Advertisment

ରାସ୍ତାରେ ଯାଉ ଯାଉ ପାଣିରେ ବୁଡ଼ିଗଲା SUV; ବ୍ୟାଙ୍କ ମ୍ୟାନେଜର ଓ କ୍ୟାସିୟର ମୃତ

ରେଲୱେ ଅଣ୍ଡର ବ୍ରିଜ୍‌ ତଳ ରାସ୍ତାରେ ଜମିଥିବା ବର୍ଷା ପାଣି କାଳ ହେଲା । ଉକ୍ତ ପାଣିରେ ବୁଡ଼ିଗଲା ଏସୟୁଭି ଗାଡ଼ି । ଆଉ ଅକାଳରେ ଚାଲିଗଲା ଦୁଇ ଜୀବନ

author-image
Niharika Rout
ଅଦ୍ୟତନ ହୋଇଛି
SPOT

SPOT

ରେଲୱେ ଅଣ୍ଡର ବ୍ରିଜ୍‌ ତଳ ରାସ୍ତାରେ ଜମିଥିବା ବର୍ଷା ପାଣି କାଳ ହେଲା । ଉକ୍ତ ପାଣିରେ ବୁଡ଼ିଗଲା ଏସୟୁଭି ଗାଡ଼ି । ଆଉ ଅକାଳରେ ଚାଲିଗଲା ଦୁଇ ଜୀବନ । ମୃତକଙ୍କ ମଧ୍ୟରେ ଜଣେ HDFC ବ୍ୟାଙ୍କ ମ୍ୟାନେଜର ଥିବା ବେଳେ ଅନ୍ୟଜଣେ କ୍ୟାସିୟର ବୋଲି ଜଣାଯାଇଛି।

Advertisment

ଏପରି ଏକ ହୃଦୟ ବିଦାରକ ଘଟଣା ଦିଲ୍ଲୀର ପୁରୁଣା ଫରିଦାବାଦରେ ଘଟିଛି। ମୃତକଦ୍ୱୟ ହେଲେ ବ୍ୟାଙ୍କ ମ୍ୟାନେଜର ପୂଣ୍ୟଶ୍ରେୟ ଶର୍ମା ଓ କ୍ୟାସିୟର ବିରାଜ ଦ୍ୱିବେଦୀ ।

ବ୍ୟାଙ୍କ ମ୍ୟାନେଜର ଗ୍ରେଟର ଫରିଦାବାଦରେ ରହୁଥିବା ବେଳେ ନିଜ SUV ଗାଡ଼ିରେ ବ୍ୟାଙ୍କ ଆସିଥାନ୍ତି। ଗତକାଲି ରାତିରେ କ୍ୟାସିୟର ବିରାଜ ଦ୍ୱିବେଦୀ ବି ଉକ୍ତ ଗାଡ଼ିରେ ମ୍ୟାନେଜରଙ୍କ ଘରକୁ ଯାଉଥିଲେ। ସେଠାରୁ ସେ ଆଜି ସକାଳେ ଦିଲ୍ଲୀ ଅଭିମୁଖେ ଯାଇଥାନ୍ତେ।

Advertisment

ବିରାଜ ଦ୍ୱିବେଦୀ ଗାଡ଼ି ଚଳାଇ ଆସୁଥିବା ବେଳେ ଫରିଦାବାଦ ରେଲୱେ ଅଣ୍ଡର ବ୍ରିଜ ପାଖରେ ଖୁବ୍‌ ଗଭୀର ପାଣି ଥିବା ଜାଣି ପାରି ନ ଥିଲେ। ଫଳରେ ଗାଡ଼ିଟି ବୁଡ଼ି ଯାଇଥିଲା ଓ ତା’ ମଧ୍ୟରେ ଥିବା ଉଭୟ ମ୍ୟାଜେନର ଓ କ୍ୟାସିୟର ବାହାରି ପାରି ନ ଥିଲେ। ଫଳରେ ଗାଡ଼ି ଭିତରେ ହିଁ ଉଭୟଙ୍କ ମୃତ୍ୟୁ ହୋଇ ଯାଇଥିଲା। ରାତି ପ୍ରାୟ ୧୧ଟା ପରେ ଏହି ଘଟଣା ଘଟିଛି।

2  dead in accidentପାଣିରେ ବୁଡ଼ି ପ୍ରାଣ ହରାଇଥିବା କ୍ୟାସିୟର ଓ ମ୍ୟାନେଜର । (ଫାଇଲ୍‌ ଫଟୋ)

ବିଳମ୍ବିତ ରାତି ପର୍ଯ୍ୟନ୍ତ ମ୍ୟାନେଜର ଘରେ ନ ପହଞ୍ଚିବାରୁ ତାଙ୍କ ପତ୍ନୀ ଫୋନ୍‌ କରିଥିଲେ। ମାତ୍ର ଫୋନ୍‌ ସୁଇଚ୍‌ ଅଫ୍‌ ଆସିଥିଲା। ଏହାପରେ ବ୍ୟାଙ୍କର ଅନ୍ୟ ଜଣେ କର୍ମଚାରୀଙ୍କୁ ଯୋଗାଯୋଗ କରି ସେ ଘରୁ ବାହାରିଥିଲେ। ବାଟରେ ପୁଲିସ୍‌ ଥିବା ଦେଖି ସେ ଘଟଣା ସମ୍ପର୍କରେ ପଚାରିଥିଲେ।

ପୁଲିସ୍‌ ଘଟଣା ସମ୍ପର୍କରେ କହିବାରୁ ସେ ତଳକୁ ଓହ୍ଲାଇ ଘଟଣାସ୍ଥଳକୁ ଯାଇଥିଲେ। ସେଠାରେ ସେ ସ୍ୱାମୀଙ୍କ ଗାଡ଼ି ସମେତ ତାଙ୍କ ମୃତଦେହ ଦେଖିବାକୁ ପାଇଥିଲେ। ସଙ୍ଗେସଙ୍ଗେ ସେ ଏହି ଘଟଣାକୁ ବିଶ୍ୱାସ କରି ପାରି ନ ଥିବା ବେଳେ ତାଙ୍କ ଛାତିପଟା କାନ୍ଦରେ ଚାରିଆଡ଼େ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ଏହାପରେ ପୁଲିସ୍‌ ମୃତଦେହ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ରାସ୍ତାରେ ଏତେ ଗଭୀର ଖାଲ ଥିବା ବେଳେ କୌଣସି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମାତ୍ର ସେଠାରେ ବ୍ୟାରିକେଟ ସହ ସତର୍କ ସୂଚନା ଲଗା ଯାଇଥିବା ପୁଲିସ୍‌ କହିଛି।

 ଦୁର୍ଘଟଣା ଘଟିବାର କିଛି ସମୟ ପୂର୍ବରୁ ଉକ୍ତ ରାସ୍ତାରେ ଯିବାକୁ ପୁଲିସ୍‌ ଉଭୟଙ୍କୁ ବାରଣ କରିଥିଲା। ମାତ୍ର ସେମାନେ ଏହାକୁ ଖାତିର ନ କରି ଉକ୍ତ ରାସ୍ତାରେ ଚାଲି ଯାଇଥିବା ପୁଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି।  ଏନେଇ ଏକ ମାମଲା ରୁଜୁ କରି ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

Accident Delhi