Advertisment

୭୦ କିମି ବାଟ ଯାତ୍ରା କରି ୫୧୨ କେଜି ପିଆଜ ବିକ୍ରି କଲେ, କିନ୍ତୁ ମିଳିଲା ମାତ୍ର ୨ ଟଙ୍କା

ଜଣେ ଚାଷୀ ଦୀର୍ଘ ୭୦ କିମି ରାସ୍ତା ଅତିକ୍ରମ କରି ମଣ୍ଡିରେ ପହଞ୍ଚିଥିଲେ। ଏଥିସହ ୫୧୨ କେଜି ପିଆଜ ବିକ୍ରି କରିଥିଲେ। ହେଲେ ତାଙ୍କ ଖର୍ଚ୍ଚ କାଟ କରିବା ପରେ ତାଙ୍କୁ ମିଳିଛି ମାତ୍ର ୨ ଟଙ୍କା ୪୯ ପଇସାର ଲାଭ।

Onion

Onion

Advertisment

ଚାଷ କାମ ଯାହାର କି ଆନନ୍ଦ ତାହାର। ସମ୍ଭବତଃ ଏହି ଲୋକକଥାଟି ଭୁଲ ପ୍ରମାଣିତ ହେବାରେ ଲାଗିଛି। ଦେଶର ଚାଷୀମାନେ କେମିତି ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି, ସେକଥା ସମସ୍ତେ ଜାଣିଛନ୍ତି। ରାଜ୍ୟ ଠାରୁ ଆରମ୍ଭ କରି କେନ୍ଦ୍ର ସରକାର ଚାଷୀଙ୍କ କଥା ଚିନ୍ତା କରୁଥିବା କହୁଥିଲେ ହେଁ ସେମାନଙ୍କ ସମସ୍ୟାର ସମାଧାନ ହୋଇପାରୁନି। ଚାଷୀମାନେ ଆଜି ବି ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି। ଅମଳ କରିଥିବା ନିଜ ଫସଲର ଉପଯୁକ୍ତ ଦାମ ମଧ୍ୟ ସେମାନଙ୍କୁ ମିଳୁନି। ଏହାର ଆଉ ଏକ ଜ୍ୱଳନ୍ତ ଉଦାହାରଣ ଏବେ ମହାରାଷ୍ଟ୍ରରୁ ଆସିଛି।

Advertisment

ଏଠାରେ ଜଣେ ଚାଷୀ ଦୀର୍ଘ ୭୦ କିମି ରାସ୍ତା ଅତିକ୍ରମ କରି ମଣ୍ଡିରେ ପହଞ୍ଚିଥିଲେ। ଏଥିସହ ୫୧୨ କେଜି ପିଆଜ ବିକ୍ରି କରିଥିଲେ। ହେଲେ ତାଙ୍କ ଖର୍ଚ୍ଚ କାଟ କରିବା ପରେ ତାଙ୍କୁ ମିଳିଛି ମାତ୍ର ୨ ଟଙ୍କା ୪୯ ପଇସାର ଲାଭ। ଏହି ଟଙ୍କା ମଧ୍ୟ ତାଙ୍କୁ ଏବେ ମିଳିବ ନାହିଁ। ମାର୍ଚ୍ଚ ୮ ତାରିଖରେ ସେ ବ୍ୟାଙ୍କରୁ ମାତ୍ର ୨ ଟଙ୍କା ପାଇବେ।

କାରଣ ମଣ୍ଡି ପକ୍ଷରୁ ତାଙ୍କୁ ଗୋଟିଏ ପୋଷ୍ଟ ଡେଟେଡ୍‌ ଚେକ୍‌ ଦେଇଛନ୍ତି। ବ୍ୟାଙ୍କ ରାଉଣ୍ଡ ଫିଗରରେ କାରବାର କରୁଥିବାରୁ ଚାଷୀଙ୍କୁ ୨ ଟଙ୍କା ୪୯ ପଇସା ବଦଳରେ ୨ ଟଙ୍କା ହିଁ ମିଳିବ। ଏପରି ଚେକ୍‌ ଦେଖି ପିଆଜ ବିକ୍ରି କରିବାକୁ ଯାଇଥିବା ଚାଷୀଙ୍କ ହୋସ ଉଡ଼ିଯାଇଛି।

Advertisment

ଏପରି ଏକ ଅଜବ ସ୍ଥିତିର ସମ୍ମୁଖୀନ ହୋଇଥିବା ଚାଷୀ ଜଣଙ୍କ ହେଲେ ମହାରାଷ୍ଟ୍ରର ସୋଲାପୁର ଜିଲ୍ଲା ଅନ୍ତର୍ଗତ ବାର୍ସି ତାଲୁକାର ବୋରଗାଓଁ ଗାଁର ରାଜେନ୍ଦ୍ର ତୁକାରାମ ଚୌହାନ। ସେ ଚଳିତ ବର୍ଷ ୫୧୨ କେଜି ଅର୍ଥାତ ୧୦ ବସ୍ତା ପିଆଜ ଅମଳ କରିଥିଲେ। ଏହାକୁ ବିକ୍ରି କରିବା ପାଇଁ ସେ ‌୭୦ କିମି ରାସ୍ତା ଅତିକ୍ରମ କରି ସୋଲାପୁର ଏପିଏମ୍‌ସିରେ ପହଞ୍ଚିଥିଲେ।

ସେଠାରେ ପିଆଜ କେଜି ପିଛା ତାଙ୍କୁ ୧ ଟଙ୍କା ମିଳିବ ବୋଲି କୁହାଯାଇଥିଲା। ସେ ମଧ୍ୟ ଏଥିରେ ବାଧ୍ୟରେ ରାଜି ହୋଇଥିଲେ। ହେଲେ ୫୧୨ କେଜି ପିଆଜ ବିକ୍ରି କରିବା ପରେ ତାଙ୍କୁ ମୋଟ ଲାଭ ବାବଦରେ ୨ ଟଙ୍କା ୪୯ ପଇସା ମିଳିଛି।

ବ୍ୟାଙ୍କ ରାଉଣ୍ଡ ଫିଗରରେ କାରବାର କରୁଥିବାରୁ ମଣ୍ଡି ପକ୍ଷରୁ ତାଙ୍କୁ ୨ ଟଙ୍କାର ଗୋଟିଏ ଚେକ୍‌ ଦିଆଯାଇଛି। ଏହାକୁ ଦେଖି ସେ ପୂରା ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ରାଜେନ୍ଦ୍ର କହିଛନ୍ତି, ପିଆଜ କେଜି ପିଛା ୧ ଟଙ୍କା ମିଳିଥିଲେ ମଧ୍ୟ ମଣ୍ଡି ବ୍ୟବସାୟୀ ପରିବହନ, ଶ୍ରମିକ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ୫୦୯ ଟଙ୍କା ୫୦ ପଇସା କାଟି ଦେଇଛନ୍ତି।

ସବୁ କିଛି କାଟଛାଣ୍ଟ ପରେ ତାଙ୍କୁ ୨ଟଙ୍କା ୪୯ ପଇସା ମିଳିଛି। ଗତ ୩-୪ ବର୍ଷ ମଧ୍ୟରେ ବିହନ ଓ ସାର ଦର ଦୁଇ ଗୁଣ ବଢ଼ିଛି। ୫୦୦ କିଲୋ ପିଆଜ ଅମଳ ପାଇଁ ସେ ପ୍ରାୟ ୪୦ ହଜାର ଟଙ୍କା ଖର୍ଚ୍ଚ କରିଥିଲେ। କିନ୍ତୁ ପିଆଜ ବିକ୍ରି କରି ୨ ଟଙ୍କା ପାଇଥିବାରୁ ସେ ହତାଶ ହୋଇଯାଇଛନ୍ତି। ଚାଷୀ ରାଜେନ୍ଦ୍ର ଭଲ ଗୁଣବତ୍ତାର ପିଆଜ ଅମଳ କରିଥିବା କହିଥିଲେ ହେଁ ଏହାକୁ ମଣ୍ଡି ପକ୍ଷରୁ ଖଣ୍ଡନ କରାଯାଇଛି।

ବ୍ୟବସାୟୀ କହିଛନ୍ତ, ଚାଷୀ ଜଣଙ୍କ ୧୦ ବସ୍ତା ପିଆଜ ଆଣିଥିଲେ। ଏହାର ମାନ ମଧ୍ୟ ଭଲ ନଥିଲା। ତେଣୁ କ୍ୱିଣ୍ଟାଲ ପିଛା ତାଙ୍କୁ ୧୦୦ ଟଙ୍କା ମିଳିଛି। ଏହାପରେ ସବୁ ଖର୍ଚ୍ଚ କାଟ କରିବା ପରେ ନିୟମ ଅନୁସାରେ ତାଙ୍କୁ ୨ ଟଙ୍କାର ଚେକ ଦିଆଯାଇଛି। ଏହାଠାରୁ କମ ଟଙ୍କାର ଚେକ ମଧ୍ୟ ପୂର୍ବରୁ ଚାଷୀଙ୍କୁ ଦିଆଯାଇଥିଲା।

ଚାଷୀ ରାଜେନ୍ଦ୍ର ପୂର୍ବରୁ ପିଆଜ ବିକ୍ରି କରି ଅଧିକ ଟଙ୍କା ପାଇଥିଲେ। ନିକଟରେ ସେ ଆମ ପାଖକୁ ୪୦୦ ବସ୍ତା ପିଆଜ ଆଣିଥିଲେ। ଏହା ଭଲ ପିଆଜ ହୋଇଥିବାରୁ ତାଙ୍କୁ ଉପଯୁକ୍ତ ଦାମ ମିଳିଥିଲା। ଏଥର ସେ ବଳି ପିଡ଼ିଥିବା ୧୦ ବସ୍ତା ପିଆଜ ଆଣିଥିଲେ। ଏବେ ଦାମ କମ ରହିଥିବାରୁ ସେ ୨ ଟଙ୍କା ପାଇଛନ୍ତି ବୋଲି ଟ୍ରେଡର ଜଣଙ୍କ କହିଛନ୍ତି।

Farmer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe