Advertisment

ଓଡ଼ିଶା ଟ୍ରେନ ଟ୍ରାଜେଡି: ଖୋଜି ଖୋଜି ଶବାଗାରରୁ ଜୀବିତ ପୁଅକୁ ଠାବ କଲେ ବାପା

ଶୁକ୍ରବାର ଦୁର୍ଘଟଣା ଗ୍ରସ୍ତ ହୋଇଥିବା କରମଣ୍ଡଳ ଏକ୍ସପ୍ରେସରେ ରହିଥିଲେ ପଶ୍ଚିମବଙ୍ଗର ୨୪ ବର୍ଷୀୟ ବିଶ୍ୱଜିତ ମଲିକ। ତାଙ୍କ ବାପା ହେଲାରାମ ହାୱାଡାରେ ଗୋଟିଏ ଦୋକାନର ମାଲିକ।

author-image
Hemant Lenka
Train Accident

Train Accident

ବାପାର ଜିଦ ଓ ଦୃଢ଼ମନା ଆଗରେ ହାର ମାନିଛି ମୃତ୍ୟୁ। ଓଡ଼ିଶାର ବାଲେଶ୍ୱର ଟ୍ରେନ ଟ୍ରାଜେଡିରେ ପୁଅ ମରି ସାରିଛି ବୋଲି ସମସ୍ତେ କହୁଥିଲେ ହେଁ ବାପା ମନ କିନ୍ତୁ ଏହାକୁ ମାନି ନଥିଲା। ଭେଣ୍ଡିଆ ପୁଅ ତାଙ୍କୁ କେବେ ହେଲେ ଏକା କରି ଯାଇ ପାରିବ ନାହିଁ ବୋଲି ତାଙ୍କର ବିଶ୍ୱାସ ଥିଲା।

Advertisment

ଶେଷରେ ଏହି ବିଶ୍ୱାସ ସତ ମଧ୍ୟ ହୋଇଛି। ଶବାଗାରରେ ପଡ଼ି ରହିଥିବା ଶହଶହ ମୃତଦେହ ଭିତରୁ ନିଜ ପୁଅକୁ ଜୀବିତ ଅବସ୍ଥାରେ ଠାବ କରିବାକୁ ବାପା ଜଣଙ୍କ ସକ୍ଷମ ହୋଇଛନ୍ତି। ତେବେ ପୁଅର ଅବସ୍ଥା ଏବେ ବି ଅତ୍ୟନ୍ତ ସଙ୍କଟାପନ୍ନ ରହିଛି।

ଶୁକ୍ରବାର ଦୁର୍ଘଟଣା ଗ୍ରସ୍ତ ହୋଇଥିବା କରମଣ୍ଡଳ ଏକ୍ସପ୍ରେସରେ ରହିଥିଲେ ପଶ୍ଚିମବଙ୍ଗର ୨୪ ବର୍ଷୀୟ ବିଶ୍ୱଜିତ ମଲିକ। ତାଙ୍କ ବାପା ହେଲାରାମ ହାୱାଡାରେ ଗୋଟିଏ ଦୋକାନର ମାଲିକ। ସେ ଶୁକ୍ରବାର ଶାଲିମାର ଷ୍ଟେସନରେ ନିଜେ ପୁଅ ବିଶ୍ୱଜିତଙ୍କୁ କରମଣ୍ଡଳ ଟ୍ରେନରେ ବସାଇଥିଲେ। ତେବେ ଏହାର କିଛି ଘଣ୍ଟା ପରେ ତାଙ୍କ ପାଖରେ କରମଣ୍ଡଳ ଏକ୍ସପ୍ରେସ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଖବର ପହଞ୍ଚି ଥିଲା। 

Advertisment

ସେ ପୂରା ବ୍ୟସ୍ତ ହୋଇ ପୁଅ ବିଶ୍ୱଜିତଙ୍କୁ ଫୋନ କରିଥିଲେ। ଏକାଧିକ ରିଙ୍ଗ ପରେ ଜଣେ କେହି ଏହାକୁ ଉଠାଇଥିଲେ ଓ ବିଶ୍ୱଜିତ ଜୀବିତ ଥିଲେ ହେଁ ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି ବୋଲି ସୂଚନା ଦେଇଥିଲେ। ଏହା ଶୁଣିବା ପରେ ସେ ଆଉ ବିଳମ୍ବ କରି ନଥିଲେ।

ସ୍ଥାନୀୟ ଅଞ୍ଚଳରେ ରହୁଥିବା ଆମ୍ବୁଲାନ୍ସ ଡ୍ରାଇଭର ପଲାଶ ପଣ୍ଡିତଙ୍କୁ ଡାକିଥିଲେ ଓ ସମ୍ପର୍କୀୟ(ଶାଳକ) ଦୀପକ ଦାସଙ୍କୁ ସାଙ୍ଗରେ ଧରି ଘର ଠାରୁ ୨୩୦ କିମି ଦୂର ବାଲେଶ୍ୱର ଅଭିମୁଖେ ବାହାରି ଥିଲେ। ସେମାନେ ଦୁର୍ଘଟଣା ସ୍ଥଳ ଠାରୁ ଆରମ୍ଭ କରି ବିଭିନ୍ନ ହସ୍ପିଟାଲରେ ଖୋଜା ଖୋଜି କରିଥିଲେ ହେଁ ବିଶ୍ୱଜିତଙ୍କୁ ପାଇ ନଥିଲେ।

ତଥାପି ସେମାନେ ହାର ମାନି ନଥିଲେ। ସେମାନେ ବିଭିନ୍ନ ଲୋକ ଓ ଅଧିକାରୀମାନଙ୍କ ଠାରୁ ବିଶ୍ୱଜିତଙ୍କ ସମ୍ପର୍କରେ ତଥ୍ୟ ମାଗିଥିଲେ। ଏହି ସମୟରେ ଜଣେ ବ୍ୟକ୍ତି କହିଥିଲେ ଯେ ଯଦି ହସ୍ପିଟାଲରେ କେହି ମିଳୁ ନାହାନ୍ତି, ତା’ହେଲେ ବାହାନଗା ହାଇସ୍କୁଲକୁ ଯାଆନ୍ତୁ।

କାରଣ ସେଠାରେ ଶହଶହ ଲୋକଙ୍କ ମୃତଦେହକୁ ରଖାଯାଇଛି। ବିଶ୍ୱଜିତ ସେଠାରେ ନଥିବେ ବୋଲି ହେଲାରାମ ଆଶା କରୁଥିଲେ। ତଥାପି ସେ ସ୍କୁଲରେ ତିଆରି ହୋଇଥିବା ଅସ୍ଥାୟୀ ଶବାଗାରରେ ପହଞ୍ଚି ଥିଲେ।

ପ୍ରଥମେ ସେମାନଙ୍କୁ ମୃତଦେହଗୁଡ଼ିକୁ ଦେଖିବା ପାଇଁ ଅନୁମତି ଦିଆଯାଇ ନଥିଲା। ସେମାନେ ଭିତରକୁ ଯିବାକୁ ଚେଷ୍ଟା କରୁଥିବା ବେଳେ ହଠାତ୍‌ ଜଣେ ପୀଡ଼ିତଙ୍କ ହାତ ହଲୁଥିବା କେହି ଜଣେ କହିଥିଲେ। ହେଲାରାମ ଓ ତାଙ୍କ ଶାଳକ ତୁରନ୍ତ ଏହାକୁ ଦେଖିଥିଲେ ଓ ସେଇଟା ବିଶ୍ୱଜିତଙ୍କ ହାତ ବୋଲି କହିଥିଲେ।

ସେଠାରେ ଉପସ୍ଥିତ ଅଧିକାରୀଙ୍କ ଅନୁମତିକ୍ରମେ ବିଶ୍ୱଜିତଙ୍କୁ ପ୍ରଥମେ ବାଲେଶ୍ୱର ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କୁ କିଛି ଇଞ୍ଜେକସନ ଦିଆଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ହସ୍ପିଟାଲ ପକ୍ଷରୁ ତାଙ୍କୁ କଟକ ମେଡିକାଲ କଲେଜ ହସ୍ପିଟାଲକୁ ରେଫର କରାଯାଇଥିଲା।

ତେବେ ବିଶ୍ୱଜିତଙ୍କ ବାପା ଓ ମାମୁ ଏଥିରେ ରାଜି ହୋଇ ନଥିଲେ। ସେମାନେ ବଣ୍ଡ ପେପରରେ ଦସ୍ତଖତ କରି ତାଙ୍କୁ ପଶ୍ଚିମବଙ୍ଗ ନେଇ ଯାଇଥିଲେ।

ହେଲାରାମଙ୍କ ସହ ଓଡ଼ିଶାରେ ବିଶ୍ୱଜିତଙ୍କୁ ଠାବ କରିବାକୁ ଆସିଥିବା ଆମ୍ବୁଲାନ୍ସ ଡ୍ରାଇଭର ପଲାଶ ପଣ୍ଡିତ କହିଛନ୍ତି, “ଯୁବକ ଜଣଙ୍କ ସଂପୂର୍ଣ୍ଣ ଭାବେ ଚେତାଶୂନ୍ୟ ରହିଥିଲେ। ଆମେ ଘଟଣାର ଘଟିବାର ପରଦିନ ସକାଳ ୮.୩୦ରେ ହାୱାଡାରେ ଥିବା ଏସଏସକେମ ହସ୍ପିଟାଲରେ ପହଞ୍ଚିଥିଲୁ। ତାଙ୍କୁ ଆମ୍ବୁଲାନ୍ସରୁ ଷ୍ଟ୍ରେଚର୍‌ରେ ଭିତରକୁ ନିଆଯାଇଥିଲା।”

ଶନିବାର ଠାରୁ ହସ୍ପିଟାଲରେ ରହିଥିବା ବିଶ୍ୱଜିତଙ୍କ ଚେତା ଏଯାଏ ଫେରିନି। ରବିବାର ତାଙ୍କର ଆଙ୍କେଲ ସର୍ଜରୀ ହୋଇଛି। ସୋମବାର ତାଙ୍କ ଗୋଡ଼ର ଆଉ ଗୋଟିଏ ସର୍ଜରୀ ହେବ। ତାଙ୍କ ଡାହାଣ ହାତର ଏକାଧିକ ହାଡ଼ ଭାଙ୍ଗି ଯାଇଛି।

Odisha Train Accident Train Tragedy