Advertisment

କୃଷକ ପୁଅ ବନାମ ଶ୍ରମିକ ପୁଅ

ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିବା ବେଳେ ଏହାକୁ ନେଇ ବିରୋଧୀ ଦଳ ନେତାଙ୍କ ସହିତ ତାଙ୍କର ହୋଇଛି ଯୁକ୍ତିତର୍କ।

author-image
Jitendra Garnayak
Dhankhar Vs Mallickrjuna

Dhankhar Vs Mallickrjuna

ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ବିରୋଧରେ କଂଗ୍ରେସ ଓ ଏହାର ସହଯୋଗୀ ଦଳଗୁଡ଼ିକ ଅନାସ୍ଥା ପ୍ରସ୍ତାବ ଆଣିଥିବା ବେଳେ ଏହାକୁ ନେଇ ଆଜି ବି ଚାଲି ପାରିନି ଗୃହ। ଦିନକ ପାଇଁ ଗୃହକୁ ମୁଲତବୀ ରଖାଯାଇଛି। 

Advertisment

ଏହି ଅନାସ୍ଥା ପ୍ରସ୍ତାବକୁ ନେଇ ଆଜି ଗୃହରେ ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଓ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଧନଖଡ଼ କହିଥିଲେ, ମୁଁ ଜଣେ କୃଷକଙ୍କ ପୁଅ। ମୁଁ ନଇଁବି ନାହିଁ। ମୁଁ ମୋ ଦେଶ ପାଇଁ ଜୀବନ ଦେଇ ଦେବି। ଆପଣମାନଙ୍କର (ବିରୋଧୀଙ୍କର) ଦିନରାତି କେବଳ ଗୋଟିଏ ଚିନ୍ତା, କାହିଁକି ଜଣେ କୃଷକଙ୍କ ପୁଅ ଏଠାରେ (ରାଜ୍ୟସଭା ଅଧ୍ୟକ୍ଷ ପଦରେ) ବସିଛନ୍ତି। ମୁଁ ବହୁତ ସହିଲି। ଆପଣମାନେ ପ୍ରସ୍ତାବ ଆଣିପାରିବେ। କିନ୍ତୁ ଆପଣମାନେ ସମ୍ବିଧାନକୁ ଅପମାନିତ କରୁଛନ୍ତି। 

ଅନ୍ୟପକ୍ଷରେ କଂଗ୍ରେସ ମୁଖ୍ୟ ତଥା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କୁ କଡ଼ା ଜବାବ ଦେଇଥିଲେ। ସେ କହିଥିଲେ, ଆପଣ ସେମାନଙ୍କୁ (ବିଜେପି ସାଂସଦ) ଅନ୍ୟ ଦଳଗୁଡ଼ିକର ସଦସ୍ୟଙ୍କ ବିରୋଧରେ କହିବାକୁ ଉତ୍ସାହିତ କରୁଛନ୍ତି।... ମୁଁ ମଧ୍ୟ ଜଣେ ଶ୍ରମିକଙ୍କ ପୁଅ। ମୁଁ ଆପଣଙ୍କଠାରୁ ଅଧିକ ସମସ୍ୟା ଦେଇ ଗତି କରିଛି।... ଆପଣ ଆମ ଦଳର ନେତାମାନଙ୍କୁ ଅପମାନିତ କରୁଛନ୍ତି। ଆପଣ କଂଗ୍ରେସକୁ ଅପମାନିତ କରୁଛନ୍ତି। ଏଠାକୁ ଆମେ ଆପଣଙ୍କ ପ୍ରଶଂସା ଶୁଣିବାକୁ ଆସିନାହୁଁ। ଆମେ ଏଠାକୁ ଆଲୋଚନା କରିବାକୁ ଆସିଛୁ। 

Advertisment

ଧନଖଡ଼ ୧୯୫୧ ମସିହାରେ ରାଜସ୍ଥାନର ଝୁନଝୁନୁର କିଠାନା ଗାଁରେଏକ କୃଷକ ପରିବାରରେ ଜନ୍ମ ହୋଇଥିଲେ। ତାଙ୍କ ବିରୋଧରେ ବିରୋଧୀମାନେ ଅନାସ୍ଥା ପ୍ରସ୍ତାବ ଆଣିବାପରେ ବିଜେପି ପକ୍ଷରୁ ଏହାକୁ ଜାଠ ସଂପ୍ରଦାୟ ଓ ସାଧାରଣ ପୃଷ୍ଠଭୂମିରୁ ଆସିଥିବା ଜଣେ କୃଷକଙ୍କ ପୁଅ ପ୍ରତି ଅସମ୍ମାନ ବୋଲି ଦର୍ଶାଯାଇଛି।