/odisha-reporter/media/media_files/2026/02/19/mahesh-2026-02-19-13-28-47.jpg)
ସୁନିତା ଓ ମହେଶ (ଫାଇଲ ଫଟୋ)
ହାଇଦ୍ରାବାଦର ଜଣେ ୩୦ ବର୍ଷୀୟ ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ହତ୍ୟା(Murder) କରିଛନ୍ତି ତାଙ୍କ ପୂର୍ବତନ ସ୍ୱାମୀ। ସେ ମହିଳାଙ୍କୁ ଏକାଧିକ ଥର ଛୁରୀ ଭୁଷିବା ପରେ ଶେଷରେ ତାଙ୍କ ମୁଣ୍ଡରେ ଘରେ ଥିବା ଫୁଲ କୁଣ୍ଡକୁ ଛେଚି ଦେଇଛନ୍ତି। ଏଥିଯୋଗୁ ଘଟଣା ସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଛି। ହତ୍ୟା ଅଭିଯୁକ୍ତ ସ୍ୱାମୀ ଜଣଙ୍କ ମଧ୍ୟ ଜଣେ ସଫ୍ଟୱେୟାର ଇଞ୍ଜିନିୟର। ପୂରା ଘଟଣା ମହିଳା ରହୁଥିବା ଆପାର୍ଟମେଣ୍ଟରେ ହିଁ ଘଟିଛି।
ଅଭିଯୁକ୍ତ ସ୍ୱାମୀ ଜଣଙ୍କ ହେଲେ ମହେଶ। ସେ ବିଦେଶରେ କାମ କରନ୍ତି। ବୁଧବାର ରାତି ପ୍ରାୟ ୧୨.୧୫ରେନ ସେ ପୂର୍ବତନ ପତ୍ନୀ ସୁନିତାଙ୍କ ଆପାର୍ଟମେଣ୍ଟରେ ପ୍ରବେଶ କରିଥିଲେ। ଏହାପରେ ସେ ନିଜ ପାଖରେ ରଖିଥିବା ଛୁରୀ ଓ କାତି ଦ୍ୱାରା ସୁନିତାଙ୍କୁ ଆକ୍ରମଣ କରିଥିଲେ। ପ୍ରଥମେ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବାରୁ ସୁନିତା ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ି ଛାଟିପିଟି ହୋଇଥିଲେ। ଏତିକି ବେଳେ ମହେଶ ଘରେ ଥିବା ଫୁଲ କୁଣ୍ଡକୁ ଆଣି ସୁନିତାଙ୍କ ମୁଣ୍ଡରେ ଛେଚି ଦେଇଥିଲେ। ଏଥିଯୋଗୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ପୁଲିସ୍ କହିଛି।
ମହେଶ ଓ ସୁନିତା ୨୦୨୨ରେ ବିବହା କରିଥିଲେ। କିନ୍ତୁ ୨୦୨୪ରେ ସେମାନଙ୍କ ବିବାହ ବିଚ୍ଛେଦ ହୋଇଥିଲା। ମହେଶଙ୍କୁ ଛାଡ଼ପତ୍ର ଦେବା ପରେ ୨୦୨୫ ଏପ୍ରିଲ ମାସରେ ସୁନିତା ଦ୍ୱିତୀୟ ବିବାହ କରିଥିଲେ। ଏହାକୁ ନେଇ ମହେଶ ପୂରା କ୍ଷୁବ୍ଧ ହୋଇଥିଲେ। ସୁନିତା ମଧ୍ୟ ଏକଦା ମହେଶଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ କରିଥିଲେ। ଏଥିଯୋଗୁ ବିଦେଶ ଗସ୍ତ କରିବା ପରେ ମହେଶ ସମସ୍ୟାର ସମ୍ମୁଖୀନ ହେଉଥିଲେ।
ପୁଲିସ୍ କହିଛି ଯେ ବାହାଘର ଭାରତରେ ହୋଇଥିଲା। ବାହାଘର ପରେ ମହେଶ କାନାଡା ଚାଲି ଯାଇଥିଲେ। ସୁନିତା ମଧ୍ୟ କିଛି ମାସ ପରେ କାନାଡା ଗସ୍ତ କରିଥିଲେ। କିନ୍ତୁ ସେଠାରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିଯୋଗୁ କାନାଡାରେ ୫ ଦିନ ରହିବା ପରେ ସ୍ୱଦେଶ ଫେରି ଆସିଥିଲେ ସୁନିତା। ଭାରତ ଆସିବା ପରେ ମହାରାଷ୍ଟ୍ରରେ ସୁନିତା ସ୍ୱାମୀଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ କରିଥିଲେ।
ଗତବର୍ଷ ମାର୍ଚ୍ଚ ମାସରେ ମହେଶ ନିଜ ମା’ଙ୍କ ଦେହାନ୍ତ ଯୋଗୁ ଭାରତ ଆସିଥିଲେ। କିନ୍ତୁ ସୁନିତା ତାଙ୍କ ବିରୋଧରେ ଘରୋଇ ହିଂସାର ମାମଲା କରିଥିବାରୁ ତାଙ୍କୁ ଆଉ ବିଦେଶ ଫେରିବାକୁ ପୁଲିସ୍ ପକ୍ଷରୁ ଅନୁମତି ମିଳି ନଥିଲା। ତାଙ୍କ ପାସପୋର୍ଟକୁ ନିଲମ୍ବନ କରାଯାଇଥିଲା। ସେବେଠାରୁ ବିନା ଚାକିରିରେ ମହେଶ ତେଲଙ୍ଗନାରେ ଥିବା ନିଜ ଗାଁରେ ରହୁଥିଲେ।
ଉପାୟଶୂନ୍ୟ ମହେଶ ପତ୍ନୀଙ୍କ ଠାରୁ ପ୍ରତିଶୋଧ ନେବାକୁ ପଣ କରିଥିଲେ। ସୁନିତାଙ୍କ ସୋଶାଲ ମିଡିଆ ଆକାଉଣ୍ଟରୁ ସେ ତାଙ୍କ ଠିକଣା ଖୋଜି ପାଇଥିଲେ। ଏହାପରେ ଅର୍ଥାତ ୨ ମାସ ତଳେ ହାଇଦ୍ରାବାଦ ଆସିବା ସହ ସୁନିତା ରହୁଥିବା ଆପାର୍ଟମେଣ୍ଟ ନିକଟ ହଷ୍ଟେଲରେ ରହିବା ଆରମ୍ଭ କରିଥିଲେ।
ଶେଷରେ ବୁଧବାର ସେ ସୁନିତାଙ୍କ ଆପର୍ଟମେଣ୍ଟରେ ପ୍ରବେଶ କରି ତାଙ୍କୁ ହତ୍ୟା କରିଛନ୍ତି। ହତ୍ୟାକାଣ୍ଡ ପରେ ପୁଲିସ୍ ତୁରନ୍ତ ପଦକ୍ଷେପ ନେଇ ମହେଶଙ୍କୁ ଗିରଫ କରିଛି। ତାଙ୍କୁ ଠାରୁ ଜବତ ହୋଇଥିବା ବ୍ୟାଗରୁ ହତ୍ୟାରେ ବ୍ୟବହୃତ ହୋଇଥିବା ଦୁଇଟି ଛୁରୀ, ଗୋଟିଏ ଡ୍ରିଲିଂ ମେସିନ ଓ ଗୋଟିଏ ବୋତଲରେ ଥିବା ୫ ଲିଟର ପେଟ୍ରୋଲ ଜବତି କରିଛି। ଏବେ ପୁଲିସ୍ ଘଟଣାର ଅଧିକ ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
