/odisha-reporter/media/media_files/2026/01/02/iaf-2026-01-02-14-46-50.jpg)
ଯୋଗେଶ (ଫାଇଲ ଫଟୋ)
ନିଜ ଜନ୍ମ କଲା ବାପାଙ୍କ ଜୀବନ ନେଇ ଯାଇଛନ୍ତି ଦୁଇ ପୁଅ। ସାମାନ୍ୟ ସମ୍ପତ୍ତି ପାଇଁ ଦୁଇ ପୁଅ ସୁପାରୀ କିଲରଙ୍କ ସହାୟତାରେ ବାପାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ଗୁଳି କରି ହତ୍ୟା( Murder) କରିଛନ୍ତି। ଦୁଇ ପୁଅ ରହୁଥିବା ଘର ଖାଲି କରିବାକୁ ବାପା କହିବାରୁ ସେମାନେ ଏପରି କାଣ୍ଡ ଘଟାଇଥିବା ପୁଲିସ୍ ସ୍ପଷ୍ଟ କରିଛି।
୫ ଦିନ ତଳେ ବାୟୁ ସେନାର ଜଣେ ଅବସରପ୍ରାପ୍ତ ବ୍ୟକ୍ତିଙ୍କୁ ବିଚ ରାସ୍ତାରେ ଗୁଳି କରି ହତ୍ୟା କରାଯାଇଥିଲା। ଏହି ହତ୍ୟା ପଛରେ ବ୍ୟକ୍ତିଙ୍କ ଦୁଇ ପୁଅ ରହିଥିଲେ। ସେମାନେ ଦୁଇ ଜଣ ସୁପାରୀ କିଲରଙ୍କ ଦ୍ୱାରା ବାପାଙ୍କୁ ହତ୍ୟା କରିଥିଲେ। ଦୁଇ ସୁପାରୀ କିଲରଙ୍କ ମଧ୍ୟରେ ଉତ୍ତର ପ୍ରଦେଶ ପୁଲିସ୍ର ଜଣେ କନଷ୍ଟେବଲ ମଧ୍ୟ ରହିଥିବା ପୁଲିସ୍ ଆଜି କହିଛି।
ଡିସେମ୍ବର ୨୬ରେ ଅବସରପ୍ରାପ୍ତ ବାୟୁ ସେନା କର୍ମଚାରୀ ଯୋଗେଶ(୫୮)ଙ୍କୁ ବିଚ ରାସ୍ତାରେ ଦୁଇ ଜଣ ବାଇକଧାରୀ ବ୍ୟକ୍ତି ଗୁଳି କରି ହତ୍ୟା କରିଥିଲେ। ଲୋନି ଅଞ୍ଚଳରେ ଥିବା ଅଶୋକ ବିହାରୀ କଲୋନୀ ସ୍ଥିତ ଘରକୁ ସେ ଆସୁଥିବା ବେଳେ ତାଙ୍କ ସହ ଏପରି ଘଟଣା ଘଟିଥିଲା।
ପୁଲିସ୍ କହିଛି ଯେ ଯୋଗେଶ ଗାଜିଆବାଦ ସ୍ଥିତ ଘରକୁ ନିଜର ଦୁଇ ପୁଅଙ୍କ ପାଖରୁ ଆଣିବାକୁ ଚାହୁଁଥିଲେ। ଏଥିପାଇଁ ସେ ଦୁଇ ପୁଅଙ୍କୁ ଘର ଖାଲି କରିବାକୁ କହିଥିଲେ। ହେଲେ ସମ୍ପତ୍ତି ହାତେଇବା ଲୋଭରେ ଦୁଇ ପୁଅ ନିଜ ଜନ୍ମ କଲା ବାପାଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର କରିଥିଲେ।
ଦୁଇ ପୁଅ ଏଥିପାଇଁ ୩୨ ବର୍ଷୀୟ କଣ୍ଟ୍ରାକ୍ଟ କିଲର ଅରବିନ୍ଦକୁ ଠିକ କରିଥିଲେ। ଅରବିନ୍ଦ ନିଜର ସମ୍ପର୍କୀୟ ନବୀନଙ୍କ ସହ ଯୋଗେଶଙ୍କୁ ହତ୍ୟା କରିବାକୁ ରାଜି ହୋଇଥିଲା। ନବୀନ ହେଉଛି ଜଣେ କନଷ୍ଟେବଲ। ସେ ଉତ୍ତର ପ୍ରଦେଶର କୌଶମ୍ଭୀ ଜିଲ୍ଲାରେ କାର୍ଯ୍ୟ କରେ।
ନବୀନ ହିଁ ଘଟଣା ଦିନ ଯୋଗେଶଙ୍କୁ ବିଚ ରାସ୍ତାରେ ଗୁଳି ମାଡ଼ କରିଥିଲା ବୋଲି ପୁଲିସ କହିଛି। ଘଟଣାର ତଦନ୍ତ କରି ପୁଲିସ୍ ପ୍ରଥମେ ଅରବିନ୍ଦକୁ ଉଠାଇ ନେଇଥିଲା। ଜେରା ବେଳେ ସେ ଓ ନବୀନ ବିଚ ରାସ୍ତାରେ ଯୋଗେଶଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିବା ସ୍ୱୀକାର କରିଛି।
ବୁଧବାର ସନ୍ଧ୍ୟାରେ ପୁଲିସ୍ ଅରବିନ୍ଦକୁ ଗିରଫ କରି ଗାଜିଆବାଦ ସ୍ଥିତ ମାଜିଷ୍ଟ୍ରେଟ କୋର୍ଟରେ ହାଜର କରିଥିଲା। କୋର୍ଟ ତାକୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।
ତା’ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ୨ଟି ଜୀବନ୍ତ କାଟ୍ରିଜ ଓ କିଛି ବ୍ୟବହୃତ କାଟ୍ରିଜ ପୁଲିସ୍ ଜବତ କରିଛି। ଅରବିନ୍ଦ ଗିରଫ ହୋଇଥିଲେ ହେଁ ଯୋଗେଶଙ୍କ ଦୁଇ ପୁଅ ଓ କନଷ୍ଟେବଲ ନବୀନ ଫେରାର ରହିଛନ୍ତି। ସେମାନଙ୍କୁ ଧରିବା ପାଇଁ ପୁଲିସ୍ ବିଭିନ୍ନ ସ୍ଥାନରେ ରେଡ ଜାରି ରଖିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
