Advertisment

ବକ୍ସ ଖଟରୁ ବାହାରିଲା ୩ ଭଉଣୀଙ୍କ ମୃତଦେହ, ଚଟାଣରେ ପଡ଼ିଥିଲା ବାପାମା’ଙ୍କ ଶରୀର

ଗୋଟିଏ ବନ୍ଦ ଘରୁ ମିଳିଲା ୫ ମୃତଦେହ। ଘର ବାହାର ପଟୁ ତାଲା ପଡ଼ିଥିଲା ଆଉ ଭିତରେ ବିକ୍ଷିପ୍ତ ଭାବେ ପଡ଼ି ରହିଥିଲା ବାପାମା’ ଓ ୩ ଝିଅଙ୍କ ମୃତଦେହ।

author-image
Niharika Rout
Crime Spot

Crime Spot

ଗୋଟିଏ ବନ୍ଦ ଘରୁ ମିଳିଲା ୫ ମୃତଦେହ। ଘର ବାହାର ପଟୁ ତାଲା ପଡ଼ିଥିଲା ଆଉ ଭିତରେ ବିକ୍ଷିପ୍ତ ଭାବେ ପଡ଼ି ରହିଥିଲା ବାପାମା’ ଓ ୩ ଝିଅଙ୍କ ମୃତଦେହ। ଏପରି ଏକ ହୃଦୟ ବିଦାରକ ଘଟଣା ଉତ୍ତରପ୍ରଦେଶର ମେରଟରେ ଘଟିଛି।

Advertisment

ମୃତକମାନେ ମୋଇନ, ତାଙ୍କ ପତ୍ନୀ ଅସନା ଓ ୩ ଝିଅ ବୋଲି ଜଣାଯାଇଛି। ସେମାନଙ୍କ ବୟସ ଯଥାକ୍ରମେ ୮, ୪ ଓ ୧ ବୋଲି ଜଣାଯାଇଛି। ୩ ଭଉଣୀଙ୍କ ମୃତଦେହ ବକ୍ସ ଖଟ ଭିତରୁ ଉଦ୍ଧାର ହୋଇଥିବା ବେଳେ ପତିପତ୍ନୀଙ୍କ ମୃତଦେହ ହାତଗୋଡ଼ ବନ୍ଧା ଅବସ୍ଥାରେ ମିଳିଛି।

ମୋଇନଙ୍କ ପରିବାରବର୍ଗଙ୍କୁ ବୁଧବାର ସନ୍ଧ୍ୟା ବେଳେ ପଡ଼ୋଶୀମାନେ ଶେଷ ଥର ଦେଖିଥିଲେ। ମାତ୍ର ଗୁରୁବାର ତାଙ୍କ ଗେଟ୍‌ ବାହାରେ ତାଲା ପଡ଼ିଥିବା ବେଳେ କାହାର ଦେଖା ମିଳି ନ ଥିଲା। ଏଥିସହ ବନ୍ଧୁବାନ୍ଧବ ବାରମ୍ବାର ଫୋନ୍‌ କଲେବି କେହି ବି ଫୋନ୍‌ ଉଠାଇ ନ ଥିଲେ। ଏଥିରେ ବ୍ୟତିବ୍ୟସ୍ତ ହୋଇ ସେମାନେ ପୁଲିସ୍‌କୁ ସୂଚନା ଦେଇଥିଲେ।

Advertisment

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତାଲା ଭାଙ୍ଗି ଭିତରେ ପଶିଥିଲା। ଭିତରେ ଯାହା ଦେଖିଲା ପୁଲିସ୍‌ ଚକିତ ହୋଇଗଲା। କାରଣ ଘରର ଚଟାଣରେ ପତିପତ୍ନୀଙ୍କ ମୃତଦେହ ବନ୍ଧା ଅବସ୍ଥାରେ ପଡ଼ିଥିବା ବେଳେ ଖଟ ବକ୍ସ ଭିତରୁ ମିଳିଲା ୩ ଛୁଆଙ୍କ ମୃତଦେହ। ସେଥିମଧ୍ୟରୁ ସାନ ଝିଅର ମୃତଦେହକୁ ଏକ ବସ୍ତାରେ ପଶାଇ ବକ୍ସ ଭିତରେ ରଖାଯାଇଥିଲା।

ମୋଇନ ଜଣେ ମିସ୍ତ୍ରୀ ଭାବେ କାମ କରୁଥିବା ବେଳେ ଏହା ତାଙ୍କର ତୃତୀୟ ଓ ଅସନାଙ୍କର ଦ୍ୱିତୀୟ ବିବାହ। ତେଣୁ ଉଭୟଙ୍କର କାହା ସହ ପୂର୍ବ ଶତ୍ରୁତା ଥିଲା ନା ଅନ୍ୟ କୌଣସି କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌।

ପୁଲିସର କହିବା ଅନୁଯାୟୀ, ସମସ୍ତ ମୃତଦେହର ମୁଣ୍ଡରେ ଆଘାତ ଲାଗିଥିଲା ​​ଏବଂ ସେମାନଙ୍କୁ କୌଣସି ଭାରୀ ଜିନିଷ ଦ୍ୱାରା ଆଘାତ କରାଯାଇଥିବା ପରି ମନେ ହେଉଛି। "ଶରୀର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍ କାରଣ କ’ଣ ଜଣାପଡ଼ିବ। ପ୍ରାରମ୍ଭିକ ତଦନ୍ତରୁ ଏହା ବ୍ୟକ୍ତିଗତ ଶତ୍ରୁତା ଯୋଗୁ ହୋଇଛି ବୋଲି ମନେ ହେଉଛି।

ବରିଷ୍ଠ ପୁଲିସ୍‌ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଥିବା ବେଳେ ସାଇଣ୍ଟିଫିକ୍‌ ଟିମ୍‌ ତଥ୍ୟ ସଂଗ୍ରହ କରିଛନ୍ତି। ପୁଲିସର କହିବା ଅନୁଯାୟୀ, ସମସ୍ତ ମୃତଦେହର ମୁଣ୍ଡରେ ଆଘାତ ଲାଗିଥିଲା ​​ଏବଂ ସେମାନଙ୍କୁ କୌଣସି ଭାରୀ ଜିନିଷ ଦ୍ୱାରା ଆଘାତ କରାଯାଇଥିବା ପରି ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍ କାରଣ କ’ଣ ଜଣାପଡ଼ିବ ବୋଲି ପୁଲିସ୍‌ କହିଛି।

Murder Uttar Pradesh