/odisha-reporter/media/post_attachments/uploadimage/library/16_9/16_9_0/Car_1757059524.jpg)
Car
ନକଲି ଜିନିଷ କଥା ଶୁଣିଥିବେ। ନକଲି ସେବା ସମ୍ପର୍କରେ ଅବଗତ ଥିବେ। ହେଲେ ଅନ୍ତଃରାଜ୍ୟ ନକଲି ଆଇଏଏସ୍ ଅଫିସରଙ୍କ କଥା କେବେ ଶୁଣିଛନ୍ତି କି? ହଁ, ଏବେ ସେଭଳି ଜଣେ ନକଲି ବାବୁଙ୍କୁ ଧରିଛି ଉତ୍ତର ପ୍ରଦେଶ ପୁଲିସ୍। ନିଜକୁ ଆଇଏଏସ୍ ଅଫିସରର ପରିଚୟ ଦେଇ ଦେଶର ବିଭିନ୍ନ ରାଜ୍ୟରେ ଲୋକଙ୍କୁ ଚୂନ ଲଗାଇଥିବା ଜଣେ ୩୬ ବର୍ଷୀୟ ବ୍ୟକ୍ତିଙ୍କୁ ପୁଲିସ୍ ଲକ୍ଷ୍ନୌରୁ ଗିରଫ କରିଛି।
ଗିରଫ ନକଲି ଆଇଏଏସ୍ ଜଣଙ୍କ ହେଲେ ସୌରଭ ତ୍ରିପାଠୀ ଓ ତାଙ୍କ ଘର ଗୌତମ ବୁଦ୍ଧ ନଗରରେ। ସେ ନକଲି ଦସ୍ତାବିଜ, ଜାଲ ସରକାରୀ ପାସ୍ ଓ ଗାଡ଼ିରେ ବ୍ଲୁ ବତୀ ଲଗାଇ ନିଜକୁ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଭାବେ ପରିଚୟ ଦେଇ ବେଧଡ଼କ ନିଜ କାରନାମା ଜାରି ରଖିଥିଲେ। ପୁଲିସ୍ କାର୍ଗିଲ ସହିଦ ପାର୍କରେ ନିୟମିତ ଚେକିଂ ବେଳେ ତ୍ରିପାଠୀଙ୍କୁ ଗିରଫ କରିଛି।
ପୁଲିସ୍ ତାଙ୍କ ଠାରୁ ୬ଟି ବଡ଼ ଗାଡ଼ି ଜବତ କରିଛି। ଏହା ମଧ୍ୟରେ ମର୍ସିଡିଜ, ଡିଫେଣ୍ଡର, ଫର୍ଚୁନର ଓ ୨ଟି ଇନୋଭା କ୍ରାୟଷ୍ଟସ ରହିଛି। ଏହି ସବୁ ଗାଡ଼ିରେ ନକଲି ଆଇଏଏସ୍ ଜଣଙ୍କ ଜାଲ୍ ଉପାୟରେ ହାସଲ କରିଥିବା ସରକାରୀ ପାସ୍ ଲଗାଇଥିଲେ। ଏହାବାଦ ଗୋଟିଏ ଲ୍ୟାପଟପ, ଏକାଧିକ ମୋବାଇଲ ଫୋନ, ନଗଦ ଟଙ୍କା ଓ କିଛି ଜାଲ କାଗଜପତ୍ର ମଧ୍ୟ ତାଙ୍କ ଠାରୁ ଜବତ କରାଯାଇଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜବତ ହୋଇଥିବା କୌଣସି ଗୋଟିଏ ହେଲେ ବି କାର ତ୍ରିପାଠୀଙ୍କ ନାଁରେ ପଞ୍ଜିକରଣ ହୋଇନାହିଁ। ରେକର୍ଡ ଅନୁସାରେ ଫର୍ଚୁନର କାରଟି ନୋଏଡାର ଜଣେ ବ୍ୟକ୍ତିଙ୍କ ନାଁରେ ପଞ୍ଜିକରଣ ହୋଇଥିବା ବେଳେ ଗୋଟିଏ ଇନୋଭା ଲକ୍ଷ୍ନୌ, ଡିଫେଣ୍ଡର ପାଟନା, ମର୍ସିଡିଜଟି ଗୋଟିଏ ଟ୍ରାଭେଲ ଏଜେନ୍ସି ଓ ଅନ୍ୟ ଗୋଟିଏ ଇନୋଭା ଲକ୍ଷ୍ନୌର ଜଣେ ବ୍ୟକ୍ତିଙ୍କ ନାଁରେ ରହିଛି।
ଅନ୍ୟମାନଙ୍କ ନାଁରେ ଗାଡ଼ିଗୁଡ଼ିକ ପଞ୍ଜିକରଣ ହୋଇଥିବା ବେଳେ ସୌରଭ ତ୍ରିପାଠୀ ସେଥିରେ ଉତ୍ତର ପ୍ରଦେଶ ବିଧାନସଭା, ବିଧାନ ପରିଷଦ, ସଚିବାଳୟ ଓ ଭାରତ ସରକାରଙ୍କ ଲୋଗ ଓ ପାସ୍ ମାରି ବୁଲାବୁଲି କରୁଥିଲେ।
ନିଜକୁ ଆଇଏଏସ୍ ଅଫିସରର ପରିଚୟ ଦେଇ ସୌରଭ ତ୍ରିପାଠୀ ଏକାଧିକ ଉଚ୍ଚ ସ୍ତରୀୟ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସୌରଭ ଆଇଏଏସ୍ ନାଁରେ ସେ ଗୋଟିଏ ସୋଶାଲ ମିଡିଆ ଆକାଉଣ୍ଟ ମଧ୍ୟ ଚଳାଉଥିଲେ। ଅବଶ୍ୟ ଉକ୍ତ ଆକାଉଣ୍ଟ ଏବେ ଡିଲିଟ ହୋଇଯାଇଛି।
Zero Tolerance Against Fraudsters-
स्वयं को आई0ए0एस0 अधिकारी बताकर रौब दिखाने वाले 01 अभियुक्त को @lkopolice द्वारा गिरफ्तार करते हुए उसके कब्जे से 06 चार पहिया वाहन, लैपटॉप, मोबाइल फ़ोन, नकद रुपये व अन्य कूटरचित दस्तावेज बरामद किये गए हैं। #GoodWorkUPP… pic.twitter.com/WLSNNTdTj2
— UP POLICE (@Uppolice) September 3, 2025
ପୁଲିସ୍ର କହିବା କଥା ଯେ ସୌରଭ ତ୍ରିପାଠୀ ନକଲି ପରିଚୟ ପତ୍ର ଜରିଆରେ ବିଭିନ୍ନ ରାଜ୍ୟ ଓ ଜିଲ୍ଲାର ଲୋକଙ୍କୁ ଚୂନ ଲଗାଇଛନ୍ତି। କାର୍ଗିଲ ସହିଦ ପାର୍କରେ ଚାଲିଥିବା ଚେକିଂ ବେଳେ ପୁଲିସ୍ ତାଙ୍କୁ ଅଟକାଇଥିଲେ।
ଏହି ସମୟରେ ସେ ନିଜକୁ ଜଣେ ଆଇଏଏସ୍ ଅଫିସରର ପରିଚୟ ଦେଇ ପୁଲିସ୍କୁ ଧମକଚମକ ଦେଇଥିଲେ। ତେବେ ଯାଞ୍ଚ ବେଳେ ତାଙ୍କର ସବୁ କାଗଜପତ୍ର ଓ ପାସ ଜାଲ ବୋଲି ଜଣାପଡ଼ିଥିଲା। ଏହି ଘଟଣା ପରେ ପୁଲିସ୍ ତାଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
