/odisha-reporter/media/post_attachments/uploadimage/library/16_9/16_9_0/Kangana_1717761771.jpg)
Kangana
ନବ ନିର୍ବାଚିତ ବିଜେପି ସାଂସଦ କଙ୍ଗନା ରାଣାୱତଙ୍କୁ ଚଣ୍ଡିଗଡ଼ ଏୟାରପୋର୍ଟରେ ଚାପୁଡ଼ା ମାରି ନିଲମ୍ବିତ ହୋଇଥିବା ସିଆଇଏସଏଫର ମହିଳା କନଷ୍ଟେବଲଙ୍କୁ ସମର୍ଥନ ଘୋଷଣା କରିଛନ୍ତି ଏକାଧିକ ଚାଷୀ ସଂଗଠନ।
ଚାପୁଡ଼ା ମାରିବା ଘଟଣା ସାମ୍ନାକୁ ଆସିବା ପରେ କୁଲୱିନ୍ଦର କୌରଙ୍କୁ ନିଲମ୍ବିତ କରାଯିବା ସହ ଗିରଫ କରାଯାଇଛି। ଏହା ବିରୋଧରେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଘୋଷଣା କରିଛନ୍ତି।
ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଜୁନ ୯ ତାରିଖରେ ପଞ୍ଜାବର ମୋହାଲିରେ ଇନସାଫ ବା ନ୍ୟାୟ ଶୋଭାଯାତ୍ରା କରାଯିବ। କନଷ୍ଟେବଲ କୌରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ସେମାନେ ଦାବି କରିଛନ୍ତି। ଏଥିସହ କ’ଣ ପାଇଁ ଏୟାରପୋର୍ଟରେ ଚାପୁଡ଼ା ମରା ଘଟଣା ଘଟିଲା, ତା’ର ଉପଯୁକ୍ତ ତଦନ୍ତ କରିବାକୁ ମଧ୍ୟ ଚାଷୀମାନେ କହିଛନ୍ତି।
ହିମାଚଳ ମଣ୍ଡିରୁ ପ୍ରଥମଥର ପାଇଁ ଲୋକସଭା ନିର୍ବାଚନ ଜିତିଥିବା କଙ୍ଗନା ଗୁରୁବାର ଅଭିଯୋଗ କରିଥିଲେ ଯେ ସେ ଦିଲ୍ଲୀ ଫେରିବା ପାଇଁ ଚଣ୍ଡିଗଡ଼ ଏୟାରପୋର୍ଟରେ ପହଞ୍ଚିଥିଲେ। ତେବେ ସୁରକ୍ଷା ଯାଞ୍ଚ ପରେ ସେ ଭିତରକୁ ଯାଉଥିବା ବେଳେ ତାଙ୍କୁ ମହିଳା କନଷ୍ଟେବଲ କୌର ଚାପୁଡ଼ା ମାରିବା ସହ ଦୁର୍ବ୍ୟବହାର କରିଥିଲେ। ଚାଷୀ ଆନ୍ଦୋଳନ ବେଳେ ପଞ୍ଜାବର ମହିଳାଙ୍କ ପ୍ରତି କଙ୍ଗନା ଅସଭ୍ୟ ବୟାନ ଦେଇଥିବାରୁ କୌର ତାଙ୍କୁ ଚାପୁଡ଼ା ମାରିଥିଲେ ବୋଲି ଜଣାପଡ଼ିଛି।
ଘଟଣା ପରେ ୩୫ ବର୍ଷୀୟ କନଷ୍ଟେବଲଙ୍କ ଗୋଟିଏ ଭିଡିଓ ସାମ୍ନାକୁ ଆସିଥିଲା। ଏଥିରେ ସେ କହୁଛନ୍ତି ଯେ “ମୋ ମା’ ଚାଷୀମାନେ କରୁଥିବା ଆନ୍ଦୋଳନରେ ସାମିଲ ହୋଇଥିଲେ। କଙ୍ଗନା କହିଥିଲେ ଯେ ମହିଳାମାନେ ୧୦୦ରୁ ୨୦୦ ଟଙ୍କା ନେଇ ଆନ୍ଦୋଳନ କରୁଛନ୍ତି। ଏହା ମୋ ମା’ଙ୍କ ପ୍ରତି ଅପମାନ ଥିଲା।”
ଶୁକ୍ରବାର ଚାଷୀ ସଂଗଠନ ସଂଯୁକ୍ତ କିଷାନ ମୋର୍ଚ୍ଚା ଓ କିଷାନ ମଜଦୁର ମୋର୍ଚ୍ଚା ଖୋଲାଖୋଲି ଭାବେ କୌରଙ୍କ ସମର୍ଥନ କରିଛନ୍ତି। ସଂଯୁକ୍ତ କିଷାନ ମୋର୍ଚ୍ଚାର ନେତା ଜଗଜିତ ସିଂହ ଡାଲ୍ଲେୱାଲ ଓ କିଷାନ ମଜଦୁର ସଂଘର୍ଷ କମିଟିର ସାଧାରଣ ସମ୍ପାଦକ ସରୱାନ ସିଂହ ପାନ୍ଧେର ମିଳିତ ଭାବେ ଏହି ପ୍ରସଙ୍ଗରେ ପଞ୍ଜାବ ଡିଜିପି ଗୌରବ ଯାଦବଙ୍କୁ ଭେଟିବାକୁ ଯୋଜନା କରିଛନ୍ତି।
ସେମାନେ ଡିଜିପିଙ୍କୁ ଭେଟି ଘଟଣା ନିରପେକ୍ଷ ଓ ଉପଯୁକ୍ତ ତଦନ୍ତ ପାଇଁ ଦାବି କରିବେ। ଏଥିସହ ମୋହାଲିରୁ ନ୍ୟାୟ ଶୋଭାଯାତ୍ରା କରି ଏସ୍ପି ଅଫିସରେ ପହଞ୍ଚିବେ। ଯେମିତି କୌରଙ୍କ ପ୍ରତି କୌଣସି ଅନ୍ୟାୟ ନ ହେବ, ତା’କୁ ନିଶ୍ଚିତ କରିବା ପାଇଁ ଚାଷୀମାନେ ଏପରି ପଦକ୍ଷେପ ନେବାକୁ ଯାଉଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
