Advertisment

ବାପା ହାରିଲେ, ଝିଅ ଜିତିଲେ

ମହାରାଷ୍ଟ୍ରରେ ୨୮୮ଟି ଆସନରୁ ବିଜେପି ମେଣ୍ଟ ୨୩୪ଟି ବିଜୟ ଲାଭ କରୁଥିବା ସ୍ପଷ୍ଟ ହେଉଛି। ଏହି ମେଣ୍ଟ ୨୨୦ଟି ଆସନରେ ବିଜୟୀ ହୋଇସାରିଥିବା ବେଳେ ୧୪ଟିରେ ଆଗରେ ରହିଛି।

author-image
Jitendra Garnayak
Nawab and Sana

Nawab and Sana

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ମହାୟୁତି ବିପୁଳ ବିଜୟ ହାସଲ କରିଛି। ଏହି ମେଣ୍ଟରେ ଥିବା ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନ୍‌ସିପିରୁ ପ୍ରାର୍ଥୀ ହୋଇଥିବା ଜଣାଶୁଣା ନେତା ନୱାବ ମଲିକ ପରାସ୍ତ ହୋଇଛନ୍ତି। ତେବେ ତାଙ୍କ ଝିଅ ସାନା ମଲିକ ବିଜୟୀ ହୋଇଛନ୍ତି।

Advertisment

ନୱାବ ମଲିକ ମନଖୁର୍ଦ ଶିବାଜୀ ନଗରରୁ ପ୍ରାର୍ଥୀ ହୋଇଥିଲେ। ଏହି ଆସନରେ ବିଜୟୀ ହୋଇଛନ୍ତି ସମାଜବାଦୀ ପାର୍ଟି ନେତା ଅବୁ ଆସୀମ ଆଜମୀ। ସେ ୫୪,୭୮୦ ଖଣ୍ଡ ଭୋଟ ପାଇଛନ୍ତି। ଅନ୍ୟପକ୍ଷରେ ନୱାବ ମଲିକ ମାତ୍ର ୧୫,୫୦୧ ଖଣ୍ଡ ଭୋଟ୍ ପାଇ ଚତୁର୍ଥ ସ୍ଥାନରେ ରହିଛନ୍ତି। ଏହି ଆସନରେ ଏଆଇଏମ୍‌ଆଇଏମ୍‌ ପ୍ରାର୍ଥୀ ଅତୀକ ଅହମଦ ଖାନ ୪୨,୦୨୭ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ନମ୍ବରରେ ରହିଥିବା ବେଳେ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାର ପ୍ରାର୍ଥୀ ସୁରେଶ ପାଟିଲ ୩୫,୨୬୩ ଖଣ୍ଡ ଭୋଟ ପାଇ ୩ ନମ୍ବରରେ ରହିଛନ୍ତି।

ନୱାବ ହାରି ଯାଇଥିଲେ ହେଁ ତାଙ୍କ ଝିଅ ଜିତିଯାଇଛନ୍ତି। ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନ୍‌ସିପି ନୱାବଙ୍କ ଝିଅ ସାନାଙ୍କୁ ଅନୁଶକ୍ତି ନଗର ଆସନରୁ ପ୍ରାର୍ଥୀ କରିଥିଲା। ସେହି ଆସନରେ ସେ ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନ୍‌ସିପିରୁ ପ୍ରାର୍ଥୀ ହୋଇଥିବା ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ ସ୍ୱାମୀ ଫହାଦ ଅହମଦଙ୍କୁ ପରାସ୍ତ କରିଛନ୍ତି।

Advertisment

ଫହାଦଙ୍କୁ ୪୫,୯୬୩ ଖଣ୍ଡ ଭୋଟ୍ ମିଳିଥିବା ବେଳେ ସାନାଙ୍କୁ ୪୯,୩୪୧ ଖଣ୍ଡ ଭୋଟ୍ ମିଳିଛି। ଅର୍ଥାତ୍ ସାନା ୩,୩୭୮ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ଗତ ଅକ୍ଟୋବର ମାସରେ ଫହାଦ ସମାଜବାଦୀ ପାର୍ଟିରୁ ଇସ୍ତଫା ଦେଇ ଶରଦ ପାୱାରଙ୍କ ଏନ୍‌ସିପିରେ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ୨୮୮ଟି ଆସନରୁ ବିଜେପି ମେଣ୍ଟ ୨୩୪ଟି ବିଜୟ ଲାଭ କରୁଥିବା ସ୍ପଷ୍ଟ ହେଉଛି। ଏହି ମେଣ୍ଟ ୨୨୦ଟି ଆସନରେ ବିଜୟୀ ହୋଇସାରିଥିବା ବେଳେ ୧୪ଟିରେ ଆଗରେ ରହିଛି। ଅନ୍ୟପକ୍ଷରେ ଇଣ୍ଡି ମେଣ୍ଟ ୪୫ଟିରେ ଜିତିଥିବା ବେଳେ ୩ଟିରେ ଆଗରେ ରହିଛି। 

NCP Maharastra Election Results