Advertisment

ଜୀବନ ନେଉଛି ମୁଣ୍ଡଫଟା ଖରା, ୨୪ ଘଣ୍ଟାରେ ଗଲାଣି ୩୦ ଜୀବନ

ଗତ ୨୪ ଘଣ୍ଟାରେ ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ଖରା ହେତୁ ୩୦ରୁ ଅଧିକ ଜୀବନ ଗଲାଣି।

author-image
Niharika Rout
ଅଦ୍ୟତନ ହୋଇଛି
Heat Wave

Heat Wave

ସମଗ୍ର ଦେଶରେ ଜାରି ରହିଛି ଭୟଙ୍କର ଗ୍ରୀଷ୍ମ ପ୍ରବାହ। ପ୍ରବଳ ଗରମ ଲାଗି ଅଣାୟତ୍ତ ସ୍ଥିତି ସୃଷ୍ଟି ହୋଇଛି। ଜୀବନ ନେଉଛି ମୁଣ୍ଡଫଟା ଖରା। ବିହାର, ଝାଡ଼ଖଣ୍ଡ ଓ ଓଡ଼ିଶାରେ ଏଯାବତ ଗଲାଣି ବହୁ ଜୀବନ । ଗତ ୨୪ ଘଣ୍ଟାରେ ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ଖରା ହେତୁ ୩୦ରୁ ଅଧିକ ଜୀବନ ଗଲାଣି।

Advertisment

ବିହାରର ବିଭିନ୍ନ ସ୍ଥାନରେ ଗତକାଲି ପାରଦ ୪୪ ଡିଗ୍ରୀ ପାର୍‌ କରିଥିଲା। ତତଲା ହାୱା ଓ ମୁଣ୍ଡ ଫଟା ଖରା ଯୋଗୁ ରାଜ୍ୟରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି ଓ ୨୦ ଜଣ ଭିନ୍ନ ଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହାବାଦ ଝାଡ଼ଖଣ୍ଡର ପଲାମୁରେ ଗତ ୨୪ ଘଣ୍ଟାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଓଡ଼ିଶାରେ ଏଯାବତ ୧୪ରୁ ଅଧିକ ଜୀବନ ଗଲାଣି।

ଦିନକରେ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ୧୪ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଛି। ରାଉରକେଲା ସ୍ଥିତ RGHରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୨ଜଣଙ୍କର ଅଂଶୁଘାତ ଜନିତ ମୃତ୍ୟୁ ବୋଲି ଜିଲ୍ଲାପ୍ରଶାସନ ସୂଚନା ଦେଇଛି । ହେଲେ ଆଉ ୮ ଜଣଙ୍କର କିଭଳି ମୃତ୍ୟୁ ହେଲା ସେନେଇ କିଛି ସ୍ପଷ୍ଟ ହୋଇନି । ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଉ ୪ ଜଣଙ୍କ ମୃତ୍ୟୁ ହୋଇଛି। ହିଟ୍ ୱେଭ ପାଇଁ ମୃତ୍ୟୁ ଆଶଙ୍କା କରାଯାଉଛି।

Advertisment

ଝାଡ଼ଖଣ୍ଡରେ ଗତ ୨୪ ଘଣ୍ଟାରେ ୫ ଜଣ ଆଖି ବୁଜି ସାରିଲେଣି। ପ୍ରବଳ ଗରମ ଯୋଗୁ ବାହାରେ ଥିବା ଲୋକ ଅଚେତ ହୋଇ ପଡ଼ୁଥିବା ବେଳେ ହସ୍ପିଟାଲରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରୁଛନ୍ତି।

ବିହାରରେ ସର୍ବାଧିକ ତାପମାତ୍ର ୪୭.୧ ଡିଗ୍ରୀ ରେକର୍ଡ କରାଯାଇଛି। ଏହା ସହ୍ୟ କରି ନ ପାରି ୧୨ ଜଣଙ୍କ ଜୀବନ ଚାଲି ଯାଇଥିବା ଜଣାଯାଇଛି। ଏହାଦେଖି ରାଜ୍ୟର ସମସ୍ତ ସ୍କୁଲ, କଲେଜ, ଅଙ୍ଗନୱାଡି କେନ୍ଦ୍ରକୁ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା କିଛି ଦିନ ତାତି ବଢ଼ିବା ସହ ଲୋକଙ୍କୁ ଅଧିକ କଲବଲ କରିବ । ଗୁରୁବାର ବିହାରର ବକ୍ସରରେ ତାପମାତ୍ରା ୪୭.୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ତାହା ରାଜ୍ୟର ତତଲା ସହରରେ ପରିଣତ ହୋଇଥିଲା। ଏହାବାଦ ଔରଙ୍ଗାବାଦରେ ତାପମାତ୍ରା ୪୬ ଡିଗ୍ରୀ, ଡେହରୀରେ ୪୬ ଡିଗ୍ରୀ, ଗୟାରେ ୪୫.୨ ଭୋଜପୁରରେ ୪୪.୧ ଡିଗ୍ରୀ ତାପମାତ୍ର ରେକର୍ଡ କରାଯାଇଛି।

ସେହିପରି ଓଡ଼ିଶାରେ ଗତକାଲି ୪୭ ଡିଗ୍ରୀ ଛୁଇଁଥିଲା ଝାରସୁଗୁଡ଼ାର ପାରଦ। ଚଳିତ ସିଜନର ଏହା ହେଉଛି ସର୍ବୋଚ୍ଚ ଦିନ ତାପମାତ୍ରା। ୪୫ ଡିଗ୍ରୀ ଉପରେ ରାଜ୍ୟର ୯ ସହର ରହିଥିଲା। ଆଗାମୀ ୨ରୁ ୩ ଦିନ ଯାଏ ରାଜ୍ୟର କିଛି ସ୍ଥାନରେ ହିଟ୍ ୱେଭ୍ ଏବଂ ଗ୍ରୀଷ୍ମ ଆଦ୍ରତା ନେଇ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତାପମାତ୍ରା ବୃଦ୍ଧି ପରେ ଅଂଶୁଘାତ ଆଶଙ୍କା ବଢ଼ିଛି।

ଏହା ପୂର୍ବରୁ ଦୁଇ ଦିନ ମଧ୍ୟରେ ରାଜସ୍ଥାନରେ କେବଳ ପ୍ରବଳ ଖରା ଲାଗି ୨୧ ଜଣଙ୍କ ମୃତ୍ୟୁ ହୋଇ ସାରିଛି। ଏବେ ଖରା କମିବାର ସମ୍ଭାବନା ନ ଥିବାରୁ ଅଂଶୁଘାତଜନିତ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। 

Heat Wave Heavy Heat Wave