Advertisment

କେମିତି ପରିବାରର ୩ ଜଣଙ୍କୁ ଡିଜିଟାଲ ଆରେଷ୍ଟ କରି ନେଇଗଲେ ୧ କୋଟି ଟଙ୍କା?

ଗୋଟିଏ ପରିବାରର ୩ ଜଣଙ୍କୁ ୫ ଦିନ ଧରି ଡିଜିଟାଲ ଆରେଷ୍ଟରେ ରଖି ସାଇବର ଲୁଟେରାମାନେ ୧ କୋଟିରୁ ଅଧିକ ଟଙ୍କା ନେଇ ଯାଇଛନ୍ତି।

Digitally Arrested

Digitally Arrested

Advertisment

ଅନେକ ସଚେତନତା ଓ ପରାମର୍ଶ ସତ୍ତ୍ୱେ ସାଇବର ଲୁଟେରାଙ୍କ ଜାଲରେ ଫସି ଚାଲିଛନ୍ତି ସାଧାରଣ ଲୋକ। ବିଭିନ୍ନ ଉପାୟରେ କୋଟି କୋଟି ଟଙ୍କା ଲୁଟ କରି ଚାଲିଛନ୍ତି ସାଇବର ଅପରାଧୀ। ସରକାର ସାଇବର ସୁରକ୍ଷା ଓ ଏଆଇ କଥା କହୁଥିଲେ ହେଁ ସାଇବର ଠକଙ୍କୁ ଧରିବାରେ ସକ୍ଷମ ହେଉ ନାହାନ୍ତି। ଏହାର ଫାଇଦା ଉଠାଇ ସାଇବର ଠକମାନେ ନିରୀହ ଲୋକଙ୍କୁ ଲୁଟ କରିବାରେ ଲାଗିଛନ୍ତି।

Advertisment

ଏହିକ୍ରମରେ ପୁଣି ଡିଜିଟାଲ ଆରେଷ୍ଟ ବା ଗିରଫଦାରୀ ଜରିଆରେ ସାଇବର ଠକମାନେ କରିଛନ୍ତି ଲୁଟ। ନୋଏଡାରେ ରହୁଥିବା ଗୋଟିଏ ପରିବାରର ୩ ଜଣଙ୍କୁ ୫ ଦିନ ଧରି ଡିଜିଟାଲ ଆରେଷ୍ଟରେ ରଖି ସାଇବର ଲୁଟେରାମାନେ ୧ କୋଟିରୁ ଅଧିକ ଟଙ୍କା ନେଇ ଯାଇଛନ୍ତି। ଠକମାନେ ନିଜକୁ ସରକାରୀ କର୍ମଚାରୀର ପରିଚୟ ଦେଇ ଏପରି ଲୁଟ କରିଛନ୍ତି।

ଡିଜିଟାଲ ଆରେଷ୍ଟ କ’ଣ?

ଡିଜିଟାଲ ଆରେଷ୍ଟ ହେଉଛି ସାଇବର ଠକେଇର ନୂଆ ତରିକା। ଏଥିରେ ଅଭିଯୁକ୍ତମାନେ ନିଜକୁ ତଦନ୍ତକାରୀ ଏଜେନ୍ସି ଯଥା ସିବିଆଇ, ପୁଲିସ୍‌ କିମ୍ବା କଷ୍ଟମ ବିଭାଗର ଅଧିକାରୀ ଭାବେ ପରିଚୟ ଦେଇଥାଆନ୍ତି। ଏହାପରେ ଅଭିଯୁକ୍ତମାନେ ସାଧାରଣ ଲୋକଙ୍କୁ ଭିଡିଓ କଲ କରି ନଜର ବନ୍ଦୀ କରିଥାଆନ୍ତି। ନକଲି ଅନ୍ତର୍ଜାତୀୟ ପାର୍ସଲ, ନିଶାଦ୍ରବ୍ୟ କିମ୍ବା ସିମ କାର୍ଡ ଜରିଆରେ ଅପରାଧ ହୋଇଥିବାର ଧମକ ଦେଇ ନିଜ ଜାଲରେ ଫସାନ୍ତି। ଭିଡିଓ କଲ କରି ଅଭିଯୁକ୍ତମାନେ ନିଜକୁ ତଦନ୍ତକାରୀ ଅଧିକାରୀ ଭାବେ ପରିଚୟ ଦେଇ ଲୋକଙ୍କୁ ଭୟଭୀତ କରି ଟଙ୍କା ଲୁଟ କରନ୍ତି। 

Advertisment

ନୋଏଡାରେ କ’ଣ ଘଟିଛି?

ନୋଏଡାରେ ଚନ୍ଦ୍ରବାନ ପାଲିୱାଲ ତାଙ୍କ ପତ୍ନୀ ଓ ଝିଅଙ୍କୁ ନେଇ ରୁହନ୍ତି। ଫେବୃଆରୀ ୧ ତାରିଖରେ ଶ୍ରୀ ପାଲିୱାଲଙ୍କ ପାଖକୁ ଗୋଟିଏ ଅଜଣା ନମ୍ବରରୁ କଲ୍‌ ଆସିଥିଲା। ଫୋନ କରିଥିବା ବ୍ୟକ୍ତି ତାଙ୍କୁ ତୁରନ୍ତ ଟେଲିକମ ରେଗୁଲଟୋରୀ ଅଥୋରିଟୀଙ୍କ ସହ ଯୋଗାଯୋଗ କରିବାକୁ କହିଥିଲା ଓ ସିମ କାର୍ଡ ବ୍ଲକ ହେବାର ଧମକ ଦେଇଥିଲା।

କଲ୍‌ର ଜଣକ ଅଭିଯୋଗକାରୀ ପାଲିୱାଲଙ୍କୁ କହିଥିଲା ଯେ ତାଙ୍କ ନାଁରେ ବେଆଇନ ଆର୍ଥିକ କାରବାରର ମାମଲା ରହିଛି। ଏହି ମାମଲା ମୁମ୍ବାଇ ସାଇବର କ୍ରାଇମ ବ୍ରାଞ୍ଚରେ ପଞ୍ଜିକୃତ ହୋଇଛି। ଏହାକୁ ଶୁଣି ଡରି ଯାଇଥିବା ପାଲିୱାଲ କ’ଣ କରିବେ କିଛି ଭାବି ପାରି ନଥିଲେ। ଏସବୁ ଭିତରେ କଲ କଟି ଯାଇଥିଲା। ଏହାର ୧୦ ମିନିଟ ପରେ ଜଣେ ବ୍ୟକ୍ତି ନିଜକୁ ଆଇପିଏସର ପରିଚୟ ଦେଇ ପାଲିୱାଲଙ୍କୁ ଭିଡଓ କଲ କରିଥିଲା। ସେ ମୁମ୍ବାଇର କୋଲାବା ପୁଲିସ୍‌ ଷ୍ଟେସନରୁ କହୁଥିବା ସୂଚନା ଦେଇଥିଲା।

ତଥାକଥିତ ଆଇପିଏସ୍‌ ଜଣକ ପାଲିୱାଲଙ୍କୁ ଭିଡିଓ କଲରେ ବିଭିନ୍ନ ପ୍ରକାରର ଧମକ ଦେଇଥିଲା। ସେ ଟଙ୍କା ହେରଫେର କରିଛନ୍ତି ଓ ବିଭିନ୍ନ ଥାନାରେ ତାଙ୍କ ନାଁରେ ୨୪ଟି ମାମଲା ରହିଥିବା ଆଇପିଏସ ଜଣକ କହିଥିଲା। କଲର ଆହୁରି କହିଥିଲା ଯେ ସିବିଆଇ ମଧ୍ୟ ପୂରା ମାମଲାର ମନି ଲଣ୍ଡରିଂ ଦିଗର ତଦନ୍ତ କରୁଛି।

ଏସବୁ କଥା ଶୁଣି ପାଲିୱାଲ ନିଜକୁ ନିର୍ଦ୍ଦୋଷ ବୋଲି ଯେତେ କହିଥିଲେ ହେଁ କଲର ଜଣକ କିଛି ଶୁଣି ନଥିଲା। ତାଙ୍କୁ ସେମିତି ଭିଡିଓ କଲରେ ରହିବାକୁ ବାଧ୍ୟ କରିଥିଲା। ପାଲିୱାଲଙ୍କ ପତ୍ନୀ ଓ ଝିଅ ମଧ୍ୟ ଭିଡିଓ କଲ ରିସିଭ କରିବାରୁ ସେମାନଙ୍କୁ ମଧ୍ୟ ସାଇବର ଲୁଟେରାମାନେ ଡିଜିଟାଲ ଆରେଷ୍ଟ କରିଥିଲେ।

ଯଦି ସେମାନେ ଦାବି ମୁତାବକ ଟଙ୍କା ନ ଦେବେ, ତା’ହେଲେ ଖୁବଶୀଘ୍ର ସମସ୍ତଙ୍କୁ ଗିରଫ କରାଯିବ ବୋଲି ଧମକ ମିଳିଥିଲା। ୫ ଦିନ ଧରି ଡିଜିଟାଲ ଆରେଷ୍ଟ ମାଧ୍ୟମରେ ଅଭିଯୁକ୍ତମାନେ ପାଲିୱାଲଙ୍କ ଠାରୁ ୧.୧୦ କୋଟି ଟଙ୍କା ନେଇ ଯାଇଛନ୍ତି।

୫ ଦିନ ପରେ ପାଲିୱାଲ ଠକେଇରେ ଶିକାର ହୋଇଥିବା ଜାଣିବା ପରେ ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ। ପୁଲିସ୍‌ ତାଙ୍କ ଅଭିଯୋଗକୁ ଆଧାର କରି ଗୋଟିଏ ମାମଲା ରୁଜୁ କରିଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Digital Fraud Digital Loot Digital Arrest Digital Arrest Scam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe