/odisha-reporter/media/post_attachments/uploadimage/library/16_9/16_9_0/amit_shah_1745572393.jpg)
amit shah
ଭାରତରେ ରହୁଥିବା ସମସ୍ତ ପାକିସ୍ତାନୀ ନାଗରିକଙ୍କ ଭିସାକୁ ରଦ୍ଦ କରିବାର ଦିନକ ପରେ ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦେଶର ଅଧିକାଂଶ ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ସହ କଥା ହୋଇଛନ୍ତି। ଏହି ସମୟରେ ଶ୍ରୀ ଶାହ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କୁ ତୁରନ୍ତ ସେମାନଙ୍କ ରାଜ୍ୟରେ ରହୁଥିବା ପାକିସ୍ତାନୀଙ୍କ ଚିହ୍ନଟ କରି ବିଦା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ବରିଷ୍ଠ ଅଧିକାରୀମାନଙ୍କ ସହ ଶ୍ରୀ ଶାହ ଆଜି ଉଚ୍ଚ ସ୍ତରୀୟ ବୈଠକ କରିଥିଲେ। ବୈଠକ ସମୟରେ ସମସ୍ତ ରାଜ୍ୟରୁ ପାକିସ୍ତାନୀଙ୍କୁ ବିଦା କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଛି। ଏପ୍ରିଲ ୨୨ ପହଲଗାମ ଆକ୍ରମଣ ପରେ ଭାରତ ସରକାର ସମସ୍ତ ପାକିସ୍ତାନୀ ନାଗରିକଙ୍କୁ ଏପ୍ରିଲ ୨୭ ସୁଦ୍ଧା ନୂଆଦିଲ୍ଲୀ ଛାଡ଼ିବାକୁ କହିଛନ୍ତି। ତେବେ ମେଡିକାଲ ଭିସାରେ ଭାରତ ଆସିଥିବା ପାକିସ୍ତାନୀଙ୍କୁ ୨ ଦିନର ଅଧିକ ସମୟ ମିଳିଛି। କିନ୍ତୁ ସେମାନଙ୍କୁ ଏପ୍ରିଲ ୨୯ ସୁଦ୍ଧା ଭାରତ ଛାଡ଼ିବାକୁ ପଡ଼ିବ।
ଭାରତ ସରକାର ପାକିସ୍ତାନୀ ନାଗରିକଙ୍କ ଭିସା ରଦ୍ଦ କରିଥିବା ବେଳେ ନିଜ ଦେଶର ଲୋକଙ୍କୁ ମଧ୍ୟ ପାକିସ୍ତାନ ନ ଯିବାକୁ କଡ଼ା ଭାଷାରେ ପରାମର୍ଶ ଦେଇଛନ୍ତି। ପାକିସ୍ତାନରେ ରହୁଥିବା ଭାରତୀୟଙ୍କୁ ଯଥାଶୀଘ୍ର ଫେରି ଆସିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ସୁରକ୍ଷା ଜନିତ କ୍ୟାବିନେଟ ବୈଠକରେ ପାକିସ୍ତାନ ବିରୋଧରେ କୂଟନୀତିକ ଯୁଦ୍ଧ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା। ସେହି ଅନୁସାରେ ଆଜି ଶ୍ରୀ ଶାହ ପାକିସ୍ତାନୀ ନାଗରିକଙ୍କୁ ରାଜ୍ୟରୁ ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶାରେ ବି ୧୨ ଜଣ ପାକିସ୍ତାନୀ ଭିସା ନେଇ ରହୁଥିବା ଜଣାପଡ଼ିଛି। ଏବେ ସେମାନଙ୍କୁ ବିଦା କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ପାକିସ୍ତାନର ହିନ୍ଦୁମାନଙ୍କୁ ଭାରତରେ ରହିବା ପାଇଁ ମିଳିଥିବା ଦୀର୍ଘ କାଳୀନ ଭିସା ନିୟମରେ କୌଣସି ପରିବର୍ତ୍ତନ ହେବନି। ସେମାନେ ପୂର୍ବଭଳି ଭାରତରେ ରହିପାରିବେ।
ପହଲଗାମ ଆତଙ୍କବାଦୀ ଆକ୍ରମଣ ପାକିସ୍ତାନ ପ୍ରାୟୋଜିତ ହୋଇଥିବାରୁ ଭାରତ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରି ଭିସା ରଦ୍ଦ କରିବା ସହ ସିନ୍ଧୁ ଜଳ ଚୁକ୍ତି ଉପରେ ରୋକ ଲଗାଇଛନ୍ତି। ଏହାକୁ ପାକିସ୍ତାନ ଯୁଦ୍ଧ ଭାବେ ବିବେଚନା କରି ଶିମଲା ଚୁକ୍ତିରୁ ଓହରି ଯିବାକୁ ଧମକ ଦେଇଛି।
ପାକିସ୍ତାନ ଆତଙ୍କବାଦୀ ହମଲାରେ ନିଜର ସଂପୃକ୍ତି ନଥିବା କହିଥିଲେ ହେଁ ଭାରତ ସରକାର ପକ୍ଷରୁ ଗୁରୁବାର ଏହାର ପ୍ରମାଣ ବିଭିନ୍ନ ବିଦେଶ ରାଷ୍ଟ୍ରର ରାଷ୍ଟ୍ରଦୂତମାନଙ୍କୁ ଦିଆଯାଇଛି। ଏପ୍ରିଲ ୨୨ରେ ପହଲଗାମର ବୈସାରନ ଉପତ୍ୟକାରେ ହୋଇଥିବା ଆତଙ୍କବାଦୀ ହମଲାରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା।
ଆତଙ୍କବାଦୀମାନେ ବୈସାରନ ଉପତ୍ୟକାର ଘାଷ ଗାଲିଚାରେ ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିବା ପର୍ଯ୍ୟଟକଙ୍କ ଉପରେ ଆଖି ବୁଜା ଗୁଳି କରିଥିଲେ। ସେମାନେ ଧର୍ମ ପଚାରି କେବଳ ପୁରୁଷଙ୍କୁ ଗୁଳି ମାରି ଦେଇଥିଲେ। ଏହାକୁ ପୂରା ଦେଶରେ କ୍ରୋଧ ଓ ପ୍ରତିଶୋଧର ନିଆଁ ଜଳୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
