Advertisment

ବାପା ପାଲଟିଗଲା ରାକ୍ଷାସ; ଗରମ ଚିମୁଟାରେ ଦୁଇ ଛୁଆଙ୍କୁ ଦେଲା ଚେଙ୍କ

ସମ୍ପୃକ୍ତ ବ୍ୟକ୍ତିଙ୍କୁ ତାଙ୍କ ପତ୍ନୀ ଛାଡ଼ି ଚାଲି ଯାଇଥିବା ବେଳେ ପିଲା ଦୁଇ ଜଣଙ୍କୁ ଘରେ ଛାଡ଼ି ଦେଇ ଯାଇଛନ୍ତି। ବ୍ୟକ୍ତିଜଣକ ଗତ ରାତିରେ ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ଘଟାଇଲେ ନାରକୀୟ କାଣ୍ଡ।

author-image
Niharika Rout
Torture

Torture

ନିଶାସକ୍ତ ବାପା ପାଲଟିଗଲା ରାକ୍ଷାସ । ଯେଉଁ ବାପା ନିଜ ପିଲାଙ୍କ ପାଇଁ ସୁରକ୍ଷା କବଚ ପାଲଟିବା କଥା ସେ ଦେଲା ଭୟଙ୍କର ନିର୍ଯାତନା । କଥା କହି ଶିଖି ନ ଥିବା ପିଲାଙ୍କୁ ଗରମ ଚିମୁଟାରେ ଚେଙ୍କ ଦେଇ ଚାଲିଲା ବାପା। ଅସହ୍ୟ ଯନ୍ତ୍ରଣାରେ ଛଟପଟ ପିଲାଙ୍କ ଆର୍ତ୍ତ ଚିତ୍କାର ବି ବାପାର ହୃଦୟକୁ ତରଳାଇ ପାରିଲାନି। ଶେଷରେ ଦୁଇ ଶିଶୁଙ୍କୁ ଗୁରୁତର ଅବସ୍ଥାରେ ଚାଇଲ୍ଡ ଲାଇନ୍‌ ଦ୍ୱାରା ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisment

ଏପରି ଏକ ଲୋମହର୍ଷଣକାରୀ ଘଟଣା ରାଜସ୍ଥାନର ଧୌଲପୁରରେ ଘଟିଛି। ଗୁରୁତର ଦୁଇ ଶିଶୁ କନ୍ୟାଙ୍କ ବୟସ ୨ ରୁ ୩ ବର୍ଷ ମଧ୍ୟରେ ବୋଲି ଜଣାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏପରି ସାଂଘାତିକ ଘଟଣା ଘଟିଛି।

ଅତ୍ୟଧିକ ନିଶା ସେବନ କାରଣରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ତାଙ୍କ ପତ୍ନୀ ଛାଡ଼ି ଚାଲି ଯାଇଛନ୍ତି । ମାତ୍ର ଦୁଇ ଛୁଆଙ୍କୁ ସେ ନିଜ ସହ ନେଇ ନାହାନ୍ତି। ପିଲା ଦୁଇ ଜଣ ଘରେ ରହୁଥିବା ବେଳେ ବ୍ୟକ୍ତିଜଣକ ଗତ ରାତିରେ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ।

Advertisment

ପିଲାମାନେ କୌଣସି କାରଣରୁ ଅଝଟ କରିବାରୁ ବ୍ୟକ୍ତିଜଣକ ନିଜ ହିତାହିତ ଜ୍ଞାନ ହରାଇ ବସିଥିଲେ। ଏପରକି ସେ ଚିମୁଟାକୁ ଗରମ କରି ପିଲା ଦୁଇ ଜଣଙ୍କୁ ବାରମ୍ବାର ଚେଙ୍କ ଦେବାକୁ ପଛାଇଲେ ନାହିଁ। ପିଲା ଦୁଇ ଜଣ ଖୁବ୍‌ ଜୋରରେ କାନ୍ଦିବା ସତ୍ତ୍ୱେ ତାଙ୍କ ମନ ବଦଳି ନ ଥିଲା। ଶେଷରେ ଚିତ୍କାର ଶୁଣି ପାଖପଡ଼ୋଶୀ ଆସିବାରୁ ବ୍ୟକ୍ତିଜଣକ ଫେରାର ହୋଇ ଯାଇଥିଲେ।

ଖବର ପାଇ ଚାଇଲ୍ଡ ଲାଇନ୍‌ କର୍ତ୍ତୃପକ୍ଷ ଓ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ତୁରନ୍ତ ପିଲା ଦୁଇଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କ ଚିକିତ୍ସା ଚାଲିଥିବା ବେଳେ ଅବସ୍ଥା ଗୁରୁତର ରହିଛି। ସୁସ୍ଥ ହେବା ପରେ ପିଲା ଦୁଇଜଣଙ୍କୁ ଶିଶୁ ଗୃହରେ ରଖାଯିବ ବୋଲି ଅଧିକାରୀ କହିଛନ୍ତି ।

ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କୁ ଧରିବାକୁ ବିଭିଦନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ତେବେ ରିପୋର୍ଟ ଲେଖା ହେବା ସୁଦ୍ଧା ସେ ଗିରଫ ହୋଇ ନ ଥିବା ଜଣାଯାଇଛି।

Rajasthan Torture;