/odisha-reporter/media/media_files/2025/12/31/rajsthan-2025-12-31-18-35-13.jpg)
ଜବତ ହୋଇଥିବା କାର ସହ ଦୁଇ ଅଭିଯୁକ୍ତ
ଆଉ କିଛି ଘଣ୍ଟା ପରେ ୨୦୨୬ରେ ପାଦ ଦେବ ଦେଶ। ଲୋକମାନେ ଏବେ ଠାରୁ ଜିରୋ ନାଇଟ ସେଲିବ୍ରେସନ ଆରମ୍ଭ କରି ଦେଇଛନ୍ତି। କିନ୍ତୁ ନବ ବର୍ଷ ପୂର୍ବରୁ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ ହୋଇଛି। କାରଣ ଜବତ ହୋଇଛି ବିସ୍ଫୋରକ(Explosives) ବୋଝେଇ ଗୋଟିଏ କାର୍। ଆଜି ସୁରକ୍ଷାକର୍ମୀମାନେ ରାଜସ୍ଥାନର ଟୋଙ୍କ ଅଞ୍ଚଳରୁ ଗୋଟିଏ ବିସ୍ଫୋରକ ବୋଝେଇ ମାରୁତି ସିଆଜ କାରକୁ ଜବତ କରିଛନ୍ତି।
ଏହା ଭିତରୁ ୧୫୦ କେଜି ଓଜନର ବେଆଇନ ଆମୋନିଅମ ନାଇଟ୍ରେଟ ମିଳିଛି। ଏତେ ପରିମାଣର ଆମୋନିଅମ ନାଇଟ୍ରେଟ ଏକାଧିକ ୟୁରିଆ ଫର୍ଟିଲାଇଜର ବ୍ୟାଗରେ ଭର୍ତ୍ତି ହୋଇ କାରରେ ରହିଥିଲା। ଏହାବାଦ କାରରୁ ୨୦୦ ବିସ୍ଫୋରକ କ୍ୟାଟ୍ରିଜ ଓ ୬ ବଣ୍ଡଲ ସୁରକ୍ଷା ଫ୍ୟୁଜ ତାର(ପ୍ରାୟ ୧୧୦୦ ମିଟର) ଜବତ କରାଯିବା ପରେ ହଇଚଇ ସୃଷ୍ଟି ହୋଇଛି।
ମିଳିଥିବା ସୂଚନା ଅନୁସାରେ, ଗୁଇନ୍ଦା ସୂତ୍ର ଆଧାରରେ ପୁଲିସ୍ ଉକ୍ତ କାରକୁ ବାରୋନି ପୁଲିସ୍ ଷ୍ଟେସନ ଅଞ୍ଚଳରେ ଅଟକାଇ ଯାଞ୍ଚ କରିଥିଲା। ଏହି ସମୟରେ ଏତେ ପରିମାଣର ବିସ୍ଫୋରକ ମିଳିଛି। ଅଭିଯୁକ୍ତମାନେ ଏହି ବିସ୍ଫୋରକକୁ ବୁଣ୍ଡିରୁ ଟୋଙ୍କକୁ ସପ୍ଲାଏ କରୁଥିଲେ। ଏହି ଘଟଣାରେ ପୁଲିସ୍ ସୁରେନ୍ଦ୍ର ମୋଚି ଓ ସୁରେନ୍ଦ୍ର ପଟୱା ନାମକ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି।
ସେମାନଙ୍କୁ ଅଟକ ରଖି ପୁଲିସ୍ ଜେରା ଆରମ୍ଭ କରିଛି। ଏତେ ପରିମାଣର ବିସ୍ଫୋରକ ସେମାନେ କେଉଁ ଆଡ଼େ ନେଉଥିଲେ? ଏହା କୌଣସି ବିସ୍ଫୋରକ କିମ୍ବା ବେଆଇନ ମାଇନିଂ ପାଇଁ ବ୍ୟବହୃତ ହୋଇଥାଆନ୍ତି କି, ତା’ର ମଧ୍ୟ ଯାଞ୍ଚ ଚାଲିଛି।
ଡିଏସପି ମୃତ୍ୟୁଞ୍ଜୟ ମିଶ୍ର କହିଛନ୍ତି ଯେ “ଗୁଇନ୍ଦା ସୂତ୍ର ଆଧାରରେ ହୋଇଥିବା ଅପରେସନ ବେଳେ ଗୋଟିଏ କାରରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି। ୨ ଜଣଙ୍କୁ ଗିରଫ କରାଯାଇଛି ଓ ଅଧିକ ତଦନ୍ତ ଚାଲିଛି। ଆମେ ଘଟଣାକୁ ସବୁ ଦିଗରୁ ତଦନ୍ତ କରୁଛୁ।”
ଗତ ମାସରେ ଦିଲ୍ଲୀର ଲାଲକିଲ୍ଲା ଅଞ୍ଚଳରେ ହୋଇଥିବା ଆତ୍ମଘାତୀ କାର ବିସ୍ଫୋରଣରେ ଆମୋନିଅମ ନାଇଟ୍ରେଟ ବ୍ୟହାର କରାଯାଇଥିଲା। ଏଥିରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
