/odisha-reporter/media/media_files/2025/10/02/child-2025-10-02-15-27-01.jpg)
ଗିରଫ ବାପା ମା’
ଯେଉଁ ଛୁଆକୁ ଅନ୍ତ ଚିରି ଜନ୍ମ ଦେଇଥିଲେ, ତା’ ସହ ଘଟାଇଲେ ଜଘନ୍ୟକାଣ୍ଡ। ଜନ୍ମ ହେବାର ୩ ଦିନ ପରେ ନିଜ ଛୁଆକୁ ବାପା ମା’ ଜଙ୍ଗଲରେ ଫିଙ୍ଗି ଦେଲେ। ଜଙ୍ଗଲରେ ଥିବା ଗୋଟିଏ ପଥର ତଳେ ୩ ଦିନର ଛୁଆକୁ ଫିଙ୍ଗି ଦେଇ ଫେରାର ହୋଇଯାଥିଲେ ବାପା ମା’।
ଛୁଆଟିର ବାପା ମା’ ଉଭୟ ପ୍ରାଥମିକ ସ୍କୁଲର ଶିକ୍ଷକ। ହେଲେ ସେମାନେ ୪ର୍ଥ ସନ୍ତାନ ଯୋଗୁ ସରକାରୀ ଚାକିରି ହରାଇବା ଭୟରେ ଏପରି କାଣ୍ଡ ଘଟାଇଥିବା ଜଣାପଡ଼ିଛି। ମଧ୍ୟପ୍ରଦେଶ(Madhya Pradesh)ର ଚିଣ୍ଡୱାରାରୁ ଏପରି ଘଟଣା ସାମ୍ନାକୁ ଆସିଛି।
ପୂରା ଘଟଣା ନନ୍ଦନୱାଡି ଗାଁରେ ଘଟିଛି। ରୋଡ ଘାଟ ନିକଟ ଜଙ୍ଗଲର ଗୋଟିଏ ପଥର ତଳେ ନବଜାତ ପଡ଼ି ରହିଥିବା ପ୍ରଥମେ ସେହି ବାଟେ ଯାଉଥିବା ଜଣେ ଲୋକ ଦେଖିବାକୁ ପାଇଥିଲେ। ପିଲାଟିକୁ ଏଭଳି ଅବସ୍ଥାରେ ଦେଖି ସେ ତୁରନ୍ତ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଛୁଆଟିକୁ ଉଦ୍ଧାର କରିଥିଲେ। ପ୍ରଥମେ ନବଜାତଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।
ତଦନ୍ତରୁ ଜଣାପଡ଼ିଛି ଯେ ପିଲାଟିର ବାପା ମା’ ହେଉଛନ୍ତି ବବୁଲ ଡୋଣ୍ଡଲିୟା ଓ ରାଜକୁମାରୀ ଡୋଣ୍ଡଲିଲା। ଉଭୟ ୨୦୦୯ରୁ ପ୍ରାଥମିକ ସରକାରୀ ସ୍କୁଲର ତୃତୀୟ ଶ୍ରେଶୀର ଶିକ୍ଷକ ଭାବେ କାମ କରନ୍ତି। ପୁଲିସ୍ ସେମାନଙ୍କ ପାଖରେ ପହଞ୍ଚିବା ପରେ ଉଭୟ ନିଜର ଭୁଲକୁ ସ୍ୱୀକାର କରିଛନ୍ତି।
ସେମାନଙ୍କ କହିବା କଥା ଯେ ପୂର୍ବରୁ ଦମ୍ପତିଙ୍କ ୩ ଜଣ ସନ୍ତାନ ଥିଲେ। ଏବେ ରାଜକୁମାରୀ ୪ର୍ଥ ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ୪ର୍ଥ ସନ୍ତାନ ପାଇଁ ଉଭୟ ସରକାରୀ ଚାକିରି ହରାଇବାର ଆଶଙ୍କା କରିଥିଲେ। ଖାସ ଏଥିପାଇଁ ସେମାନେ ନିଜ ଜନ୍ମ କଲା ଛୁଆ ସହ ଏପରି କାଣ୍ଡ ଘଟାଇବା ପୁଲିସ୍କୁ କହିଛନ୍ତି।
ବଟକାଖାପା ଥାନା ଇନଚାର୍ଜ ଅନୀଲ ରାଠୋର କହିଛନ୍ତି, “ବାପା ଜଣଙ୍କ ସ୍ୱୀକାର କରିଛନ୍ତି ଯେ ସେ ଚାକିରି ହରାଇବା ପରେ ନବଜାତକୁ ପଥର ତଳେ ପୋତି ଦେଇଥିଲେ। ତାଙ୍କର ପୂର୍ବରୁ ୩ ଜଣ ପିଲା ରହିଛନ୍ତି। ସେମାନଙ୍କ ବୟସ ଯଥାକ୍ରମେ ୧୧, ୭ ଓ ୪। ଦମ୍ପତି ୧୧ ବର୍ଷୀୟ ଓ ୭ ବର୍ଷର ଝିଅ ସମ୍ପର୍କରେ ସାର୍ବଜନୀନ କରିଥିଲେ। କିନ୍ତୁ ୪ ବର୍ଷର ପୁଅ ସମ୍ପର୍କରେ ତଥ୍ୟ ସାର୍ବଜନୀନ କରି ନଥିଲେ।
ଏବେ ୪ର୍ଥ ସନ୍ତାନ ହେବାରୁ ସେମାନେ ତଥ୍ୟ ସାର୍ବଜନୀନ ହେବା ଭୟରେ ରହିଥିଲେ। ଏଥିପାଇଁ ସେମାନେ ନିଜର ୩ ଦିନର ପୁଅକୁ ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ଘଟଣା ସାମ୍ନାକୁ ଆସିବା ପରେ ଉଭୟ ବାପା ମା’ଙ୍କୁ ଗିରଫ କରାଯାଇଛି। ଉଦ୍ଧାର ହୋଇଥିବା ପିଲାଟିର ଚିକିତ୍ସା ଚାଲିଛି। ଗୋଟିଏ ମାମଲା ହୋଇଛି ଓ ଆଇନଗତ ପଦକ୍ଷେପ ନିଆଯାଉଛି।”
ମଧ୍ୟପ୍ରଦେଶ ସରକାର ୨ ସନ୍ତାନ ନୀତି ୨୦୦୦ ମସିହାରୁ ଲାଗୁ କରିଛନ୍ତି। କୌଣସି ସରକାରୀ କର୍ମଚାରୀ ୨ରୁ ଅଧିକ ସନ୍ତାନ ଜନ୍ମ କରିପାରିବେ ନାହିଁ। ୨୦୦୧ ଜାନୁଆରୀ ୨୬ ପରେ ଯଦି କେହି ଦୁଇରୁ ଅଧିକ ସନ୍ତାନର ଜନ୍ମ କରନ୍ତି, ତା’ହେଲେ ତାଙ୍କୁ ସରକାରୀ ଚାକିରିରୁ ବରଖାସ୍ତ କରାଯିବାର ପ୍ରାବଧାନ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
