ଚାଷୀଙ୍କ ମାସିକ ଆୟ ମାତ୍ର ୪,୫୦୦ ଟଙ୍କା, ଗୋଟିଏ ଡିନର ଡେଟ୍‌ର ଖର୍ଚ୍ଚ ଠାରୁ ମଧ୍ୟ କମ

କୃଷି କ୍ଷେତ୍ରରୁ ଅଧିକାଂଶ ଚାଷୀ ମାସିକ ମାତ୍ର ୪,୪୭୬ ଟଙ୍କା ଆୟ କରୁଛନ୍ତି। ଗୋଟିଏ ପରିବାର ସନ୍ଧ୍ୟାରେ ବୁଲାବୁଲି କରିବା ବେଳେ ଖର୍ଚ୍ଚ କରୁଥିବା ଟଙ୍କା କିମ୍ବା ଅନେକ ଲୋକ ଗୋଟିଏ ଡିନର ଡେଟରେ ଖର୍ଚ୍ଚ କରୁଥିବା ଟଙ୍କା ଠାରୁ ଚାଷୀଙ୍କ ମାସିକ ଆୟ ଯଥେଷ୍ଟ କମ।

representational image

  • Published: Tuesday, 10 December 2024
  • , Updated: 10 December 2024, 04:30 PM IST

ଯେତେବେଳେ ସମାଲୋଚକ ଚାଷୀଙ୍କ ଟିକସ ମୁକ୍ତ ଆୟ ଓ ବଡ଼ ଗାଡ଼ିକୁ ଟାର୍ଗେଟ କରୁଛନ୍ତି ସେତେବେଳେ ସେମାନେ ତଥ୍ୟ ଠାରୁ ବହୁତ ଦୂରରେ ରହିଥିବା ସ୍ପଷ୍ଟ ହୋଇଛି। କାରଣ ଭାରତର ଅଧିକାଂଶ ଚାଷୀ ଅତ୍ୟନ୍ତ କଷ୍ଟର ସହ ଜୀବନ ବିତାଉଛନ୍ତି। ଓଳିଏ ଖାଇଲେ, ସେମାନଙ୍କ ପାଖରେ ଆର ଓଳିକୁ ଖାଇବାକୁ ରହୁନାହିଁ।

ନିକଟରେ ନାବାର୍ଡ ପକ୍ଷରୁ ପ୍ରକାଶିତ ରିପୋର୍ଟ ‘ଭାରତର ଚାଷୀଙ୍କ ଆୟ’ ତା’ର ପର୍ଦ୍ଦାଫାସ କରିଛି। କୃଷି କ୍ଷେତ୍ରରୁ ଅଧିକାଂଶ ଚାଷୀ ମାସିକ ମାତ୍ର ୪,୪୭୬ ଟଙ୍କା ଆୟ କରୁଛନ୍ତି। ଗୋଟିଏ ପରିବାର ସନ୍ଧ୍ୟାରେ ବୁଲାବୁଲି କରିବା ବେଳେ ଖର୍ଚ୍ଚ କରୁଥିବା ଟଙ୍କା କିମ୍ବା ଅନେକ ଲୋକ ଗୋଟିଏ ଡିନର ଡେଟରେ ଖର୍ଚ୍ଚ କରୁଥିବା ଟଙ୍କା ଠାରୁ ଚାଷୀଙ୍କ ମାସିକ ଆୟ ଯଥେଷ୍ଟ କମ।

ଆମକୁ ବୁଝିବାକୁ ପଡ଼ିବ ଯେ ପଞ୍ଜାବୀ ଗୀତରେ ଚାଷୀମାନେ ଚଲାଉଥିବା ବଡ଼ବଡ଼ ଗାଡ଼ି କେବଳ ଗୋଟିଏ କଳ୍ପନା। ଦେଶର ଲକ୍ଷାଧିକ ଚାଷୀଙ୍କ ପାଖରେ ଖୁବ କମ ପରିମାଣର ଜମି ରହିଛି କିମ୍ବା ସେମାନଙ୍କ ପାଖରେ ଆଦୌ ଚାଷ ଜମି ନାହିଁ। ସେମାନେ କୃଷି କ୍ଷେତ୍ରରୁ ଆୟ କରୁଥିବା ଟଙ୍କାରେ ସେମାନଙ୍କ ଘରକୁ ମଧ୍ୟ ଠିକ ଭାବେ ଚଳାଇ ପାରୁ ନାହାନ୍ତି।

ନାବାର୍ଡ କରିଥିବା ସର୍ଭେରୁ ଜଣାପଡ଼ିଛି ଯେ କୃଷି କ୍ଷେତ୍ର ସହ ଜଡ଼ିତ ପରିବାରର ମାସିକ ଆୟ ହାରାହାରି ୧୩,୬୬୧ ଟଙ୍କା (ଉଭୟ କୃଷି ଓ ଅଣ କୃଷି)। ଏହା ମଧ୍ୟରୁ ସେମାନେ କେବଳ ୧୯୫୧ ଟଙ୍କା ମାସିକ ସଂଚୟ କରିପାରୁଛନ୍ତି। ଏହାର ଅର୍ଥ ଦୈନିକ ସଂଚାୟର ପରିମାଣ ମାତ୍ର ୬୫ ଟଙ୍କା।

ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିପାରେ। କିନ୍ତୁ ଚାଷୀମାନେ କେବଳ କୃଷି କ୍ଷେତ୍ରରୁ ମାସିକ ୪,୪୭୬ ଟଙ୍କା ଆୟ କରୁଛନ୍ତି। ମାସିକ ଆୟର ଏହା ୩୩%। ଏହାର ଅର୍ଥ ଚାଷ କରୁଥିବା ପରିବାର ନିଜ ଫସଲରୁ ଦୈନିକ କେବଳ ୧୫୦ ଟଙ୍କା ପାଉଛନ୍ତି।

ଉଭୟ କୃଷି ଓ ଅଣ କୃଷି ଆୟକୁ ମିଶାଇଲେ ଚାଷୀ ମାସିକ ୧୩,୬୬୧ ଟଙ୍କା ଆୟ କରୁଛି। ତା’ର ଦୈନିକ ଆୟ ୪୪୫ ଟଙ୍କା। ସରକାର ଅଣ ସଂଗଠିତ ଶ୍ରମିକଙ୍କୁ ଦୈନିକ ୭୮୩ ଟଙ୍କା ମିଳିବ ବୋଲି ନିୟମ କରିଛନ୍ତି। ହେଲେ ଚାଷୀ ଏହା ଠାରୁ ଯଥେଷ୍ଟ କମ ଟଙ୍କା ରୋଜଗାର କରୁଛି।

ନାବାର୍ଡ ତା’ ରିପୋର୍ଟରେ ଆହୁରି କହିଛି ଯେ ୨୦୨୧-୨୨ରେ ଚାଷୀ ପରିବାର ସବୁ ସୂତ୍ରରୁ ମୋଟ ୧୩,୬୬୧ ଟଙ୍କା ପାଉଛି। ଏହା ମଧ୍ୟରୁ ୧୧,୭୧୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ କେବଳ ୧୯୫୧ ଟଙ୍କା ସେଭିଂ ହେଉଛି।

କୃଷି କ୍ଷେତ୍ରରୁ ଆବଶ୍ୟକ ଆୟ ହେଉ ନଥିବାରୁ ଚାଷୀମାନେ ପଶୁ ପାଳନ(୧୨%), ଦିନ ମଜୁରିଆ(୧୬%), ସରକାରୀ ଓ ଘରୋଇ ଚାକିରି(୨୩%) ଓ ଅନ୍ୟ ଉଦ୍ୟୋଗ(୧୫%) ଉପରେ ନିର୍ଭର କରି ଆୟ କରିବାକୁ ବାଧ୍ୟ ହେଉଛନ୍ତି।

ନାବାର୍ଡ ପକ୍ଷରୁ ୩୦ଟି ରାଜ୍ୟର ୭୧୦ ଜିଲ୍ଲାରେ ସର୍ଭେ କରାଯାଇ ଏପରି ରିପୋର୍ଟ ପ୍ରକାଶ କରାଯାଇଛି।

ଚାଷୀଙ୍କ ପାଖରେ କେତେ ଟ୍ରାକ୍ଟର ଓ ଜମି ରହିଛି?

ଭାରତର ସବୁଜ ବିପ୍ଳବ ବେଳେ ଟ୍ରାକ୍ଟର ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଟ୍ରାକ୍ଟର ଚାଷୀଙ୍କ ପ୍ରତୀକ ଭାବେ ଉଭା ହୋଇଛି। ହେଲେ ନାବାର୍ଡ ସର୍ଭେରୁ ଜଣାପଡ଼ିଛି ଯେ ଚାଷ କାମ କରୁଥିବା ଲୋକଙ୍କ ମଧ୍ୟରୁ କେବଳ ୯.୧%ଙ୍କ ପାଖରେ ନିଜସ୍ୱ ଟ୍ରାକ୍ଟର ରହିଛି। ତେବେ ୬୧.୩% ପରିବାର ପଶୁପାଳନ କରୁଛନ୍ତି। ଦେଶର ଅଧିକାଂଶ ଚାଷୀ ଏବେ ବି ବଳଦ ଓ ଗଧ ଦ୍ୱାରା ଚାଷ କାମ କରୁଛନ୍ତି।

୨୦୧୬-୨୦୧୭ ତୁଳନାରେ ଚାଷ ଜମିର ପରିମାଣ ହ୍ରାସ ପାଇଛି। ୨୦୧୬-୧୭ରେ ଚାଷୀଙ୍କ ପାଖରେ ହାରାହାରି ୧.୦୮ ହେକ୍ଟର ଜମି ରହିଥିଲା। କିନ୍ତୁ ୨୦୨୧-୨୨ ବେଳକୁ ଏହା ୦.୭୪ ହେକ୍ଟରକୁ ଖସି ଆସିଛି।

କ’ଣ ଦେଶର ସବୁ ଚାଷୀ ଗରିବ?

ଏହାର ଉତ୍ତର ହେଉଛି ନା। ଦେଶରୁ ସବୁ ଚାଷୀ ଗରିବ ନୁହନ୍ତି। କିନ୍ତୁ ଅଧିକାଂଶ ଚାଷୀ ଗରିବ। ଅନେକ କାରଣ ପାଇଁ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଗରିବ ହୋଇ ରହିଛନ୍ତି। ସେମାନଙ୍କ ପାଖରେ ଜମି ନାହିଁ। ମାର୍କେଟରେ ଫସଲର ଦାମ ହ୍ରାସ, ଋଣ ବୋଝ ଓ ଟେକ୍ନୋଲୋଜି ହାସଲ କରିବାରେ ବିଫଳତା ଯୋଗୁ ସେମାନଙ୍କ ଆୟ ବଢ଼ିପାରୁନି।

ଦେଶର ପ୍ରାୟ ୨୦% ଚାଷୀ ବିପିଏଲ ବର୍ଗରେ ରହିଥିବା ୨୦୨୦ରେ ବିଶ୍ୱ ବ୍ୟାଙ୍କ ତଥ୍ୟ ଦେଇଥିଲା। ସେହିପରି ବାର୍ଷିକ ୨୫ ଲକ୍ଷରୁ ଅଧିକ ଆୟ କରୁଥିବା ଚାଷୀଙ୍କ ସଂଖ୍ୟା ମାତ୍ର ୮%। ବାକି ଚାଷୀ ଓ ସେମାନଙ୍କ ଆୟ ଯଥେଷ୍ଟ ନୁହେଁ। ଦେଶର ୮୫% ଚାଷୀଙ୍କ ପାଖରେ ୫ ଏକର କିମ୍ବା ତା’ ଠାରୁ କମ ଚାଷ ଜମି ରହିଛି।

Related story