ତାହା ୨୦୨୫ ମେ’ ୩୧ରୁ ଶେଷ ହୋଇସାରିଛି। ସେହିଭଳି ୨୦୨୨ ରୁଲ୍ସର ରୁଲ୍ 3B ଅନୁଯାୟୀ ୬ ମାସର ଅବଧି ସମୟ ମଧ୍ୟ ୨୦୨୫ ମେ’ ୧୦ ତାରିଖରୁ ଶେଷ ହୋଇସାରିଛି।
ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତିଙ୍କୁ ମିଶାଇ ୩୪ ଜଣ ବିଚାରପତି ରହିବା କଥା। ଏବେ ପ୍ରଧାନ ବିଚାରପତିଙ୍କୁ ମିଶାଇ ୩୩ ଜଣ ବିଚାରପତି ଅଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଏଯାବତ ସରକାରୀ ଘର ଯୋଗାଇ ଦିଆଯାଇନାହିଁ। ସେମାନଙ୍କ ମଧ୍ୟରୁ ୩ ଜଣ ସୁପ୍ରିମକୋର୍ଟର ଟ୍ରାଞ୍ଜିଟ୍ ଆପାର୍ଟମେଣ୍ଟରେ ରହୁଥିବା ବେଳେ ଜଣେ ଏକ ଷ୍ଟେଟ ଗେଷ୍ଟ ହାଉସରେ ରହୁଥିବା ଜଣାପଡ଼ିଛି। ତେଣୁ ସୁପ୍ରିମକୋର୍ଟ ପ୍ରଶାସନ ଜରୁରୀକାଳୀନ ପରିସ୍ଥିତିରେ ପ୍ରଧାନ ବିଚାରପତିଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଘରକୁ ଖାଲି କରିବାକୁ ଚାହୁଁଛି।
କାହିଁକି ଘର ଛାଡ଼ି ନାହାନ୍ତି ଜଷ୍ଟିସ ଚନ୍ଦ୍ରଚୂଡ଼
ବ୍ୟକ୍ତିଗତ କାରଣ ଯୋଗୁ ଅବସର ଗ୍ରହଣ କରିବାର ୮ ମାସ ପରେ ମଧ୍ୟ ସରକାରୀ ଘର ଛାଡ଼ି ନାହାନ୍ତି ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼। ସେ କହିଛନ୍ତି, ମୁଁ ସରକାରୀ ଘରେ ଅଧିକ ଦିନ ରହିବା ପାଇଁ ଚାହୁଁନାହିଁ। କିନ୍ତୁ ମୋ ଝିଅମାନଙ୍କ ପାଇଁ ଏମିତି ଏକ ଘର ଆବଶ୍ୟକ ଯେଉଁଠି ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଥିବ। ସେଥିପାଇଁ ଗତ ଫେବ୍ରୁଆରୀ ମାସରୁ ଘର ଖୋଜୁଛି। ମୁଁ ସର୍ଭିସ ଆପାର୍ଟମେଣ୍ଟ ଓ ହୋଟେଲ ମଧ୍ୟ ବୁଲି ଦେଖିଛି, କିନ୍ତୁ କୌଣସି ସ୍ଥାନ ଉପଯୁକ୍ତ ହୋଇପାରିନଥିଲା। ମୁଁ ପ୍ରଧାନ ବିଚାରପତି ଜଷ୍ଟିସ ବି.ଆର ଗବାଇଙ୍କ ସହିତ କଥା ହୋଇଛି ଓ ତାଙ୍କୁ ପ୍ରତିଶ୍ରୁତି ଦେଇଛି ଯେତେ ଶୀଘ୍ର ସମ୍ଭବ ମୁଁ ଘର ଖାଲି କରିଦେବି।
ଜଷ୍ଟିସ ଚନ୍ଦ୍ରଚୂଡ଼ ଆହୁରି କହିଛନ୍ତି, ସରକାର ମୋତେ ଏକ ଘର ଯୋଗାଇ ଦେଇଛନ୍ତି। ସାମୟିକ ଭାବେ ସରକାର ଏହି ବ୍ୟବସ୍ଥା କରି ଦେଇଛନ୍ତି। ସେଠାରେ ରହିବା ପାଇଁ ମୁଁ ଭଡ଼ା ମଧ୍ୟ ଦେବି। ତେବେ ସେହି ଘରଟି ଦୁଇ ବର୍ଷ ହେଲା ଅବ୍ୟବହୃତ ହୋଇ ପଡ଼ିଥିଲା। ଘରଟିର ମରାମତି ଚାଲିଛି। ମରାମତି କାମ ଶେଷ ହେବା ମାତ୍ର ମୁଁ ସେଠାକୁ ଚାଲିଯିବ। ମୁଁ ମୋ ଜିନିଷପତ୍ର ମଧ୍ୟ ପ୍ୟାକ୍ କରିସାରିଲିଣି। ଆଉ ଅଳ୍ପ ଦିନର କଥା। ମୁଁ ସରକାରୀ ଘରେ ଅଧିକ ଦିନ ରହିବାକୁ ଚାହୁଁନଥିଲି, କିନ୍ତୁ ମୋ ପାଖରେ ଅନ୍ୟକୌଣସି ବିକଳ୍ପ ନଥିଲା।
ସୁପ୍ରିମକୋର୍ଟ ପ୍ରଶାସନ ଗୃହ ନିର୍ମାଣ ଓ ସହରାଞ୍ଚଳ ମନ୍ତ୍ରଣାଳୟକୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ ଅବସର ନେବାର ମାସେ ପରେ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କୁ ଏକ ଚିଠି ଲେଖି ୫, କୃଷ୍ଣ ମେନନ ମାର୍ଗ ଘରେ ତାଙ୍କୁ ୨୦୨୫ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ରହିବା ପାଇଁ ଅନୁମତି ଦିଆଯାଉ ବୋଲି କହିଥିଲେ। ତତ୍କାଳୀନ ପ୍ରଧାନ ବିଚାରପତି ତାଙ୍କୁ ଏହି ଅନୁମତି ଦେଇଥିଲେ। ପରେ ମନ୍ତ୍ରଣାଳୟର ଅନୁମତିକ୍ରମେ ମାସିକ ୫,୪୩୦ ଟଙ୍କାର ଲାଇସେନ୍ସ ଫି’ ଦେଇ ୨୦୨୪ ଡିସେମ୍ବର ୧୧ରୁ ୨୦୨୫ ଏପ୍ରିଲ ୩୦ ପର୍ଯ୍ୟନ୍ତ ସେହି ଘରେ ରହିଥିଲେ ଜଷ୍ଟିସ ଚନ୍ଦ୍ରଚୂଡ଼। ଏହା ପରେ ତାଙ୍କୁ ସେହି ଘରେ ମେ’ ୩୧ ତାରିଖ ପର୍ଯ୍ୟନ୍ତ ରହିବାକୁ ତତ୍କାଳୀନ ପ୍ରଧାନ ବିଚାରପତି କଥିତ ଭାବେ ଅନୁମତି ଦେଇଥିଲେ। ତେବେ ସର୍ତ୍ତ ଥିଲା, ତା’ପରେ ଆଉ ତାଙ୍କୁ ସେଠାରେ ରହିବା ପାଇଁ ଅନୁମତି ଦିଆଯିବ ନାହିଁ। ଯେହେତୁ ସବୁ ଡେଡ୍ ଲାଇନ ଶେଷ ହୋଇଯାଇଛି, ତେଣୁ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କୁ ପ୍ରଧାନ ବିଚାରପତିଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ବାସଭବନ ଖାଲି କରିବାକୁ ନିର୍ଦ୍ଦେଶ ଦେବାକୁ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଣାଳୟକୁ ଚିଠି ଲେଖିଛନ୍ତି ସୁପ୍ରିମକୋର୍ଟ ପ୍ରଶାସନ।
ସୂଚନାଯୋଗ୍ୟ, ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କର ଦୁଇ ଜଣ ପୋଷ୍ୟ କନ୍ୟା ଅଛନ୍ତି। ସେମାନେ ଦିବ୍ୟାଙ୍ଗ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
