Advertisment

ଭାରତୀୟ ଆଇ ଡ୍ରପ ପକାଇ ରୋଗୀ କଲବଲ; ଶ୍ରୀଲଙ୍କାର ୩୫ ଜଣଙ୍କ ସଂକ୍ରମଣ ବଢ଼ିଗଲା

ଆଇ ଡ୍ରପ ପକାଇଲେ ବଢ଼ୁଛି ସଂକ୍ରମଣ। ଆଖି ଭଲ ହେବା ପରିବର୍ତ୍ତେ ଅଧିକ ମାଡ଼ି ଯାଉଛି ବ୍ୟାକ୍ଟେରିଆ। ଫଳରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ରୋଗୀ ।

author-image
Niharika Rout
Eye Drop

Eye Drop

ଆଇ ଡ୍ରପ ପକାଇଲେ ବଢ଼ୁଛି ସଂକ୍ରମଣ। ଆଖି ଭଲ ହେବା ପରିବର୍ତ୍ତେ ଅଧିକ ମାଡ଼ି ଯାଉଛି ବ୍ୟାକ୍ଟେରିଆ। ଫଳରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ରୋଗୀ । ଭାରତୀୟ ଆଇ ଡ୍ରପ ବିରୋଧରେ ଏପରି ସାଂଘାତିକ ଅଭିଯୋଗ ପଡ଼ୋଶୀ ଦେଶ ଶ୍ରୀଲଙ୍କାରୁ ଆସିଛି।

Advertisment

ଭାରତୀୟ ଆଇ ଡ୍ରପ ପକାଇ ଶ୍ରୀଲଙ୍କାର ୩୫ ରୋଗୀଙ୍କ ସଂକ୍ରମଣ ବଢ଼ି ଯାଇଥିବା ଅଭିଯୋଗ ହେଉଛି। ଭାରତ ଏହି ଘଟଣାକୁ ଗୁରୁତର ସହ ନେଇ ଏହାର ଯାଞ୍ଚ ଆରମ୍ଭ କରି ଦେଇଛି।

କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଙ୍ଗଠନ (CDSCO) ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗୁଜରାଟର ଏକ ଫାର୍ମା କମ୍ପାନୀ ଏହି ମେଡିସିନ ଶ୍ରୀଲଙ୍କା ପଠାଇଥିଲା। ହେଲେ ଶ୍ରୀଲଙ୍କାର ଏକ ବଡ଼ ଆଇ ହସ୍ପିଟାଲରେ ୩୫ ରୋଗୀଙ୍କ ଉପରେ ଏହାକୁ ପ୍ରୟୋଗ କରା ଯାଇଥିଲା। ଏହାପରେ ସମସ୍ତଙ୍କ ଆଖିରେ ସଂକ୍ରମଣ ବଢ଼ିବା ସହ ସେମାନେ ଯନ୍ତ୍ରଣାରେ ଛଟପଟ ହୋଇଥିଲେ।

Advertisment

ଶ୍ରୀଲଙ୍କା ସରକାର ତତ୍କାଳ ଉକ୍ତ ମେଡିସିନକୁ ଜବତ କରି ଯାଞ୍ଚ ଆରମ୍ଭ କରି ଦେଇଛନ୍ତି। ଶ୍ରୀଲଙ୍କା ସରକାର ଏ ନେଇ ଗତ ୧୬ ତାରିଖରେ ଭାରତ ସରକାରଙ୍କୁ  ଅବଗତ କରି ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ଏହାପରେ କମ୍ପାନୀ ପକ୍ଷରୁ ସମସ୍ତ ମେଡିସିନକୁ ଫେରାଇ ନିଆଯାଇଛି।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ମନସୁଖ ମାଣ୍ଡଭିୟା ଏହି ଘଟଣାକୁ ଗୁରୁତର ସହ ନେଇ ଫାର୍ମା କମ୍ପାନୀମାନଙ୍କୁ ଚେତାବନୀ ଦେଇଛନ୍ତି। ଔଷଧର ଗୁଣବତ୍ତା ସହ କୌଣସି ପ୍ରକାର ସାଲିସକୁ ବରଦାସ୍ତ କରାଯିବନି, ଭୁଲ୍‌ ପ୍ରମାଣିତ ହେଲେ କଠୋର ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ବି ଚେତାବନୀ ଦେଇଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଶ୍ରୀଲଙ୍କାରୁ ଚିଠି ଆସିବା ପରେ ତୁରନ୍ତ କମ୍ପାନୀରେ ମହଜୁଦ ଥିବା ମେଡିସିନକୁ ଜବତ କରି ପରୀକ୍ଷା ପାଇଁ ଲ୍ୟାବକୁ ପଠାଯାଇଛି। ୧୦-୧୫ ଦିନରେ ଏହି ରିପୋର୍ଟ ଆସିଲେ ଅଭିଯୋଗରେ କେତେ ସତ୍ୟତା ଅଛି ତାହା ଜଣାପଡ଼ିବ ବୋଲି ସେ କହିଛନ୍ତି।

ଅନ୍ତରାଷ୍ଟ୍ରୀୟ ସ୍ତରରେ ଭାରତୀୟ ମେଡିସିନର ଗୁଣବତ୍ତା ଉପରେ ବାରମ୍ବାର ଏପରି ସଙ୍ଗୀନ ଅଭିଯୋଗ ଆସୁଥିବାରୁ ଏହାଦ୍ୱାରା ଦେଶର ଛବି ମଳିନ ହେଉଛି। ପୂର୍ବରୁ ଉଜବେକିସ୍ତାନରେ ଛୋଟ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ସେଥିପାଇଁ ଭାରତୀୟ କଫ୍ ସିରଫକୁ ଦାୟୀ କରିଥିଲେ ସେଠାକାର ସରକାର । ଶ୍ରୀଲଙ୍କା ସରକାର ବି ଏହାର ନିରପେକ୍ଷ ଯାଞ୍ଚ ନିମନ୍ତେ ଭାରତ ନିକଟରେ ଦାବି ଉଠାଇଛନ୍ତି।

Indian Medicines Eye