ଅପରାଧୀଙ୍କୁ ଧରିବା ଯାହାର ଦାୟିତ୍ୱ ସିଏ ହିଁ ସାଜୁଥିଲେ ପ୍ରତିବନ୍ଧକ । ଫଳରେ ମାମଲାଗୁଡ଼ିକ ୫ ବର୍ଷ, ୧୦ ବର୍ଷ ପଡ଼ି ରହିଥିବା ବେଳେ ନ୍ୟାୟ ପାଇଁ ଦୌଡ଼ୁଥିଲେ ସାଧାରଣ ଲୋକେ। ଏପରି ସାଂଘାତିକ ଘଟଣାର ଖୁଲାସା ହେବା ପରେ ୧୩୪ ପୁଲିସ୍ ଅଧିକାରୀଙ୍କ ବିରୋଧରେ ରୁଜୁ ହୋଇଛି ମାମଲା । ଏପରି ଏକ ଘଟଣା ବିହାରର ମୁଜଫରପୁରରେ ଦେଖିବାକୁ ମିଳିଛି।
ଅପରାଧୀଙ୍କୁ ଧରିବା ସହ ପୀଡ଼ିତଙ୍କୁ ନ୍ୟାୟ ଦେବା ପୁଲିସ୍ର ପ୍ରଥମ କାମ । ମାତ୍ର ନିଜ ଦାୟିତ୍ୱରେ ଖିଲାପ କରୁଥିଲେ ମୁଜଫରପୁରର ୧୩୪ ପୁଲିସ୍ ଅଧିକାରୀ। ଏପରିକି ନିଜ ଟ୍ରାନ୍ସଫର ହେବା ପରେ ପରବର୍ତ୍ତୀ ଅଫିସରଙ୍କୁ ପୁରୁଣା କେସ୍ର ଫାଇଲ୍ ପ୍ରଦାନ କରୁ ନ ଥିଲେ। ଫଳରେ କେବଳ ଏଥିପାଇଁ ୯୪୩ଟି ଫାଇଲ୍ ସମାଧାନ ହୋଇ ନ ପାରି ପ୍ରାୟ ୧୦ ବର୍ଷହେବ ପଡ଼ି ରହିଛି।
ବରିଷ୍ଠ ଅଧିକାରୀଙ୍କ ନିର୍ଦ୍ଦେଶ ସତ୍ତ୍ୱେ ସମ୍ପୃକ୍ତ ଅଧିକାରୀମାନେ ପୁରୁଣା କେସ୍ର ଫାଇଲ୍ ପ୍ରଦାନ କରୁ ନ ଥିଲେ। କିଛି ଦିନ ପୂର୍ବେ ସମାଧାନ ହୋଇ ନ ଥିବା ପୁରୁଣା ମାମଲାଗୁଡ଼ିକର ସମୀକ୍ଷା କରାଯାଉଥିବା ବେଳେ ଏହି ସମସ୍ତ ଅଧିକାରୀଙ୍କ ନାମ ସାମନାକୁ ଆସିଲା। ଏବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇ ୮ଟି ଥାନାରେ ମାମଲା ରୁଜୁ ହୋଇଛି।